/odisha-reporter/media/post_attachments/uploadimage/library/16_9/16_9_0/kendrapara_1702617195.jpg)
kendrapara
କେନ୍ଦ୍ରାପଡ଼ା ଜିଲ୍ଲାରେ ଜଟିଳ ହେବାରେ ଲାଗିଛି ଡାକ୍ତର ବନାମ ପୁଲିସ ବିବାଦ। ଜିଲ୍ଲାର ସବୁ ଡାକ୍ତରଖାନାରେ ଡାକ୍ତରମାନେ କଳା ବ୍ୟାଜ୍ ପରିଧାନ କରି ଡ୍ୟୁଟି କରୁଛନ୍ତି। ହେଲେ ପୁଲିସକୁ ସହଯୋଗ କରୁ ନାହାନ୍ତି। କୋର୍ଟ ଚାଲାଣ ହେବାକୁ ଥିବା ଅଭିଯୁକ୍ତଙ୍କର ଇଞ୍ଜୁରୀ ରିପୋର୍ଟ ପୁଲିସ ଦେବାକୁ ମନା କରି ଦେଇଛନ୍ତି ଆନ୍ଦୋଳନରତ ଡାକ୍ତର। ଏହା ମଧ୍ୟରେ ବଳି ପଡିଛି ବନ ବିଭାଗ।
ଗହୀରମଥାରୁ ବେଆଇନ ଭାବେ ମାଛ ଧରୁଥିବା ବେଳେ ୯ ମତ୍ସଜୀବୀଙ୍କୁ ଗିରଫ କରିଥିଲା ରାଜନଗର ବନ ବିଭାଗ। ସେମାନଙ୍କୁ କୋର୍ଟ ଚାଲାଣ ନେଇ ଡାକ୍ତରମାନେ ଇଞ୍ଜୁରୀ ରିପୋର୍ଟ ଦେଇନଥିବା କହିଛନ୍ତି ଗହୀରମଥା ରେଞ୍ଜର। ଫଳରେ ନିଜ ହେପାଜତରେ ବନ ବିଭାଗ ସେମାନଙ୍କୁ ରଖିଛି।
ସୂଚନା ଅନୁଯାୟୀ, ଗତ ୨୯ ତାରିଖ ରାତିରେ କିଛି ଦୁର୍ବୃତ୍ତ ନିଶାସକ୍ତ ଅବସ୍ଥାରେ ରାଜନଗର ଗୋଷ୍ଠୀକେନ୍ଦ୍ରରେ ପଶି ଡାକ୍ତରମାନଙ୍କୁ ଦୁର୍ବ୍ୟବହାର କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ସଂପର୍କରେ ଡାକ୍ତରମାନେ ଥାନାରେ ଲିଖିତ ଅଭିଯୋଗ କରିବା ସହ ଓଡ଼ିଶା ମେଡିକାଲ ସେବା ସଂଘ ବା (ଓମସା। )କୁ ଜଣାଇଥିଲେ। ହେଲେ ପୁଲିସ ସେହି ଦୁର୍ବୃତ୍ତ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।
ପରେ ଡାକ୍ତରମାନେ ମେଡିକାଲ ସମ୍ମୁଖରେ ଧାରଣାରେ ବସି ଆନ୍ଦୋଳ କରିବା ସହ ସେହିଠାର ହିଁ ରୋଗୀ ଦେଖୁଥିଲେ। ପରେ ରାଜନଗର ବିଧାୟକ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରମାନଙ୍କୁ ସୁଝାସୁଝା କରିଥିଲେ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଡାକ୍ତରମାନେ ଧାରଣାରୁ ଉଠିଥିଲେ। ହେଲେ ୧୨ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।ଏହାପରଠୁ ୪ଦିନ ହେଲା ଜିଲ୍ଲାର ସବୁ ଡାକ୍ତରଖାନାର ଡାକ୍ତରମାନେ କଳା ବ୍ୟାଜ ପିନ୍ଧି ରୋଗୀ ଦେଖୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
