Advertisment

ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣିଲେ, ଘୋଷାରି ଘୋଷାରି ନେଇ ନାଳରେ ଫିଙ୍ଗିଦେଲେ

ଘରକୁ ଫେରିବା ପରେ ଖାଇପିଇ ନିଜ ଘରେ ଶୋଇଥିଲେ ଜୁରା ମୁଣ୍ଡା। ବିଳମ୍ୱିତ ରାତିରେ ଆମରୁଡ଼ି ଗାଁର ସାଧୁ ଚରଣ ବୁରୱେଲି, ଜଙ୍କ ଷୁଣ୍ଢି ଓ ଅନ୍ୟ ଦୁଇ ଜଣ ଜୁରା ମୁଣ୍ଡାଙ୍କ ଘର ସାମ୍ନାକୁ ଆସିଥିଲେ। ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ବହୁ ଗାଳି ଦେଇଥିଲେ।

author-image
Manoranjan Sial
Crime

Crime

ରାତି ଅଧରେ ଦୁଇ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲେ। ମୃତଦେହକୁ ଘୋଷାରି ଘୋଷାରି ନେଇ ନାଳରେ ଫିଙ୍ଗି ଦେଲେ। ଏପରି ବୀଭତ୍ସ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅଞ୍ଚଳରେ ଘଟିଛି। ହତ୍ୟାକାଣ୍ଡର ଦୁଇଦିନ ପରେ ଅର୍ଥାତ ଆଜି ଥାନାରେ ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ଗତ ଶନିବାର କେ.ବଲାଙ୍ଗ ଥାନା ଆମରୁଡ଼ି ଗାଁରେ କୁକୁଡା ଲଢ଼େଇ ହେଉଥିଲା। ଠିକ୍‌ ସେହି ସମୟରେ ଆମରୁଡ଼ି ଗାଁ ଜୁରା ମୁଣ୍ଡାଙ୍କ ସହିତ କିଛି ଲୋକଙ୍କର ପାଟିତୁଣ୍ଡ ହୋଇଥିଲା। ବୁଝାସୁଝା ପରେ ପ୍ରାୟତଃ ଘଟଣା ସମାଧାନ ହୋଇଥିଲା। ତା’ପରେ ସମସ୍ତେ ଘରକୁ ଫେରି ଆସିଥିଲେ। ସମସ୍ତେ ଭାବିଥିଲେ କୁକୁଡା ଲଢ଼େଇରେ ହୋଇଥିବା ଗଣ୍ଡଗୋଳ ବୋଧହୁଏ ସମାଧାନ ହୋଇଯାଇଛି।

ଘରକୁ ଫେରିବା ପରେ ଖାଇପିଇ ନିଜ ଘରେ ଶୋଇଥିଲେ ଜୁରା ମୁଣ୍ଡା। ବିଳମ୍ୱିତ ରାତିରେ ଆମରୁଡ଼ି ଗାଁର ସାଧୁ ଚରଣ ବୁରୱେଲି, ଜଙ୍କ ଷୁଣ୍ଢି ଓ ଅନ୍ୟ ଦୁଇ ଜଣ ଜୁରା ମୁଣ୍ଡାଙ୍କ ଘର ସାମ୍ନାକୁ ଆସିଥିଲେ। ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ବହୁ ଗାଳି ଦେଇଥିଲେ। ତେବେ ଧୌର୍ଯ୍ୟର ବନ୍ଧ ଭାଙ୍ଗି ଯିବାପରେ ହାତରେ ଟାଙ୍ଗିଆ ଧରି ଘରୁ ବାହାରିଥିଲେ ଜୁରା। ଆଉ ଘର ସମ୍ନାରେ ସାଧୁ ଚରଣ ବୁରୱେଲି ଓ ଜଙ୍କ ଷୁଣ୍ଢିଙ୍କୁ ପାଇ ଟାଙ୍ଗିଆରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।

Advertisment

କ୍ଷଣକ ଉତ୍ତେଜନାରେ ବସବର୍ତ୍ତୀ ସାଧୁ ଚରଣ ବୁରୱେଲି ଓ ଜଙ୍କଙ୍କୁ ହତ୍ୟା କରିଥିଲେ ଜୁରା। ହେଲେ ହତ୍ୟାକାଣ୍ଡ ପରେ ତାଙ୍କ ଅକଲ୍‌ ଗୁଡୁମ୍‌ ହୋଇଯାଇଥିଲା। କ’ଣ କରିବେ କିଛି ଭାବି ପାରିନଥିଲେ। ପରେ ଉଭୟଙ୍କ ମୃତଦେହ ଲୁଚାଇବାକୁ ଉଦ୍ୟମ କରିଥିଲେ। ସେଥିପାଇଁ ସାଧୁ ଚରଣ ଓ ଜଙ୍କଙ୍କ ମୃତଦେହର ଗୋଡ଼କୁ ଘୋଷାରି ଘୋଷାରି ନେଇ ଘର ପାଖରେ ଥିବା ନାଳକୁ ଫିଙ୍ଗି ଦେଇଥିଲେ।

ସେପଟେ ଶନିବାରଠାରୁ ସାଧୁ ଚରଣ ବୁରୱେଲି ଓ ଜଙ୍କ ଷୁଣ୍ଢି ଘରକୁ ଫେରିନଥିଲେ। ତେଣୁ ପରିବାର ଲୋକେ ଚାରିଆଡ଼େ ଖୋଜା ଖୋଜି କରିଥିଲେ। ମାତ୍ର ଉଭୟଙ୍କ ପତ୍ତା ପାଇନଥିଲେ। ଉଭୟଙ୍କ ନିଖୋଜ ନେଇ ଗାଁରେ ଟୁପୁରୁ ଟାପୁରୁ ହେଲେ। ଏକଥା ଜୁରା ମୁଣ୍ଡାଙ୍କ କାନରେ ପଡ଼ିଲା। ତେଣୁ ସେ ଆଜି କେ.ବଲାଙ୍ଗ ଥାନାରେ ପହଞ୍ଚିଥିଲେ। ସାଧୁ ଚରଣ ବୁରୱେଲି ଓ ଜଙ୍କ ଷୁଣ୍ଢିଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲେ। ଜୁରାଙ୍କ ସ୍ୱୀକାର ପରେ ପୁଲିସ ମୃତଦେହ ଓ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ ଜବତ କରିଛି। ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରିପୋର୍ଟ- କୋଇଡାରୁ ସୁନୀଲ୍‌ କୁମାର ପଣ୍ଡା

Crime Sundargarh