Advertisment

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ପ୍ରଶାସନ ଓ ପୁଲିସକୁ ଖୋଲା ଚ୍ୟାଲେଞ୍ଜ

ଶ୍ରୀମନ୍ଦିର ଉପରେ ପ୍ରାୟ ଅଧଘଣ୍ଟା ଧରି ଡ୍ରୋନ୍ ଉଡ଼ିଲା, ଆଉ ଲୋକେ ଏସବୁକୁ ଦେଖିପାରିଲେ। ହେଲେ ନା ପୁଲିସ୍ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ କେହି ଏସମ୍ପର୍କରେ ଟିକିଏ ବି ଟେର ପାଇଲେନି।

author-image
Debadatta Aryashrestha
Drone over Puri Jagannath Temple

Drone over Puri Jagannath Temple

ସବୁ ନିୟମକୁ ଫୁ’ କରି, ବ୍ୟବସ୍ଥା ଆଖିରେ ଆଙ୍ଗୁଠି ଗେଞ୍ଜି ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଶହ ଶହ ଭକ୍ତଙ୍କ ସାମ୍ନାରେ ଶ୍ରୀମନ୍ଦିରର ଖୁବ୍ ନିକଟରେ ଡ୍ରୋନ୍ ସହାୟତାରେ ଭିଡିଓ ଶୁଟ୍ କରାଯାଇଛି। ନୋ ଫ୍ଲାଇଂ ଜୋନ୍ ସତ୍ତ୍ୱେ ଅଧ ଘଣ୍ଟା ଧରି ଶ୍ରୀମନ୍ଦିର ପରିସର ଓ ଆଖପାଖରେ ଏକ ଡ୍ରୋନ ଘୂରି ବୁଲିବା ପରେ ବି ପୁଲିସ୍ କି ପ୍ରଶାସନ କେହି ନା ଜାଣିପାରିଲେ ନା ଏବେ ଯାଏଁ ଅଭିଯୁକ୍ତଙ୍କୁ ଧରିପାରିଲେ। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।

Advertisment

ସମୟ ଭୋର୍ ପ୍ରାୟ ୪ଟା ୧୦ ମିନିଟ୍, ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ଖୋଲିବା ପୂର୍ବରୁ ବାହାରେ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ। ଆଉ ଠିକ୍ ଏହି ସମୟରେ ସିଂହଦ୍ୱାର ସମ୍ମୁଖ ଦୋଳମଣ୍ଡପ ସାହିରୁ ଉଡ଼ିଆସିଲା ଡ୍ରୋନ। ଶ୍ରୀମନ୍ଦିର ମେଘନାଦ ପାଚେରୀ, ଦଧିନଉତି, ନୀଳଚକ୍ର ସବୁଠି ଅଟକି ଅଟକି ଭିଡିଓ ଶୁଟ୍ କରିଥିଲା। ଏମିତିକି ବେଶ ତଳକୁ ଓହ୍ଲାଇ ବି ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି। ଏସବୁକୁ ବାହାରେ ଥିବା ଶ୍ରଦ୍ଧାଳୁ ଦେଖିଥିଲେ ଓ ନିଜ ଫୋନରେ ରେକର୍ଡିଂ ବି କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ଡ୍ରୋନ୍ ଉଡ଼ିଲା, ଆଉ ଲୋକେ ଏସବୁକୁ ଦେଖିପାରିଲେ। ହେଲେ ନା ପୁଲିସ୍ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ଏସମ୍ପର୍କରେ ଟିକିଏ ବି ଟେର ପାଇଲେନି।

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା କିଛି ନୂଆ କଥା ନୁହେଁ। ଗତବର୍ଷ ଆକାଶ ମାର୍ଗରୁ ଭିଡିଓ ଉଠାଇ ଏହାକୁ ନିଜ ୟୁଟ୍ୟୁବ୍ ପେଜରେ ଅପଲୋଡ୍ କରି ବିବାଦକୁ ଆସିଥିଲେ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ। ୨୦୧୮ ମସିହାରେ ବି ଏମାର ମଠ ଉପରେ ରହି ଡ୍ରୋନ୍ ସାହାଯ୍ୟରେ ଶ୍ରୀମନ୍ଦିରର ଭିଜୁଆଲ୍ ନିଆଯାଇଥିଲା। ତା ପୂର୍ବରୁ ୨୦୧୭ରେ ରାଧାବଲ୍ଲଭ ମଠରୁ ଡ୍ରୋନ୍ ଉଡ଼ାଇ ଧରାପଡ଼ିଥିଲେ ୪ ବିଦେଶୀ ପର୍ଯ୍ୟଟକ। କେତେବେଳେ ଡ୍ରୋନ୍ ଉଡ଼ୁଛି ପୁଣି କେତେବେଳେ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ଭାଇରାଲ୍ ହୋଇଛି। ଏକାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଧରିଛି ପୁଲିସ୍। ଏହାସତ୍ତ୍ୱେ ବି ନା ପ୍ରଶାସନ ଚେତୁଛି ନା ଏଥିରେ ସଂପୂର୍ଣ୍ଣ ରୋକ୍ ଲଗାଯାଇ ପାରୁଛି। ପରିସ୍ଥିତି ଏମିତି ହେଲାଣି କି ଶ୍ରୀମନ୍ଦିର ଉପରେ ଧ୍ୱଜା ବାନ୍ଧିବାକୁ ଯାଇଥିବା ସେବାୟତ ବି ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଡ୍ରୋନ୍ ପାଇଁ।

Advertisment

ଶ୍ରୀମନ୍ଦିର ପରିସର ହେଉଛି ନୋ ଫ୍ଲାଇଂ ଜୋନ୍। ତଥାପି ସବୁ ନିୟମକୁ ଫୁ’ କରି ଉଡ଼ାଯାଉଛି ଡ୍ରୋନ୍। ଖାଲି ଡ୍ରୋନ୍ ନୁହେଁ, ରିତିମତ ମୋବାଇଲ୍ ବି ପ୍ରବେଶ କରୁଛି ଶ୍ରୀମନ୍ଦିରକୁ। ବେଫିକର୍ ଭାବେ ସୋସିଆଲ୍ ମିଡିଆରେ ଅପଲୋଡ୍ କରାଯାଉଛି ଫଟୋ ଆଉ ଭିଡିଓ। ହେଲେ ଏଭଳି ତ୍ରୁଟି ସବୁ କେମିତି ଘଟୁଛି? ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ ଅଧିକାରୀ କରୁଛନ୍ତି କଣ? ପରିକ୍ରମା ପ୍ରକଳ୍ପ ନିର୍ମାଣ ହେବା ପରେ ଶ୍ରୀମନ୍ଦିର ଚାରିପଟେ ଥିବା ୱାଚ୍ ଟାୱାରକୁ ହଟାଇ ଦିଆଯାଇଛି, ତାହା ବି ଶ୍ରୀମନ୍ଦିର ପ୍ରତି ବିପଦ ବଢ଼ାଇଛି। ଏଥର ସିନା ଡ୍ରୋନ୍ ଉଡ଼ିବା ସମୟର ଭିଡିଓ ମିଳିଲା, ଅନେକ ସମୟରେ ଡ୍ରୋନ୍ ଉଡ଼ିବା ଘଟଣା ବି ଜଣାପଡ଼େନି। ଏପରି ସ୍ଥଳେ ପୁରୀ ଏସପି କହିଛନ୍ତି ତଦନ୍ତ ଚାଲିଛି, ଅଭିଯୁକ୍ତଙ୍କୁ ଧରାଯିବ। ଅପରପକ୍ଷେ, ଶ୍ରୀମନ୍ଦିର ଚାରିପାଖ ପୁଣିଥରେ ୱାଚ୍ ଟାୱାର ନିର୍ମାଣ କରି ସୁରକ୍ଷା କର୍ମୀ ମୁତୟନ କରିବାକୁ ଚିନ୍ତା କରାଯାଉଥିବା ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।

Puri Shreemandir Jagannath Temple Drone Over Puri Temple