/odisha-reporter/media/post_attachments/uploadimage/library/16_9/16_9_0/Drug_1747479363.jpg)
Drug
କେତେକ ବିଶ୍ବବିଦ୍ୟାଳୟରେ ବାରମ୍ବାର ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଏବେ ଅନ୍ୟ ଏକ ଦିଗ ପ୍ରତି ଇଙ୍ଗିତ କରୁଛି। ଅନେକ ଛାତ୍ରଛାତ୍ରୀ ବ୍ରାଉନସୁଗାର, ହେରୋଇନ୍, କୋକେନ୍ ଭଳି ସହଜରେ ମିଳିଯାଉଥିବା ନିଷିଦ୍ଧ ଡ୍ରଗ୍ସ ନେଇ ନିଜର ନିୟନ୍ତ୍ରଣ ହରାଉଛନ୍ତି। ଆଉ କେତେକ କ୍ଷେତ୍ରରେ ଅନିୟନ୍ତ୍ରିତ ଯୌନସଂପର୍କ, ପ୍ରେମରେ ଧୋକ୍କା ଇତ୍ୟାଦି କାରଣରୁ କିଛି ଛାତ୍ରଛାତ୍ରୀ ଆତ୍ମହତ୍ୟା ଆଡ଼କୁ ଟାଣି ହୋଇଯାଉଥିବା ସନ୍ଦେହ କରାଯାଉଛି। ବାରମ୍ବାର ଛାତ୍ରୀ ଆତ୍ମହତ୍ୟା ଘଟଣା ପାଇଁ ଚର୍ଚ୍ଚାରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟ ପାଖ ଛୋଟ ଚା, ପାନ ଦୋକାନ, ଭେରାଇଟି ଷ୍ଟୋରରେ ବି ଡ୍ରଗ୍ସ ଓ ଅନ୍ୟ ନିଶା ସେବନ ପାଇଁ ବ୍ୟବହାର ହେଉଥିବା ଥିନ୍ ରୋଲ୍ ପେପର ମିଳୁଛି। ଷ୍ଟିଙ୍ଗ୍ ଅପରେସନରୁ ଏହି ସତ୍ୟ ପଦାକୁ ଆସିଛି।…
ନିକଟରେ ଦୁଇ ଜଣ ଛାତ୍ରୀଙ୍କ ଆତ୍ମହତ୍ୟା ନେଇ ଚର୍ଚ୍ଚାରେ ଥିବା ଏକ ଶିକ୍ଷାନୁଷ୍ଠାନର ଆଖପାଖ ଅଂଚଳର କିଛି ଭେରାଇଟି ଷ୍ଟୋର, ଛୋଟ ଚା’ ଦୋକାନ ପାଖକୁ ଆମେ ଯାଇଥିଲୁ। ପଚାରିଲୁ ଗୋଗୋ ରୋଲ୍ ପେପର୍ ମିଳିବ? ଭାଙ୍ଗର ତନ୍ତୁରେ ତିଆରି ତିନିଟି ଅତି ପତଳା ପେପର ରହିଥିବା ଗୋଟିଏ ଷ୍ଟ୍ରିପ୍ର ଦାମ ମାତ୍ର 10 ଟଙ୍କା। ଏଥିରେ ବ୍ରାଉନସୁଗାର, କୋକେନ୍ ଓ ହେରୋଇନ୍ ଭଳି ପାଉଡର ରଖି ନାକରେ ସ୍ନୋର୍ଟିଂ କରୁଥିବା ଦେଖିବାକୁ ମିଳୁଛି। କେହି କେହି ଏଭଳି କିଛି ଫଏଲ ବା ଆଲମୁନିୟମ ଫଏଲକୁ ହାଲକା ଗରମ କରି ନାକରେ ଶୋଷୁଥିବା ଦେଖାଯାଉଛି। କେତେକ ଦୋକାନରେ ଆମେ ପ୍ରଶ୍ନ କରିଥିଲୁ- କେଉଁଠି ଏ ଜିନିଷ ଅର୍ଥାତ୍ ପାଉଡର ମିଳିବ? ଉତ୍ତର ଥିଲା- ହଁ ସେ ମନ୍ଦିର ପାଖ ଦୋକାନକୁ ଯାଆନ୍ତୁ ମିଳିଯିବ!
ଧନିକ ଶ୍ରେଣୀର ପିଲାମାନେ ଡ୍ରଗ୍ସ ନେବା ପରେ ଉତ୍ତେଜିତ ହେବା ଓ ପରେ ଲଭ୍, ସେକ୍ସ, ଧୋକାର ଶିକାର ହୋଇ ଆତ୍ମହତ୍ୟା କରୁଥିବା କହିଛନ୍ତି କଂଗ୍ରେସ ନେତା ଅଜୟ କୁମାର ପଣ୍ଡା।
କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ହେଉ, ଅବକାରୀ ବିଭାଗ ହେଉ କି ଗୃହ ମନ୍ତ୍ରଣାଳୟର ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ହେଉ, ଅନେକ ସମୟରେ ସେମାନେ ରାଜଧାନୀରୁ ଡ୍ରଗ୍ସ ପେଡଲର ବା ଚୋରା ଡ୍ରଗ୍ସ ବେପାରୀଙ୍କୁ ଧରିବା ଖବର ଆସିଥାଏ। ତେବେ ଶିକ୍ଷାନୁଷ୍ଠାନ ଆଖପାଖରେ ଏତେ ସହଜରେ ବ୍ରାଉନସୁଗାର, କୋକେନ୍, ହେରୋଇନ୍ ଭଳି ଡ୍ରଗ୍ସ ମିଳିଯାଉଥିବାବେଳେ ଅନେକ ଛାତ୍ରୀ ଓ ଛାତ୍ର କୁପଥର ଶିକାର ହେଉଥିବା ଦେଖାଯାଉଛି। ପରବର୍ତ୍ତୀ ସମୟରେ ଛାତ୍ର-ଛାତ୍ରୀ ବା ସହପାଠୀଙ୍କ ଭିତରେ ଅନ୍ତରଙ୍ଗ ସଂପର୍କ, ସେକ୍ସ, ଧୋକା ଇତ୍ୟାଦି କାରଣରୁ କେତେକ ଛାତ୍ରୀ ଆତ୍ମହତ୍ୟାର ପଥ ବାଛି ନେଉଥିବା ଦେଖାଯାଉଛି। ଡ୍ରଗ୍ସ କେବଳ ଗୋଗୋ ରୋଲ୍ ପେପର ନୁହେଁ, ବିଭିନ୍ନ ବାଟରେ ନିଆଯାଉଛି ବୋଲି କହିଛନ୍ତି `ଜେନେସିସ’ର ପରିଚାଳନା ଟ୍ରଷ୍ଟି ବିଶ୍ବଜିତ୍ ପଣ୍ଡା। ଏ ନେଇ ସଭ୍ୟ ସମାଜ ସଜାଗ ହେବା ଉଚିତ ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ସୂର୍ଯ୍ୟମଣି ତ୍ରିପାଠୀ।
Video edited on Kapwing
(ରିପୋର୍ଟ: ଲକ୍ଷ୍ମୀନାରାୟଣକାନୁନ୍ଗୋ)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
