Advertisment

ଡାକ୍ତରରୁ ସିରିଏଲ କିଲର୍‌: ହତ୍ୟା କରି କୁମ୍ଭୀରଙ୍କୁ ଖୁଆଇ ଦେଉଥିଲା ମୃତଦେହ

କୁଖ୍ୟାତ ଅପରାଧୀ ଜଣଙ୍କ ପ୍ୟାରେଲୋରେ ଯିବା ପରେ ନିଜର ପରିଚୟ ବଦଳାଇ ରାଜସ୍ଥାନର ଦୌସାରେ ଥିବା ଆଶ୍ରମରେ ଆଶ୍ରୟ ନେଇଥିଲା।

author-image
Hemant Lenka
AI

AI

ଭୟଙ୍କର। ବୀଭତ୍ସ। ଲୋମହର୍ଷଣକାରୀ। ଯାହା କହିଲେ ବି ସାମ୍ନାକୁ ଆସିଥିବା ଘଟଣା ପାଇଁ କମ ପଡ଼ିବ। କାରଣ ଜଣେ କୁଖ୍ୟାତ ଆୟୁର୍ବେଦିକ ଡାକ୍ତର ସରିଏଲ କିଲର ସାଜି ଘଟାଇ ଚାଲିଥିଲା ଜଘନ୍ୟକାଣ୍ଡ। ଡକ୍ଟର ଡେଥ ନାଁରେ ସେ ପରିଚିତ। ଲୋକଙ୍କୁ ହତ୍ୟା କରିବା ପରେ ମୃତଦେହକୁ କୁମ୍ଭୀରମାନଙ୍କୁ ସେ ଖାଇବାକୁ ଦେଉଥିଲା। ଗିରଫ ହୋଇ ଜେଲରେ ଥିବା ବେଳେ ସେ ପ୍ୟାରୋଲରେ ବାହାରିଥିଲା। ହେଲେ ବର୍ଷେ ହେଲାଣି ସେ ଆଉ ଜେଲକୁ ଫେରି ନଥିଲା। ବର୍ଷକ ପରେ ଦିଲ୍ଲୀ ପୁଲିସ୍‌କୁ ତା’କୁ ରାଜସ୍ଥାନରୁ ଗିରଫ କରିବାକୁ ସକ୍ଷମ ହୋଇଛି।

Advertisment

କୁଖ୍ୟାତ ଅପରାଧୀ ଜଣଙ୍କ ପ୍ୟାରେଲୋରେ ଯିବା ପରେ ନିଜର ପରିଚୟ ବଦଳାଇ ରାଜସ୍ଥାନର ଦୌସାରେ ଥିବା ଆଶ୍ରମରେ ଆଶ୍ରୟ ନେଇଥିଲା। ସେଠାରେ ସେ ଜଣେ ପୂଜକ ଭାବେ ରହୁଥିଲା। ୬୭ ବର୍ଷୀୟ ଦେବେନ୍ଦ୍ର ଶର୍ମା ଏକାଧିକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ସଜା କାଟୁଥିଲା ବୋଲି ପୁଲିସ୍‌ କହିଛି।

ପୁଲିସ୍‌ର କହିବା କଥା ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣାରେ ୭ଟି ଭିନ୍ନଭିନ୍ନ ମାମଲାରେ ସେ ଆଜୀବନ ଜେଲଦଣ୍ଡ ପାଇଛି। ସେହିପରି ଗୁରୁଗ୍ରାମର ଗୋଟିଏ କୋର୍ଟ ମଧ୍ୟ ତା’କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ଡେପୁଟି କମିଶନର ଅଫ ପୁଲିସ(କ୍ରାଇମବ୍ରାଞ୍ଚ) ଆଦିତ୍ୟ ଗୌତମ କହିଛନ୍ତି, ଦେବେନ୍ଦ୍ର ଶର୍ମା ୨୦୦୨ରୁ ୨୦୦୪ ମଧ୍ୟରେ ୭ ଜଣ ଟ୍ୟାକ୍ସି ଓ ଟ୍ରକ ଡ୍ରାଇଭରଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିଥିଲା। ଏଥିପାଇଁ ସେ ତିହାର ଜେଲରେ ଆଜୀବନ ସଜା କାଟୁଥିଲା। ୨୦୨୩ ଅଗଷ୍ଟ ମାସରେ ସେ ପ୍ୟାରୋଲରେ ବାହାରି ଥିଲେ ହେଁ ଆଉ ଫେରି ନଥିଲା।

Advertisment

ଶର୍ମା ଓ ତା’ର ସହଯୋଗୀମାନେ ଡ୍ରାଭରମାନଙ୍କୁ ଯାତ୍ରା କରିବା ଆଳରେ ଫୋନ କରି ଡାକୁଥିଲେ। ଏହାପରେ ସେମାନଙ୍କୁ ହତ୍ୟା କରି ସେମାନଙ୍କ ଗାଡ଼ିକୁ ଚୋର ବଜାରରେ ବିକ୍ରି କରି ଦେଉଥିଲେ। ସମସ୍ତ ପ୍ରକାରର ପ୍ରମାଣ ନଷ୍ଟ କରିବା ପାଇଁ ଉତ୍ତର ପ୍ରଦେଶର କାସଗଞ୍ଜର ହାଜାରା କେନେଲାରେ ଫିଙ୍ଗି ଦେଉଥିଲେ। ଏଠାରେ ବହୁ ସଂଖ୍ୟାରେ କୁମ୍ଭୀର ଥିବାରୁ ମୃତଦେହକୁ ସେମାନଙ୍କୁ ଖାଇ ଯାଉଥିଲେ।

ହତ୍ୟା, ଅପହରଣ ଓ ଲୁଟ ଭଳି ୨୭ଟି ମାମଲାରେ ଦେବେନ୍ଦ୍ର ଶର୍ମା ସାମିଲ ରହିଛି। ତା’ର ଅପରାଧିକ କ୍ୟାରିୟର ବେଶ ଲମ୍ବା। ୧୯୯୫ରୁ ୨୦୦୪ ମଧ୍ୟରେ ସେ ବେଆଇନ କିଡ୍‌ନୀ ପ୍ରତିରୋପଣ ରାକେଟ ଚଳାଉଥିବା ଖବର ସାମ୍ନାକୁ ଆସିଥିଲା। ବାସ୍ତବରେ ଶର୍ମା ଜଣେ ବିଏଏମଏସ୍‌(ବ୍ୟାଚଲର ଅଫ ଆୟୁର୍ବେଦିକ ମେଡିସିନ ଓ ସର୍ଜରୀ) ଡିଗ୍ରୀଧାରୀ। ୧୯୮୪ରେ ରାଜସ୍ଥାନରେ ଗୋଟିଏ କ୍ଲିନକ ଖୋଲିଥିଲା। ଜଣେ ଆୟୁର୍ବେଦିକ ଡାକ୍ତର ଭାବେ ପରିଚିତ ଦେବେନ୍ଦ୍ର ୧୯୯୫ରୁ ଅପରାଧିକ ଦୁନିଆରେ ପାଦ ଦେଇଥିଲା।

ଡାକ୍ତର ଓ ବିଭିନ୍ନ ରାଜ୍ୟରେ କାମ କରୁଥିବା ମଧ୍ୟସ୍ଥିଙ୍କ ଜରିଆରେ ବେଆଇନ ଭାବେ ୧୨୫ଟି କିଡନୀ ପ୍ରତିରୋପଣ କରିଥିବା ଶର୍ମା ପୁଲିସ୍‌ ଆଗରେ ସ୍ୱୀକାର କରିଛି। ଦେବେନ୍ଦ୍ର ୧୯୯୪ରେ ଗ୍ୟାସ ବ୍ୟବସାୟ କରିବାକୁ ଆଗେଇ ଆସିଥିଲା। କିନ୍ତୁ ଏହି ବ୍ୟବସାୟରେ ତା’କୁ ଭୟଙ୍କର କ୍ଷତି ସହିବାକୁ ପଡ଼ିଥିଲା। ବ୍ୟବସାୟିକ କ୍ଷତି ପରେ ସେ ଅପରାଧ ଦୁନିଆରେ ପାଦ ଦେଇଥିଲା।

୧୯୯୪ରେ ସେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋଟିଏ କମ୍ପାନୀରୁ ଡିଲରଶିପ ଆଣିବାକୁ ଚାହୁଁଥିଲା। ହେଲେ ଏହି ବ୍ୟବସାୟ ଘାଟା ହୋଇ ଯାଇଥିଲା। ୧୧ ଲକ୍ଷର କ୍ଷତି ସହିବା ପରେ ୧୯୯୫ରୁ ସେ ନକଲି ଗ୍ୟାସ ଏଜେନ୍ସି ଖୋଲିବା ସହ ବେଆଇନ ଅଙ୍ଗ ପ୍ରତିରୋପଣ କାମରେ ମାତିଥିଲା।

୧୯୯୫ରୁ ୨୦୦୪ ମଧ୍ୟରେ ସେ ଗୋଟିଏ ଗ୍ୟାଙ୍ଗ ତିଆରି କରି ଏଲପିଜି ସିଲିଣ୍ଡର ନେଇ ଯାଉଥିବା ଟ୍ରକ୍‌କୁ ରାସ୍ତାରେ ଅଟକାଉଥିଲା। ଡ୍ରାଇଭରଙ୍କୁ ହତ୍ୟା କରି ସିଲିଣ୍ଡର ଚୋରି କରୁଥିଲା। ସେ ଓ ତା’ର ଗ୍ୟାଙ୍ଗ ସଦସ୍ୟମାନେ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ମଧ୍ୟ ହତ୍ୟା କରୁଥିଲେ। ପ୍ରଥମେ ଟ୍ୟାକ୍ସି ଡ୍ରାଇଭରଙ୍କୁ ଭଡ଼ା ନାଁରେ ଡକା ଯାଉଥିଲା, ସେମାନଙ୍କୁ ହତ୍ୟା କରାଯାଉଥିଲା ଓ ସେମାନଙ୍କ ଗାଡ଼ିକୁ ଚୋର ବଜାରରେ ବିକ୍ରି କରି ଦିଆଯାଉଥିଲା। ଶେଷରେ ମୃତଦେହକୁ କୁମ୍ଭୀରଙ୍କ ଖାଦ୍ୟ ପାଇଁ କେନାଲରେ ଫିଙ୍ଗି ଯାଉଥିଲା।

ଟ୍ରକ ଡ୍ରାଇଭରଙ୍କୁ ମାରିବା ପରେ ମଧ୍ୟ ଶର୍ମା ଆଣ୍ଡ କୋ ସମାନ କାଣ୍ଡ ଘଟାଉଥିଲେ। ମୃତଦେହକୁ କେନାଲରେ ଫିଙ୍ଗିବା ପରେ ଟ୍ରକକୁ ପୂରା ଖୋଲା ଖୋଲି କରି ଦେଉଥିଲେ। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ଟ୍ରକ୍‌ର ଗୋଟିଏ ପରେ ଗୋଟିଏ ପାର୍ଟକୁ ଚୋର ବଜାରରେ ବିକ୍ରି କରୁଥିଲେ।

ଏହି ସମୟସୀମା ମଧ୍ୟରେ ଶର୍ମା ୨୪ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିଲା। ସେ ଗୋଟିଏ ରାକେଟର ଅଂଶ ବିଶେଷ ଥିଲା ଓ ପ୍ରତିଟି ମାମଲା ପାଇଁ ୭ ଲକ୍ଷ ଚାର୍ଜ କରୁଥିଲା। ସିରିଏଲ କିଲିଙ୍ଗ ଓ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ମାମଲାରେ ଶର୍ମାକୁ ୨୦୦୪ରେ ଗିରଫ କରାଯାଇଥିଲା। ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣାରେ ୭ଟି ଭିନ୍ନଭିନ୍ନ ହତ୍ୟା ପାଇଁ ତା’କୁ ଆଜୀବନ ଜେଲଦଣ୍ଡ ମିଳିଲା। ଗୋଟିଏ ମାମଲାରେ ଗୁରୁଗ୍ରାମ କୋର୍ଟ ତା’କୁ ମୃତ୍ୟୁଦଣ୍ଡରେ ବି ଦଣ୍ଡିତ କରିଛନ୍ତି। ସେ ପ୍ରାୟ ୫୦ରୁ ଅଧିକ ହତ୍ୟା ମାମଲାରେ ସାମିଲ ଥିବା ପୁଲିସ୍‌ ଅନୁମାନ କରୁଛି।

ଜେଲରେ ସଜା କାଟୁଥିବା ଶର୍ମା ୨୦୨୩ ଅଗଷ୍ଟ ମାସରେ ପ୍ୟାରୋଲରେ ବାହାରିଥିଲା। ହେଲେ ଧାର୍ଯ୍ୟ ପ୍ୟାରୋଲ ସମୟ ସୀମା ପରେ ବି ସେ ଆଉ ଫେରି ନଥିଲା। କ୍ରାଇମବ୍ରାଞ୍ଚ ଦୀର୍ଘ ମାସ ଧରି ଦେବେନ୍ଦ୍ରକୁ ଆଲିଗଡ଼, ଜୟପୁର, ଦିଲ୍ଲୀ, ଆଗ୍ରା ଓ ପ୍ରୟାଗରାଜରେ ଖୋଜିବା ପରେ ଶେଷରେ ଜାଣିବାକୁ ପାଇଥିଲା ଯେ ସେ ଦୌସାର ଗୋଟିଏ ଆଶ୍ରମରେ ରହିଛି। ସେଠାରେ ସେ ମିଛ ପରିଚୟ ଦେଇ ପୂଜକ ଭାବେ ରହୁଥିବା କ୍ରାଇମବ୍ରାଞ୍ଚ ଜାଣିବ ପରେ ସେଠାରୁ ଗିରଫଦାରୀ କରିଛି।

Delhi Crime Rajasthan