Advertisment

ଚକମା ଖାଇଲେ ରାଜଧାନୀ ମଦୁଆ; ଅସଲି ଭାବି ସରକାରୀ ମଦ ଦୋକାନରୁ ପିଉଥିଲେ ନକଲି ମଦ

ବରମୁଣ୍ଡାରେ ରହିଛି ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ। ସେହି ଦୋକାନରେ ଦୀର୍ଘ ଦିନ ଧରି ନକଲି ମଦ ବିକ୍ରି ହେଉଥିଲା। ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ଆଜି ଅଚାନକ ସେହି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ଚଢ଼ଉ କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Capital

Capital

ମଦୁଆଙ୍କୁ ଚକ୍‌ମା ଦେଲେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ। ଅସଲି କହି ବିକୁଥିଲେ ନକଲି ମଦ। ଆଉ ରାଜଧାନୀ ଭୁବନେଶ୍ୱରର ମଦୁଆ ଦୀର୍ଘ ଦିନ ଧରି ଅସଲି ଭାବି ନକଲି ମଦକୁ ଚାଖଣା ସହିତ ଢକଢକ କରି ପିଇ ଯାଉଥିଲେ। ହେଲେ ଆଜି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀରୁ ନକଲି ମଦ ମିଳିବା ପରେ ମଦୁଆଙ୍କ ଅକଲ ଗୁଡୁମ୍‌ ହୋଇଯାଇଛି। ଆଉ କେଉଁଦିନ କେଉଁବ୍ରାଣ୍ଡର ନକଲି ମଦ ପିଇଥିଲେ, ତାହାର ହିସାବ କରୁଛନ୍ତି।

Advertisment

ବରମୁଣ୍ଡାରେ ରହିଛି ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ। ସେହି ଦୋକାନରେ ଦୀର୍ଘ ଦିନ ଧରି ନକଲି ମଦ ବିକ୍ରି ହେଉଥିଲା। ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ଆଜି ଅଚାନକ ସେହି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବିପୁଳ ପରିମାଣର ନକଲି ମଦ ଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ରହିଛି ଦେଶୀ-ବିଦେଶୀ ହାଇଫାଇ ମଦ ଓ ବିଭିନ୍ନ ବ୍ରାଣ୍ଡର ବିଅର। ଅଭିଯୋଗ ଅନୁସାରେ ନାମୀଦାମୀ ମଦ ବୋତଲର ଲେବୁଲ୍‌ ଓ ଠିପି ଖୋଲାଯାଇ ସେଥିରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ମିଶ୍ରଣ କରାଯାଉଥିଲା। ଆଉ ତା’ପରେ ତାକୁ ଉଚ୍ଚା ଦରରେ ବିକ୍ରି କରାଯାଉଥିଲା। ମଦୁଆମାନେ ନକଲି ଜାଣିନପାରି ଢକ ଢକ କରି ପିଇ ଯାଉଥିଲେ।

ଅବକାରୀ ବିଭାଗ ସେହି ମଦ ଦୋକାନକୁ ଆଜି ସିଲ୍‌ କରିଛି। ଏଥିସହ ମଦ ଦୋକାନରେ ଥିବା ସବୁ ମଦକୁ ଯାଞ୍ଚ କରାଯାଉଛି। ନକଲି ମଦକୁ ଡୋଜର ମଡ଼ାଇ ଭଙ୍ଗା ଯାଉଛି। ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ମଦ ଭଙ୍ଗା ଯାଇଥିବା ଅନୁମାନ କରାଯାଉଛି। ହେଲେ ମଦ ଦୋକାନ ମାଲିକ ଫେରାର ହୋଇଯାଇଛି। ମଦ ଦୋକାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Advertisment

ଅବକାରୀ କମିଶନର ନରସିଂହ ଭୋଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସେ କହିଛନ୍ତି, ଅସଲି ମଦ ପାଇବା ପାଇଁ ଗ୍ରାହକଟିଏ ସରକାରୀ ମଦ ଦୋକାନକୁ ଆସିଥାଏ। ଯାହାକୁ ପିଇଲେ ଶରୀର ପ୍ରତି ବିଶେଷ କିଛି ହାନୀକାରକ ହେବନାହିଁ। ଯଦି ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ଡୁପ୍ଲିକେଟ୍‌ ମଦ ବିକ୍ରି ହୁଏ, ତାହାହେଲେ ତାକୁ ଆମେ ସହ୍ୟ କରିପାରିବୁ ନାହିଁ। ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ସେହି ଦୋକାନରେ ଥିବା ଅରଜିନାଲ୍‌ ମଦ ସମେତ ଡୁପ୍ଲିକେଟ୍‌ ମଦକୁ ନଷ୍ଟ କରିବୁ। ନୂଆ ଆଇନ୍‌ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ସେମାନେ ଯେମିତି ଜେଲ୍‌ ଦଣ୍ଡ ଭୋଗିବେ, ସେହି ଦିଗରେ ପଦକ୍ଷେପ ନିଆଯିବ। ତାଙ୍କର ରାଇସେନ୍ସ ରଦ୍ଦ ପାଇଁ ବ୍ୟବସ୍ଥା କରିବୁ ବୋଲି ଭୋଳ କହିଛନ୍ତି।

ସେ ଆହୁରି କହିଛନ୍ତି, ଆଗାମୀ ଦିନରେ ସବୁ ଲାଇସେନ୍ସପ୍ରାପ୍ତ ଦୋକାନରେ ଯାଞ୍ଚକୁ କଡ଼ାକଡ଼ି କରାଯିବ। ଏଥିସହ ଅଚାନକ ଚଢ଼ଉ କରାଯିବ। ଯେଉଁମାନେ ନକଲି ମଦ ବିକ୍ରି କରୁଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଭୋଳ କହିଛନ୍ତି।

Bhubaneswar Bhubaneswar News Liquor Factory