Advertisment

ଦିଲଜିତ ଓ କୋଲ୍ଡ-ପ୍ଲେ କନ୍ସର୍ଟ ପାଇଁ ଜାଲ ଟିକେଟ ବିକ୍ରି, ୫ ରାଜ୍ୟରେ ଇଡି ଚଢ଼ାଉ

ଦିଲଜିତ ଦୋସାଞ୍ଜ ଓ କୋଲ୍ଡ-ପ୍ଲେ କନ୍ସର୍ଟ ପାଇଁ ଜାଲ ଟିକେଟ ବିକ୍ରି। ଏକା ସାଙ୍ଗରେ ୫ଟି ରାଜ୍ୟରେ ଚଢ଼ାଉ କରିଛି ଇଡି।

author-image
Debadatta Aryashrestha
Dosanjh, Coldplay concerts

Dosanjh, Coldplay concerts

ଭାରତର ପ୍ରଖ୍ୟାତ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ଓ ବ୍ରିଟିଶ ରକ୍ ବ୍ୟାଣ୍ଡ କୋଲ୍ଡ-ପ୍ଲେ କନ୍ସର୍ଟ ପାଇଁ ଜାଲ ଟିକେଟ ବିକ୍ରି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକା ସାଙ୍ଗରେ ୫ଟି ରାଜ୍ୟରେ ଚଢ଼ାଉ କରିଛି। ଦିଲ୍ଲୀ, ମହାରାଷ୍ଟ୍ର (ମୁମ୍ବାଇ), ରାଜସ୍ଥାନ (ଜୟପୁର), କର୍ଣ୍ଣାଟକ (ବେଙ୍ଗାଲୁରୁ) ଏବଂ ପଞ୍ଜାବ (ଚଣ୍ଡିଗଡ଼) ଆଦି ସହରର ୧୩ଟି ସ୍ଥାନରେ ଏକାସାଙ୍ଗରେ ଚଢ଼ାଉ କରିଛି ଇଡି।

Advertisment

ଏନେଇ ଇଡି ଏକ ବିବୃତ୍ତିରେ କହିଛି ଯେ ଏଣ୍ଟ୍ରି ପାସର ଦ୍ରୁତ ବିକ୍ରୟ ପରେ ପ୍ରଶଂସକଙ୍କୁ ଟିକେଟ୍ ବିକ୍ରି ମାଧ୍ୟମରେ ଠକେଇ କରାଯାଉଥିବା ଏକାଧିକ ରିପୋର୍ଟ ପ୍ରକାଶ ପାଇଥିଲା। ଏହିସବୁ ରିପୋର୍ଟ ଆଧାରରେ ଏହାର ତଦନ୍ତ ଆରମ୍ଭ ହୋଇଛି। ଦେଶରେ ଟିକେଟ ବୁକିଂ ପୋର୍ଟାଲ 'ବୁକ୍ ମାଇ ଶୋ' ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ସମେତ ବହୁ ପୁଲିସ୍ ଏଫ୍ଆଇଆର୍ ବିଷୟରେ ଇଡି ଜାଣିବାକୁ ପାଇଛି।

ବାସ୍ତବରେ ୨୬-୨୭ ଅକ୍ଟୋବରରେ ଦିଲ୍ଲୀର ଜବାହରଲାଲ ନେହେରୁ (JLN) ଷ୍ଟାଡିୟମରେ ଦିଲଜିତ ଦୋସାଞ୍ଜଙ୍କ କନସର୍ଟ ଆୟୋଜିତ ହେଉଛି। ଅନ୍ୟପଟେ ଜାନୁଆରୀ ୨୦୨୫ରେ ମୁମ୍ବାଇରେ ଲୋକପ୍ରିୟ ବ୍ରିଟିଶ ରକ୍ ବ୍ୟାଣ୍ଡ କୋଲ୍ଡ-ପ୍ଲେ'ର ଇଭେଣ୍ଟ 'ମ୍ୟୁଜିକ୍ ଅଫ୍ ଦି ସ୍ଫିୟର୍ସ ୱାର୍ଲ୍ଡ ଟୁର୍' ଅନୁଷ୍ଠିତ ହେବ। ଉଭୟ ଇଭେଣ୍ଟ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ସୃଷ୍ଟି କରିଛି। ସେପଟେ କନ୍ସର୍ଟ ଗୁଡ଼ିକର ଆଧିକାରୀକ ଟିକେଟ୍ ପାର୍ଟନର 'ବୁକ୍ ମାଇ ଶୋ' ଏବଂ 'ଜୋମାଟୋ ଲାଇଭ୍' ଅଭିଯୋଗ କରିଛନ୍ତି ଯେ ଟିକେଟ୍ ସେମାନଙ୍କ ପ୍ଲାଟଫର୍ମରେ କିଛି ମିନିଟ୍ ମଧ୍ୟରେ ହିଁ ବିକ୍ରି ହୋଇଯାଇଥିଲା, ଯାହାଫଳରେ ଟିକେଟ୍ ବିପୁଳ ଟଙ୍କାରେ କଳାବଜାରୀ ହୋଇଥିଲା। ଅନେକ ରିପୋର୍ଟରେ ପ୍ରଶଂସକମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ନକଲି ଟିକେଟ୍ ବିକ୍ରି କରାଯାଇଛି କିମ୍ବା ବୈଧ ଟିକେଟ୍ ପାଇଁ ଅତ୍ୟଧିକ ମୂଲ୍ୟ ସେମାନଙ୍କଠାରୁ ନିଆଯାଇଛି।

Advertisment

ମନି ଲଣ୍ଡରିଂ ଆକ୍ଟ (PMLA), ୨୦୦୨ ଅଧୀନରେ ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ ଏବଂ ପଞ୍ଜାବ ଭଳି ୫ ରାଜ୍ୟର ୧୩ରୁ ଅଧିକ ସ୍ଥାନରେ ଚଢ଼ାଉ କରି ତଦନ୍ତ ଆରମ୍ଭ କରିଛି ଇଡି। ଏହି ଚଢ଼ାଉ ସମୟରେ ସ୍କାମରେ ବ୍ୟବହୃତ ମୋବାଇଲ୍ ଫୋନ୍, ଲାପଟପ୍, ସିମ୍ କାର୍ଡ ଇତ୍ୟାଦି ଅନେକ ସାମଗ୍ରୀ ଜବତ ମଧ୍ୟ କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ଇଡି କହିଛି।

Diljit Dosanjh Ticket Scam Coldplay