Advertisment

ମଦ ନିଶାରେ ୮ ବର୍ଷର ପୁଅକୁ ପିଟି ମାରିଦେଲା ମା’!

ମଦ ନିଶାରେ ୮ ବର୍ଷର ପୁଅକୁ ମା’ ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।

author-image
Hemant Lenka
Malkangiri

Malkangiri

ମଦ ଉଜାଡ଼ି ଦେଲା ସଂସାର। ମଦ ନିଶାରେ ୮ ବର୍ଷର ପୁଅକୁ ମା’ ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଳିମେଳା ଥାନା ତୁମ୍ଭାଗୁଡ଼ା ଗାଁରେ।

Advertisment

ଶନିବାର ରାତି ପ୍ରାୟ ୧୧.୩୦ରେ ୱାଗି ପଡ଼ିଆମି ନାମକ ଜଣେ ମହିଳା ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ। ତାଙ୍କ ସ୍ୱାମୀ ମଧ୍ୟ ପ୍ରବଳ ମଦ ପିଇଥିଲେ। ୱାଗି ଘର ଭିତରେ ଶୋଇଥିବା ବେଳେ ତାଙ୍କ ସ୍ୱାମୀ ବାହାରେ ଶୋଇଥିଲେ। ଘର ଭିତରେ ୮ ବର୍ଷର ପୁଅ ମଧ୍ୟ ରହିଥିଲା।

ଦିନ ବେଳା ୮ ବର୍ଷୀୟ ରୋହିତ ବୁଲିବାକୁ ଯାଇଥିବାରୁ ମା’ ୱାଗି ରାତି ବେଳା ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ। ଏପରି କି ତାଙ୍କୁ ବିଧା ଗୋଇଠା ମଧ୍ୟ ମାରିଥିଲେ। ଏହାକୁ ୱାଗିଙ୍କ ସ୍ୱାମୀ ମୁକ ପଡ଼ିଆମି ବିରୋଧ କରିଥିଲେ। କିନ୍ତୁ ଉଭୟ ଏତେ ନିଶାରେ ଥିଲେ ଯେ କିଛି ବି ଜାଣି ପାରି ନଥିଲେ। ରୋହିତ ଚିତ୍କାର କରୁଥିଲେ ମଧ୍ୟ ୱାଗି ମାଡ଼ ମାରିବା ବନ୍ଦ କରି ନେଇଥିଲେ।

Advertisment

ତାଙ୍କୁ ସେ ଏମିତି ମାଡ଼ ମାରିଥିଲେ ଯେ ରୋହିତ ପୂରା ନିସ୍ତେଜ ହୋଇ ଯାଇଥିଲେ। ପୁଅ ଜୀବନ ଚାଲି ଯାଇଥିଲେ ମଧ୍ୟ ନିଶାରେ ଥିବା ମା’ ୱାଗି କିମ୍ବା ଘର ବାହାରେ ଥିବା ମୁକ ପଡ଼ିଆମି କିଛି ବି ଜାଣି ପାରି ନଥିଲେ। ଆଜି ସକାଳୁ ପୁଅ ନ ଉଠିବାରୁ ତା’ର ମୃତ୍ୟୁ ହୋଇ ସାରିଥିବା ତାଙ୍କ ବାପା ମୁକ ଜାଣିବାକୁ ପାଇଥିଲେ।

ପ୍ରଥମେ ସେ ଗାଁରେ ଖବର ଦେଇଥିଲେ। ଗାଁ ଲୋକଙ୍କ ନିର୍ଦ୍ଦେଶକ୍ରମେ ମୁକ ଏନେଇ କାଳିମେଳା ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ସେହିପରି ୱାଗି ପଡ଼ିଆମିଙ୍କୁ ଥାନାକୁ ଆଣି ଅଟକ ରଖିଛି।

ତେବେ ୱାଗି କିଛି କରି ନଥିବା ସଫେଇରେ କହିଛନ୍ତି। ସେ କହିଛନ୍ତି, “ମୁଁ କିଛି ବି କରିନି। ପୁଅର ଦେହ ଭଲ ନଥିଲା। ମୁଁ ଖାଲି ତାକୁ ବାହାରେ ଅଧିକ ବୁଲୁ ଥିବାରୁ ଆକଟ କରିଥିଲି। ସେ ପାଣି ପିଇଲା ବେଳକୁ କଷ୍ଟ ହଉଥିବା କହୁଥିଲା। ତାକୁ ଆଜି ସକାଳେ ଡାକ୍ତରଖାନା ନେବି ବୋଲି କହିଥିଲି। କିନ୍ତୁ ସକାଳ ୭ଟା ବେଳକୁ ତା’ର ମୃତ୍ୟୁ ହୋଇ ଯାଇଛି।”

Malkangiri Odisha