Advertisment

ଓଡ଼ିଆ ଖଣି ବ୍ୟବସାୟୀଙ୍କ ୨୧ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ଖଣି ବ୍ୟବସାୟୀ ଶକ୍ତିରଞ୍ଜନ ଦାଶ ଓ ସୌମ୍ୟା ସେଫାଳିକା ଦାଶଙ୍କ ମାଲିକାନାରେ ଥିବା କମ୍ପାନୀ ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲମିଟେଡର ବଡ଼ବିଲସ୍ଥିତ ୭ଟି ଜମି ଓ ଫ୍ଲାଟ୍ , ଖୋର୍ଦ୍ଧାରେ ୬ଟି ଜମି, କଟକରେ ଗୋଟିଏ ଆବାସିକ ଫ୍ଲାଟ୍ ଓ ଭୁବନେଶ୍ୱରରେ ୪ଟି ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି ।

author-image
Ordigital Desk
ଅଦ୍ୟତନ ହୋଇଛି
ED

ED

ଓଡ଼ିଆ ଖଣି ବ୍ୟବସାୟୀଙ୍କ ପ୍ରାୟ ୨୧.୧୫କୋଟି ଟଙ୍କାର ୧୮ଟି ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛନ୍ତି। ଭୁବନେଶ୍ୱରର ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଏହି ସମ୍ପତ୍ତିକୁ ଜବତ କରାଯାଇଛି । ହିମାଚଳ ପ୍ରଦେଶର କମ୍ପାନୀ ମେସର୍ସ ଇଣ୍ଡିଆନ ଟେକ୍ନୋମାକ୍ କମ୍ପାନୀ ଲିଃ(ଆଇଟିସିଓଏଲ) ବ୍ୟାଙ୍କ ଋଣ ଅର୍ଥରେ ଜାଲିଆତି କରିବା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

Advertisment

ବ୍ୟାଙ୍କ ଅଫ ଇଣ୍ଡିଆରୁ ୨୦୦୯ରୁ ୨୦୧୩ ମସିହା ମଧ୍ୟରେ ଜାଲିଆତି କରି ଆଇଟିସିଓଏଲ୍ କମ୍ପାନୀ ଆଣିଥିବା ଋଣ ଅର୍ଥକୁ ବେଆଇନ ଭାବେ ନିଜର ଅନ୍ୟ କମ୍ପାନୀ ଓ ଓଡ଼ିଶାର ଅନମୋଲ୍ ଖଣି କମ୍ପାନୀ ସହ ଯୌଥ ଉଦ୍ୟୋଗ ମାଧ୍ୟମରେ ବିନିଯୋଗ କରିଥିବା ଜଣାପଡ଼ିଛି । ହିମାଚଳ ପ୍ରଦେଶ କ୍ରାଇମବ୍ରାଂଚର ଅଭିଯୋଗ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସୂଚନା ଅନୁସାରେ, ଖଣି ବ୍ୟବସାୟୀ ଶକ୍ତିରଞ୍ଜନ ଦାଶ ଓ ସୌମ୍ୟା ସେଫାଳିକା ଦାଶଙ୍କ ମାଲିକାନାରେ ଥିବା କମ୍ପାନୀ ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲମିଟେଡର ବଡ଼ବିଲସ୍ଥିତ ୭ଟି ଜମି ଓ ଫ୍ଲାଟ୍ , ଖୋର୍ଦ୍ଧାରେ ୬ଟି ଜମି, କଟକରେ ଗୋଟିଏ ଆବାସିକ ଫ୍ଲାଟ୍ ଓ ଭୁବନେଶ୍ୱରରେ ୪ଟି ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି । ହିମାଚଳପ୍ରଦେଶ କମ୍ପାନୀ ଇଣ୍ଡିଆନ ଟେକ୍ନୋମେକ୍ କମ୍ପାନୀ ଲିଃ ଦ୍ୱାରା ବ୍ୟାଙ୍କ ଋଣ ଜାଲିଆତିରେ ସମ୍ପୃକ୍ତିକୁ ନେଇ ପ୍ରିଭେନସନ୍ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମଏଲଏ)-୨୦୦୨ର ପ୍ରାବଧାନ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗ୍ରହଣ କରିଛି।

Advertisment

ଇଣ୍ଡିଆନ ଟେକ୍ନୋମେକ୍ କମ୍ପାନୀ ଓ ଏହାର ପ୍ରମୋଟରମାନଙ୍କ ଦ୍ୱାରା ଏହି ବ୍ୟାଙ୍କ ଋଣ ଜାଲିଆତି ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖରେ ହିମାଚଳ ପ୍ରଦେଶ କ୍ରାଇମବ୍ରାଂଚ ପକ୍ଷରୁ ଏଫଆଇଆର ରୁଜୁ ହୋଇଥିଲା । ତଦନ୍ତବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହା ଏକ ସୁସଂଗଠିତ ବ୍ୟାଙ୍କ ଠକେଇ ବୋଲି ଜାଣିବାକୁ ପାଇଥିଲେ । ଇଣ୍ଡିଆନ ଟେକ୍ନୋମେକ୍ ଯେଉଁ ଉଦ୍ଦେଶ୍ୟରେ ଋଣ ଅର୍ଥକୁ ବ୍ୟାଙ୍କ ଅଫ ଇଣ୍ଡିଆରୁ ଆଣିଥିଲା ସେଦିଗରେ ଖର୍ଚ୍ଚ କରିନଥିଲା । ବରଂ ନିଜର ଅନ୍ୟ ଏକ ସହାୟକ କମ୍ପାନୀ ଆଇଟିସିଓଏଲ୍ ହାଇଡ୍ରୋକାର୍ବନ ଲିମିଟେଡ୍ ଏବଂ ଭୁବନେଶ୍ୱର ଅନମୋଲ ମାଇନ୍ସ ଲିଃ ସହ ଯୌଥ ଉଦ୍ୟୋଗ କରି ଏହି ଅର୍ଥ ବିନିଯୋଗ କରିଥିଲା । ଉକ୍ତ ଋଣ ଅର୍ଥକୁ ଜମି କ୍ରୟ, କୋଠା ନିର୍ମାଣ ଆଦିରେ ବିନିଯୋଗ କରାଯାଇଥିଲା ।

ଏହି ଆର୍ଥିକ ଠକେଇ ଅପରାଧରେ ମନିଲଣ୍ଡ୍ରିଂ ଆକ୍ଟରେ ପୂର୍ବରୁ ୨୮୮.୯୧କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିଲା । ଏବେ ଜବତ ସମ୍ପତ୍ତିକୁ ମିଶାଇ ମୋଟ ୩୧୦.୦୬କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ଜଣାପଡ଼ିଛି ।

ED Raid