Advertisment

କାଠ ମାଫିଆଙ୍କୁ ଚକ୍‌ମା ଦେଲା ଡ୍ରୋନ୍; ରାତିରେ ଗାଁ ଉପରେ ଉଡି ଉଠାଇଲା ଫଟୋ

ରାତି ସାରା ଡ୍ରୋନ୍‌ ରେକର୍ଡ କରିଥିବା ଅଥ୍ୟକୁ ଭିତ୍ତିକରି ବନ ବିଭାଗ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ଯେଉଁଥିରେ ୩୦୦ରୁ ଅଧିକ ବନ କର୍ମଚାରୀ, ୧୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଥିଲେ। ୨୪ ତାରିଖ ଭୋରୁ ଭୋରୁ ଗାଁରେ ପହଞ୍ଚିଥିଲା ପୂରା ଟିମ୍‌।

ଅଦ୍ୟତନ ହୋଇଛି
Forest Dept

Forest Dept

Advertisment

ବନ ବିଭାଗ ଓ ପୁଲିସ୍‌ ସବୁବେଳେ ଚକ୍‌ମା ଖାଉଥିଲେ। ବେଳେ ବେଳେ କାଠ ମାଫିଆଙ୍କଠାରୁ ମାଡ଼ ଖାଉଥିଲେ। ହେଲେ ଏଥର କାଠ ମାଫିଆଙ୍କୁ ଚକ୍‌ମା ଦେଲା ଡ୍ରୋନ୍। ରାତି ସାରା ଗାଁ ଉପରେ ଉଡି ଉଡି ଉଠାଇଥିଲା ଫଟୋ। କାଠ ମାଫିଆଙ୍କ କାଠ ଚାଲାଣର ପୂରା ନାଟକ ରେକର୍ଡ କରି ବନ ବିଭାଗକୁ ପଠାଇଲା। ସେହି ତଥ୍ୟକୁ ଆଧାର କରି ବନ ବିଭାଗ ଚଢ଼ଉ କରିବାରେ ସଫଳ ହୋଇଛି। ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରୁ ଆସିଛି ଏପରି ଚିତ୍ର।

Advertisment

ଘଟଗାଁ ବ୍ଲକ ସନ୍ତରାପୁର ଗାଁ କେନ୍ଦୁଝର ଜିଲ୍ଲାର ଚୋରା କାଠ ମାଫିଆଙ୍କ ହବ୍‌ ପାଲଟିଥିଲା। ସେହି ଗାଁକୁ ଯେତେଥର ବନ ବିଭାଗ ବା ପୁଲିସ ଯାଇଛି ମାଡ଼ ଖାଇଛି ବା ବିଫଳ ହୋଇ ଫେରିଛି। ଏଥିର କିନ୍ତୁ ବିଫଳ ହୋଇନି କି ଫେଲ୍‌ମାରିନି। ଯୋଜନାବଦ୍ଧ ଭାବେ ଯାଇ ମୂଲ୍ୟବାନ କାଠ ଜବତ କରିବା ସହିତ ମାଫିଆଙ୍କୁ ମାଡ଼ି ବସିବାରେ ସଫଳ ହୋଇଛି ବନ ବିଭାଗ। ଏହି ଚଢ଼ଉରେ ବନ ବିଭାଗକୁ ସହଯୋଗ କରିଛି ପୁଲିସ୍‌ ଓ ରାଜସ୍ୱ ବିଭାଗ।

ମିଳିଥିବା ସୂଚନା ଅନୁସାରେ ୨୩ ତାରିଖ ରାତି ସାରା ସନ୍ତରାପୁର ଗାଁ ଉପରେ ପର୍ଯ୍ୟାୟକ୍ରମେ ଉଡିଥିଲା ଦୁଇଟି ଡ୍ରୋନ୍‌। ଗାଁର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଡ୍ରୋନ୍‌ ଦୁଇଟି ଉଡ଼ିଥିଲା। ଏପରିକି ଗାଁକୁ ଲାଗିଥିବା ଜଙ୍ଗଲ ଭିତରକୁ ମଧ୍ୟ ଡ୍ରୋନ୍‌ ଯାଇଥିଲା। ହେଲେ କାଠ ମାଫିଆମାନେ ଏ ସମ୍ପର୍କରେ କିଛି ଜାଣିନଥିଲେ। ତେଣୁ ସେମାନେ ବେଫିକର ଭାବେ ଅନ୍ଧାର ରାତିରେ ଗଛ କାଟିବା, ଜଙ୍ଗଲରୁ ମୂଲ୍ୟବାନ କାଠ ଆଣିବା, କାଠ ଚାଲାଣ କରିବା, ବଡ଼ବଡ଼ କାଠ ଗଣ୍ଡିକୁ ଗାତ ଖୋଳି ପୋତିବା ଆଦି କାର୍ଯ୍ୟ କରୁଥିଲେ। ହେଲେ କାଠ ମାଫିଆଙ୍କ ଏ ସବୁ ନାଟକକୁ ଦେଖୁଥିଲା ଆକାଶରେ ଉଡୁଥିବା ଡ୍ରୋନ୍‌। ଖାଲି ଦେଖୁନଥିଲା, ମଝିରେ ମଝିରେ ଉପରୁ ଫଟୋ ମଧ୍ୟ ଉଠାଉଥିଲା।

Advertisment

ରାତି ସାରା ଡ୍ରୋନ୍‌ ରେକର୍ଡ କରିଥିବା ଅଥ୍ୟକୁ ଭିତ୍ତିକରି ବନ ବିଭାଗ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ଯେଉଁଥିରେ ୩୦୦ରୁ ଅଧିକ ବନ କର୍ମଚାରୀ, ୧୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଥିଲେ। ୨୪ ତାରିଖ ଭୋରୁ ଭୋରୁ ଗାଁରେ ପହଞ୍ଚିଥିଲା ପୂରା ଟିମ୍‌। ଆଉ ତା’ପରେ ଗାଁ ଚାରି ପାର୍ଶ୍ୱରେ ଘେରି ଯାଇଥିଲା। କାଠ ମାଫିଆମାନେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତି କରିବା ପୂର୍ବରୁ ମାଡ଼ି ବସିଲା। ୬ ଜଣ କାଠ ମାଫିଆଙ୍କୁ ବନ ବିଭାଗ ଗିରଫ କରିଛି। ଏଥିସହ ଜେସିବି ମାଧ୍ୟମରେ ବିଲରେ ପୋତା ଯାଇଥିବା ବଡ଼ ବଡ଼ କାଠଗଣ୍ଡିକୁ ବାହାର କରିଥିଲେ।

କାଠ ମାଫିଆମାନେ ଜଙ୍ଗଳ ମଝିରେ ଏକ କରତ କଳ ଚଳାଇଥିଲେ। ଡ୍ରୋନ୍‌ର ତଥ୍ୟ ଅନୁସାରେ ବନ ବିଭାଗ ସେହି କରତ କଳକୁ ଜବତ କରିଛି। ସେଠାରୁ ବହୁ ମୂଲ୍ୟବାନ କାଠ ଜବତ କରିବାରେ ସଫଳ ହୋଇଛି। ଜବତ କାଠ ଗୁଡ଼ିକୁ ଟ୍ରଲର, ଟ୍ରକ୍‌, ହାଇୱା, ଟ୍ରାକ୍ଟର, ପିକ୍‌ଅପ୍‌ ଆଦିରେ ଅଣାଯାଉଛି। ଗତ ଦୁଇଦିନ ହେଲା କଡ଼ା ସୁରକ୍ଷା ମଧ୍ୟରେ ବନ ବିଭାଗ କାଠ ଜବତ କରି ଆଣୁଛି। ସେଠାରେ ମୁଖ୍ୟତଃ ଶାଳ, ଶାଗୁଆନ, ଗମ୍ଭାରୀ, ଚାକୁଣ୍ଡା ଭଳି ମୂଲ୍ୟବାନ କାଠ ରହିଛି। ତା’ଛଡ଼ା କାଠରେ ବିଭିନ୍ନ ସରଞ୍ଜାମ ମଧ୍ୟ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଅଧିକା ହେବ। କାଠ ମାଫିଆଙ୍କୁ ସାବାଡ଼ କରିବା ପାଇଁ ଆଗାମୀ ଦିନରେ ଏପରି ଚଢ଼ଉ ହେବ ବୋଲି ଡିଏଫ୍‌ଓ କହିଛନ୍ତି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Kendujhar Odisha Forest Dept
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe