ଦୃଶ୍ୟମ ଷ୍ଟାଇଲ ମର୍ଡର: ପୁଲିସ୍‌କୁ ମାସାଧିକ କାଳ କେମିତି ଭୂଆଁ ବୁଲାଇ ଚାଲିଥିଲା ହତ୍ୟାକାରୀ?

ପୁଲିସ ୧୩ ମାସ ହେଲା ନିଖୋଜ ଥିବା ଜଣେ ମହିଳାଙ୍କ କଙ୍କାଳ ଗୋଟିଏ କୂଅରୁ ଜବତ କରିଥିଲା।

Crime

ହାର୍ଦ୍ଦିକକୁ ନେଇ କ୍ରାଇମ ସେନ୍ସରେ କ୍ରାଇମବ୍ରାଞ୍ଚ

Hemant Lenka
  • Published: Saturday, 01 March 2025
  • , Updated: 01 March 2025, 03:51 PM IST

ଅଜୟ ଦେବଗାନଙ୍କ ବଲିଉଡ ଥ୍ରୀଲର ମୁଭି ଦୃଶ୍ୟମ ଷ୍ଟାଇଲରେ ମର୍ଡର। ଫିଲ୍ମରେ ପୁଲିସ୍‌ ପ୍ରକୃତ ହତ୍ୟାକାରୀଙ୍କୁ ଧରି ପାରି ନଥିଲା। ପୁଲିସ୍‌ ଫିଲ୍ମର ନାୟକ ଅଜୟ ଦେବଗାନ ମର୍ଡର କରିଛନ୍ତି ବୋଲି ଆଶଙ୍କା କରୁଥିଲା। କିନ୍ତୁ ଏନେଇ କୌଣସି ପ୍ରକାରର ପ୍ରମାଣ ପାଇ ପାରି ନଥିଲା। ତେଣୁ ହତ୍ୟାକାରୀ ବେଶ ସହଜରେ ପୁଲିସ୍‌କୁ ଚକମା ଦେଇ ପାରିଥିଲେ। ସେଇଟା ରିଲରେ ହୋଇଥିବା ବେଳେ ଏବେ ଦୃଶ୍ୟମ ଷ୍ଟାଇଲର ପୁନରାବୃତ୍ତି ରିୟଲ ଲାଇଫରେ ଘଟିଛି।

କିନ୍ତୁ ମାସାଧିକ କାଳ ପୁଲିସ୍‌କୁ ଚକମା ଦେଇ ଚାଲିଥିବା ହତ୍ୟାକାରୀ ଶେଷରେ ଗିରଫ ହୋଇଛି। ଗୁଜରାଟର ଜୁନାଗଡ଼ ପୁଲିସ ୧୩ ମାସ ହେଲା ନିଖୋଜ ଥିବା ଜଣେ ମହିଳାଙ୍କ କଙ୍କାଳ ଗୋଟିଏ କୂଅରୁ ଜବତ କରିଥିଲା। ମହିଳା ନିଖୋଜ ହେବା ଦିନ ଠାରୁ ପୁଲିସ୍‌ ରାଡାରରେ ୨୮ ବର୍ଷୀୟ ହାର୍ଦ୍ଦିକ ସୁଖଦିଆ ରହିଥିଲା। କିନ୍ତୁ ସେ ପୁଲିସ୍‌କୁ ମାସାଧିକ କାଳ ଚକମା ଦେଇ ଚାଲିଥିଲା। ପୁଲିସ ମଧ୍ୟ ତା’ ବିରୋଧରେ କୌଣସି ପ୍ରମାଣ ପାଇ ନଥିଲା। ଗାନ୍ଧିନଗର ସ୍ଥିତ ଫରେନ୍ସିକ ଲ୍ୟାବରେ ପୁଲିସ୍‌ ତା’ର ଲେୟାର ଭୟସ ବିଶ୍ଲେଷଣ କରିଥିଲା। ତଥାପି ସେ ବେଶ ଚତୁରତାର ସହ ଏଥିରୁ ମଧ୍ୟ ଖସି ଯାଇଥିଲା। ଅଭିଯୁକ୍ତର ମାନସିକ ସ୍ଥିତିକୁ ଜାଣିବା ପାଇଁ ସାଧାରଣତଃ ଏହି ପରୀକ୍ଷା କରାଯାଇଥାଏ।

ଅପରାଧ ଘଟାଇବା ଦିନ ଠାରୁ ସମସ୍ତଙ୍କୁ ଚକମା ଦେଇ ଚାଲିଥିବା ହାର୍ଦ୍ଦିକକୁ ଶେଷରେ ଶୁକ୍ରବାର ପୁଲିସ୍‌ ଉପଯୁକ୍ତ ପ୍ରମାଣ ସହ ଗିରଫ କରିବାକୁ ସକ୍ଷମ ହୋଇଛି। ପୂରା ମାମଲା ଜଣେ ୩୫ ବର୍ଷୀୟ ମହିଳାଙ୍କ ହତ୍ୟା ଉପରେ ଆଧାରିତ। ୩୫ ବର୍ଷୀୟ ଦୟା ସାଭାଲିୟାଙ୍କ ଘର ହେଉଛି ଜୁନାଗଡ଼ର ରୂପବତୀ ଗାଁରେ। ୨୦୨୪ ମସିହା ଜାନୁଆରୀ ୨ରେ ସେ ଘରେ ଥିବା ସୁନା ଗହଣା ଓ ନଗଦ ୯.୬୦ ଲକ୍ଷ ଟଙ୍କା ଧରି କେଉଁ ଆଡ଼େ ଚାଲି ଯାଇଥିଲେ।

ସକାଳ ୯ଟାରୁ ସେ ଘର ଛାଡ଼ିଥିବେ ବେଳେ ତାଙ୍କ ସ୍ୱାମୀ ବଲ୍ଲଭ ଏନେଇ ବିସାଭଦର ପୁଲିସ ଷ୍ଟେସନରେ ଗୋଟିଏ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ଦୟାଙ୍କ ୧୧ ବର୍ଷୀୟ ପୁଅ ଘରେ ଏକା ଥିବାରୁ ପୁଲିସ୍‌ ତାଙ୍କୁ ଠାବ କରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲା। ତଦନ୍ତ ବେଳେ ପୁଲିସ୍‌ ଜାଣିବାକୁ ପାଇଥିଲା ଯେ ପୁଅ ଓ ସ୍ୱାମୀ ଥିବା ସତ୍ତ୍ୱେ ଦୟା ପରକୀୟାପ୍ରୀତିରେ ମାତି ଥିଲେ। ତାଙ୍କର ରୋମାଣ୍ଟିକ ସମ୍ପର୍କ ହାର୍ଦ୍ଦିକ ସହ ରହିଥିଲେ। ହାର୍ଦ୍ଦିକର ଘର ମଧ୍ୟ ରୂପବତୀ ଗାଁରେ। ଟେକ୍ନିକାଲ ସର୍ଭେଲାନ୍ସ ଓ ପାରିପାର୍ଶ୍ୱିକ ସ୍ଥିତି ମଧ୍ୟ ଦୟାଙ୍କ ନିଖୋଜ ପଛରେ ହାର୍ଦ୍ଦିକର ହାତ ଥିବା ଇଙ୍ଗିତ କରିଥିଲା। କିନ୍ତୁ ତା’ ବିରୋଧରେ କୌଣସି ଠୋସ ପ୍ରମାଣ ମିଳି ନଥିଲା।

ତଦନ୍ତକୁ ବାଟବଣା କରିବା ପାଇଁ ହାର୍ଦ୍ଦିକ ନୂଆ କାହାଣୀ କହିଥିଲା। ରାହୁଲ ନାମକ ଆଉ ଜଣେ ବ୍ୟକ୍ତିଙ୍କ ସହ ଦୟା ଫେରାର ହୋଇଯାଇଥିବା ସେ ପୁଲିସ୍‌କୁ କହିଥିଲା। ହାର୍ଦ୍ଦିକ ପ୍ରଥମ ଦିନରୁ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ପୁଲିସ୍‌କୁ ଚକମା ଦେବା ପାଇଁ ମୋବାଇଲ ଫୋନର ବ୍ୟବହାର ମଧ୍ୟ ବନ୍ଦ କରି ଦେଇଥିଲା।

ତଦନ୍ତରେ ସାମିଲ ଥିବା ଜଣେ ଅଧିକାରୀ କହିଛନ୍ତି, “ନିଖୋଜ ଘଟଣାରେ ସୁରାଗ ପାଇଁ ପୁଲିସ୍‌ ହାର୍ଦ୍ଦିକର ଏଲଭିଏ ପରୀକ୍ଷା କରିଥିଲା। କିନ୍ତୁ ଉକ୍ତ ପରୀକ୍ଷାରେ ସେ ପାସ୍‌ କରି ଯାଇଥିଲା। ସେ ଏପରି ଯାଞ୍ଚ ହେବ ବୋଲି ଭଲ ଭାବେ ଜାଣିଥିଲା। ତେଣୁ ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରି ରଖିଥିଲା। ବଳିଷ୍ଠ ପ୍ରମାଣ ଓ ପ୍ରତ୍ୟେକ୍ଷଦର୍ଶୀଙ୍କ ଅଭାବ ପୁଲିସ ପାଇଁ ଗୋଟିଏ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।”

ପୁଲିସ୍‌କୁ ଚକମା ଦେଇଥିବା ହାର୍ଦ୍ଦିକ ବେଶ ମୁକ୍ତ ଭାବେ ବୁଲିବା ସହ ସେ ମାମଲାରୁ ବର୍ତ୍ତି ଯାଇଥିବା ଆଶା କରିଥିଲା। ପୁଲିସ୍‌ ତଦନ୍ତ ସାରି ନ ପାରିବାରୁ ଏହାର ଦାୟତ୍ୱ ସ୍ଥାନୀୟ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ଇନସପେକ୍ଟର ଯତୀନ ପଟେଲଙ୍କ ନେତୃତ୍ୱରେ ଗୋଟିଏ ସ୍ପେଶାଲ ଟିମ ଦୟାଙ୍କୁ ଠାବ କରିବାକୁ ଲାଗି ପଡ଼ିଥିଲା। ଗୁରୁତ୍ୱପୂର୍ଣ୍ଣ ଟେକ୍ନିକାଲ ଓ ପାରିପାର୍ଶ୍ୱିକ ପ୍ରମାଣକୁ ଏକାଠି କରି ସ୍ୱତନ୍ତ୍ର ଟିମରେ ଥିବା ପୁଲିସ୍‌ ଅଧିକାରୀମାନେ ପୁଣି ହାର୍ଦ୍ଦିକକୁ ଜେରା କରିଥିଲା। ପୂର୍ବଭଳି ସେ ପୁଣି ପୁଲିସ୍‌କୁ ଚକମା ଦେବାକୁ ଚେଷ୍ଟା କରିଥିଲା। କିନ୍ତୁ ପୁଲିସ୍‌ ତା’ ଆଗରେ କିଛି ପ୍ରମାଣ ଉପସ୍ଥାପନ କରିଥିଲା। ପୁଲିସର ନାଲି ଆଖି ଓ କିଛି ପ୍ରମାଣ ଆଗରେ ଥିବାରୁ ହାର୍ଦ୍ଦିକ ୧୩ ମାସ ପରେ ନିଜ ଅପରାଧକୁ ସ୍ୱୀକାର କରିଛି।

ଫେବୃଆରୀ ୨୭ରେ ପୁଲିସ୍‌ ହାର୍ଦ୍ଦିକୁ ଗିରଫ କରିବା ପରେ ଅପରାଧ ଘଟିଥିବା ସ୍ଥାନକୁ ନେଇଥିଲା। ସେଠାରେ ଥିବା ଗୋଟିଏ କୂଅରୁ ଦୟାଙ୍କ କଙ୍କାଳ ଠାବ ହୋଇଛି। ଫରେନ୍ସି ବ୍ୟବଚ୍ଛେଦ ପାଇଁ କଙ୍କାଳକୁ ଭାବନଗର ଫରେନ୍ସିକୁ ପଠାଯାଇଛି। ଦୟା ଓ ହାର୍ଦ୍ଦିକ ମଧ୍ୟରେ ବେଶ କିଛି ମାସ ହେଲା ପ୍ରେମ ସମ୍ପର୍କ ରହିଥିଲା। କିନ୍ତୁ ସମୟକ୍ରମେ ହାର୍ଦ୍ଦିକ ଏହି ସମ୍ପର୍କକୁ ଚ୍ଛିନ୍ନ କରିବାକୁ ଚାହୁଁଥିଲେ। କିନ୍ତୁ ଦୟା ତାଙ୍କ ପିଛା ନ ଛାଡ଼ିବାରୁ ତାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲେ।

୨୦୨୪ ଜାନୁଆରୀ ୨ରୁ ଘରୁ ବାହାରିଥିବା ଦୟାଙ୍କୁ ହାର୍ଦ୍ଦିକ ପରଦିନ ଅର୍ଥାତ ଜାନୁଆରୀ ୩ରେ ଆମରେଲି ଜିଲ୍ଲାର ହାଦାଲା ଗାଁକୁ ଆଣିଥିଲା। ସେଠାରେ ଗୋଟିଏ ଇଟାରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ଦୟା ମରିଯିବାରୁ ପ୍ରମାଣ ନଷ୍ଟ କରିବା ପାଇଁ ସେ ମୃତଦେହକୁ ନିକଟସ୍ଥ କୂଅକୁ ଫିଙ୍ଗି ଦେଇଥିଲେ।

ହାର୍ଦ୍ଦିକ ପୁଲିସ୍‌ କହିଛି ଯେ ନିଜ ପୂର୍ବତନ ପତ୍ନୀଙ୍କ ଆଇଡି କାର୍ଡ ଦେଇ ସେ ଦୟାଙ୍କୁ ରାଜକୋଟର କାଗବାଡ ଠାରେ ଥିବା ଗୋଟିଏ ହୋଟେଲରେ ରଖି ଥିଲା। ଜାନୁଆରୀ ୨ରେ ଦୟା ଉକ୍ତ ହୋଟେଲରେ ରହିଥିଲେ। ହାର୍ଦ୍ଦିକ ଏତେ ଚତୁର ଥିଲା ଯେ ‍ମାଗଣା ଫୋନ କଲ ଆପ୍‌ ଜରିଆରେ ସେ ଦୟାଙ୍କ ସ୍ୱାମୀଙ୍କୁ ଫୋନ କରି ତାଙ୍କ ପତ୍ନୀ ପାରିବାରିକ ବିବାଦ ଯୋଗୁ ଘର ଛାଡ଼ି ଦେଇଥିବା କହୁଥିଲା। ଏତେ ସବୁ ଯୋଜନା ଓ ନାଟକ ସତ୍ତ୍ୱେ ଶେଷରେ ହାର୍ଦ୍ଦିକ ପୁଲିସ୍‌ ହାତରେ ଧରାପଡ଼ିଛି।

Related story