Advertisment

ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଦୃଶ୍ୟମ ଷ୍ଟାଇଲ ମର୍ଡର

ପତ୍ନୀଙ୍କୁ ହତ୍ୟା କରି ଦୃଶ୍ୟମ ଫିଲ୍ମ ଭଳି ମାଟି ତଳେ ପୋତି ଦେଇ ସ୍ୱାମୀ ଜଣଙ୍କ ସାଂଘାତିକ ଯୋଜନା କରିଥିଲେ। ପତ୍ନୀ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିବା ସେ ସମସ୍ତଙ୍କୁ କହିଥିଲେ।

author-image
Hemant Lenka
Delhi

Delhi

ପତ୍ନୀ ଆଉ କାହା ସହ ପ୍ରେମ ସମ୍ପର୍କରେ ରହିଥିବା ସବୁବେଳେ ସନ୍ଦେହ କରୁଥିଲେ ସ୍ୱାମୀ। ଏହି ସନ୍ଦେହ ଶେଷରେ ଭୟଙ୍କର ରୂପ ନେଇଛି। ବଲିଉଡ ଫିଲ୍ମ ଦୃଶ୍ୟମ ଷ୍ଟାଇଲରେ ପତ୍ନୀଙ୍କୁ ହତ୍ୟା କରିଛନ୍ତି ସ୍ୱାମୀ। ୩୦ ବର୍ଷୀୟ ପତ୍ନୀଙ୍କୁ ହତ୍ୟା କରିବା ପରେ ସେ ଦିଲ୍ଲୀର ଗୋଟିଏ କବରସ୍ତାନରେ ମୃତଦେହକୁ ପୋତି ଦେଇଛନ୍ତି।

Advertisment

ପତ୍ନୀଙ୍କୁ ହତ୍ୟା କରି ଦୃଶ୍ୟମ ଫିଲ୍ମ ଭଳି ମାଟି ତଳେ ପୋତି ଦେଇ ସ୍ୱାମୀ ଜଣଙ୍କ ସାଂଘାତିକ ଯୋଜନା କରିଥିଲେ। ପତ୍ନୀ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିବା ସେ ସମସ୍ତଙ୍କୁ କହିଥିଲେ। କିନ୍ତୁ ତାଙ୍କର ସବୁ ଖେଳ ସିସିଟିଭିରେ ଧରାପଡ଼ି ଯାଇଛି। ସତ ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୁଲିସ୍‌ ତାଙ୍କୁ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି।

ଉତ୍ତର ପ୍ରଦେଶର ଅମରୋହାର ମୂଳ ବାସିନ୍ଦା ୪୭ ବର୍ଷୀୟ ଶଦାବ ଅଲୀ ଦିଲ୍ଲୀରେ ରଙ୍ଗ ମସ୍ତ୍ରୀ ଭାବେ କାମ କରିଛନ୍ତି। ସେ ତାଙ୍କର ୩୦ ବର୍ଷୀୟ ପତ୍ନୀ ଫାତିମାଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟା କରିଛନ୍ତି। ଡିସିପି(ଦକ୍ଷିଣ) ଅଙ୍କିତ ଚୌହାନଙ୍କ କହିବା କଥା ଯେ ଅଭିଯୁକ୍ତ ଜଣଙ୍କ ୫ ଦିନ ଧରି ତାଙ୍କ ପତ୍ନୀଙ୍କୁ କୀଟନାଶକ ପିଆଇବା ସହ ନିଶା ଯୁକ୍ତ ବଟିକା ଖାଇବାକୁ ଦେଉଥିଲେ। ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ କାର ଯୋଗେ ମୃତଦେହକୁ ମେହରୌଲି ସ୍ଥିତ ଗୋଟିଏ କବରସ୍ତାନକୁ ନେଇ ଯାଇଥିଲେ। ଏଥିରେ ତାଙ୍କୁ ଶାହରୁଖ ଖାନ, ତନବୀର ଓ ଆଉ ଜଣେ ବ୍ୟକ୍ତି ସହାୟତା କରିଥିଲେ। ସେମାନେ ସେଠାରେ ଫାତିମାଙ୍କ ମୃତଦେହକୁ ପୋତି ଦେଇଥିଲେ ଓ ପୋଷାକକୁ ଗୋଟିଏ କେନେଲାରେ ଫିଙ୍ଗି ଥିଲେ।

Advertisment

ଧରା ପଡ଼ିଯିବା ଭୟରେ ଶଦାବ ନିଜ ଗାଁ ଅମରୋହାକୁ ଚାଲି ଯାଇଥିଲେ। ସେଠାରୁ ଫାତିମାଙ୍କ ଫୋନରୁ ନିଜ ନମ୍ବରକୁ ଗୋଟିଏ ମେସେଜ କରିଥିଲେ। ଏଥିରେ ଫାତିମା ପ୍ରେମିକ ସହ ଫେରାର ହୋଇଯାଇଛନ୍ତି ଓ ତାଙ୍କୁ ବାହା ହୋଇ ରହିବେ ବୋଲି ଉଲ୍ଲେଖ ରହିଥିଲା। ସମସ୍ତେ ଏହା ଦେଖି ଭାବି ନେଇଥିଲେ ଯେ ଫାତିମା କେଉଁ ଆଡ଼େ ଚାଲି ଯାଇଛନ୍ତି।

ତେବେ ଘଟଣାର କିଛି ଦିନ ପରେ ଅର୍ଥାତ ଅଗଷ୍ଟ ୧୦ରେ ଫାତିମାଙ୍କ ଜଣେ ବନ୍ଧୁ ମେହରୌଲି ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ। ସେ ନିଜର ଅଭିଯୋଗରେ ଫାତିମାଙ୍କୁ ଅପହରଣ କରି ପଣବନ୍ଦୀ କରି ରଖାଯାଇଥିବା ଆଶଙ୍କା କରିଥିଲେ। ପୁଲିସ୍‌ ଅଭିଯୋଗ ପାଇବା ପରେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ଫାତିମାଙ୍କୁ ଶେଷ ଥର ପାଇଁ ତାଙ୍କ ସ୍ୱାମୀ ଓ ସ୍ୱାମୀଙ୍କ ସହଯୋଗୀମାନଙ୍କ ସହ ଦେଖିବାକୁ ମିଳିଥିଲା। ଏହି ସମୟରେ ଫାତିମା ଅଚେତ ଥିବା ମଧ୍ୟ ସ୍ପଷ୍ଟ ହୋଇଥିଲା।

ଏହାପରେ ପୁଲିସ୍‌ ଶଦାବଙ୍କୁ ଉଠାଇଥିଲା। ପ୍ରଥମେ ସେ ଅପରାଧକୁ ସ୍ୱୀକାର କରି ନଥିଲେ। ପରବର୍ତ୍ତୀ ଅବସ୍ଥାରେ ତଦନ୍ତକୁ ବାଟବଣା କରିବାକୁ ମୃତଦେହକୁ କେନାଲରେ ଫିଙ୍ଗିଥିବା କହିଥିଲେ। କିନ୍ତୁ ପୁଲିସ୍‌ ଅଧିକ ଚାପ ପକାଇ ଜେରା କରିବାରୁ ସେ ନିଜର ଅପରାଧକୁ ସ୍ୱୀକାର କରିଥିଲେ।

ସେ ଦାବି କରିଛନ୍ତି ଯେ ଫାତିମା ପରକୀୟା ପ୍ରୀତିରେ ମାତିଥିଲେ। ଏଥିଯୋଗୁ ସେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଅଭିଯୁକ୍ତ ଶଦାବ କହିଛନ୍ତି ଯେ ସେ ଫାତିମାଙ୍କୁ କିଛି ବଟିକା ଦେବାରୁ ତାଙ୍କର ଚେତା ଚାଲି ଯାଇଥିଲା। ଏହାପରେ ସେ ତାଙ୍କୁ ଫତେପୁର ବେରି ସ୍ଥିତ ଗୋଟିଏ ନିର୍ମାଣଧୀନ କୋଠାକୁ ଆଣିଥିଲେ। ଜୁଲାଇ ୩୧ ଯାଏ ସେଠାରେ ସେ ତାଙ୍କୁ ରଖିଥିଲେ। ଏହି ରହଣୀ ସମୟରେ ସେ ତାଙ୍କୁ କୀଟନାଶକ ପିଆଇଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ଜଣେ କମ୍ପାଉଣ୍ଡରଙ୍କ ପାଖକୁ ନିଆଯାଇଥିଲା। ସେଠାରୁ ଫାତିମା ମେହରୌଲି ସ୍ଥିତ ଘରକୁ ଆସିଥିଲେ। କିନ୍ତୁ ଅଗଷ୍ଟ ୧ରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରଦିନ ରାତିରେ ଶଦାବ ଓ ତାଙ୍କ ସହଯୋଗୀମାନେ ମୃତଦେହକୁ କାରରେ ଭର୍ତ୍ତି କରିଥିଲେ। ଏହାପରେ କବରସ୍ତାନକୁ ନେଇ ଏହାକୁ ପୋତି ଦେଇଥିଲେ। ଏହି ବୟାନକୁ ଆଧାର କରି ପୁଲିସ ସବ ଡିଭିଜନ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫାତିମାଙ୍କ ମୃତଦେହକୁ ଅଗଷ୍ଟ ୧୫ରେ ମାଟି ତଳୁ ଉଦ୍ଧାର କରିଛି। ଶଦାବ, ଶାହରୁଖ ଓ ତନବୀର ଗିରଫ ହୋଇଥିବା ବେଳେ ପୂରା ଘଟଣାରେ ସାମିଲ ଥିବା ଆଉ ଜଣେ ଏବେ ବି ଫେରାର ରହିଛି।

Delhi Crime