Advertisment

କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?

ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।

ଅଦ୍ୟତନ ହୋଇଛି
Cyber fraud

Cyber fraud

Advertisment

ଦିନକୁ ଦିନ ସାଇବର ଅପରାଧୀମାନେ ସବୁ ସୀମା ଟପିବାରେ ଲାଗିଛନ୍ତି। ସେମାନେ ବିଭିନ୍ନ କୌଶଳ କରି ଲୋକଙ୍କୁ ସର୍ବଶ୍ୱାନ୍ତ କରୁଛନ୍ତି। ଅନେକ ସଚେତନା ସତ୍ତ୍ୱେ ସାଇବର ଠକଙ୍କ ଜାଲରେ ଲୋକମାନେ ଫସି କୋଟି କୋଟି ଟଙ୍କା ହରାଇ ଚାଲିଛନ୍ତି। ହେଲେ ଏବେ ସାଇବର ଅପରାଧୀଙ୍କ ଭୟଙ୍କର କାରନାମା ଯୋଗୁ ଜଣେ ବୟସ୍କ ଦମ୍ପତି ଆତ୍ମହତ୍ୟା କରିବା ସମସ୍ତଙ୍କୁ ଚକିତ କରି ଦେଇଛି। ପୂର୍ବରୁ କେବେ ହେଲେ ଏପରି ଘଟଣା ସାମ୍ନାକୁ ଆସି ନଥିଲା। 

Advertisment

ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ। ଶେଷରେ ନିର୍ଯାତନା ଅସହ୍ୟ ହେବାରୁ କର୍ଣ୍ଣାଟକାର ବେଲାଗାଭି ଜିଲ୍ଲା ଅନ୍ତର୍ଗତ ଖାନାପୁର ତାଲୁକାରେ ରହୁଥିବା ବୟସ୍କ ଦମ୍ପତି ଜୀବନ ହାରିଛନ୍ତି।

୮୨ ବର୍ଷୀୟ ଡି ସନତାନ ନାଜରେଥ ଓ ତାଙ୍କର ୭୯ ବର୍ଷୀୟ ପତ୍ନୀ ଫ୍ଲାଭିଆନା ବେଡି ଗାଁରେ ରୁହନ୍ତି। ସେମାନଙ୍କର କୌଣସି ପିଲା ଛୁଆ ନଥିଲେ। ପୁଲିସ୍‌ ସେମାନଙ୍କ ଘରକୁ ଗୋଟିଏ ହାତ ଲେଖା ଚିଠି ଜବତ କରିଛି। ଏଥିରେ ଦମ୍ପତି ସେମାନଙ୍କ ଜୀବନ ହାରିବାର କାରଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିସହ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ ନ କରିବାକୁ ଅନୁରୋଧ କରିଛନ୍ତି। ସେମାନେ କାହାର ଦୟାର ପାତ୍ର ହୋଇ ବଞ୍ଚିବାକୁ ଚାହୁଁ ନଥିବା ମଧ୍ୟ ଚିଠିରେ ଲେଖିଛନ୍ତି।

Advertisment

ପୂରା ଘଟଣା ଗୁରୁବାର ଦିନ ସାମ୍ନାକୁ ଆସିଥିଲା। ନାଜରେଥ ଓ ଫ୍ଲାଭିଆନା ଘରୁ ବାହାରୁ ନଥିବାରୁ ପଡ଼ୋଶୀମାନେ ସେମାନଙ୍କ ଘରକୁ ଯାଇଥିଲେ। ପ୍ରଥମେ ସେମାନେ ଫ୍ଲାଭିଆନାଙ୍କ ନିସ୍ତେଜ ମୃତଦେହକୁ ବେଡରୁ ଠାବ କରିଥିଲେ। ଏହାପରେ ନାଜରେଥଙ୍କ ମୃତଦେହ ଘରର ଅଣ୍ଡର ଗ୍ରାଉଣ୍ଡ ପାଣି ଟାଙ୍କି ମଧ୍ୟରୁ ମିଳିଥିଲା।

ନାଜରେଥ ‌ଏକଦା ମହାରାଷ୍ଟ୍ର ସଚିବାଳୟରେ କାମ କରୁଥିଲେ। ସେ ଅବସର ନେବା ପରେ ପତ୍ନୀଙ୍କ ସହ ରହୁଥିଲେ। ତାଙ୍କ ବେକରେ କ୍ଷତ ଚିହ୍ନ ରହିଛି। ହାତର ଶିରା ମଧ୍ୟ କଟି ଯାଇଛି। ପ୍ଲାଭିଆନା ବିଷ ପିଇ ଜୀବନ ହାରିଥିବା ଆଶଙ୍କା କରାଯାଉଛି। କିନ୍ତୁ ପୁଲିସ୍‌ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଶବବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ନିଜର ସୁଇସାଇଡ ନୋଟରେ ନାଜରେଥ ଦୁଇ ଜଣ ବ୍ୟକ୍ତି ସୁମିତ ବିରା ଓ ଅନୀଲ ଯାଦବର ନାଁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ସୁମିତ ନିଜକୁ ନୂଆଦିଲ୍ଲୀର ଟେଲିକମ ବିଭାଗର ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କୁ ଯୋଗାଯୋଗ କରିଥିଲା। ବେଆଇନ ଭାବେ ତାଙ୍କ ନାଁରେ ଗୋଟିଏ ସିମ କିଣାଯାଇଛି। ଏହି ସିମକୁ ବିଭିନ୍ନ ପ୍ରକାରର ବେଆଇନ କାମ ଓ ବେଆଇନ ବିଜ୍ଞାପନ ପାଇଁ ବ୍ୟବହାର କରାଯାଇଛି।

ହତ୍ୟା ଭଳି ଅପରାଧ ପାଇଁ ସିମକୁ ବ୍ୟବହାର କରାଯାଇଥିବା ସୁମିତ ଠାରୁ ଶୁଣି ନାଜରେଥ ପୂରା ଡରି ଯାଇଥିଲେ। ଏହାପରେ ସୁମିତ ଉକ୍ତ କଲକୁ ଅନୀଲକୁ ଟ୍ରାନ୍ସଫର କରିଥିଲେ। ଅନୀଲ ନିଜକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚର ଅଧିକାରୀର ପରିଚୟ ଦେଇ ନାଜରେଥଙ୍କ ସହ କଥା ହୋଇଥିଲା। କଥାବାର୍ତ୍ତା ସମୟରେ ଅନୀଲ ବେଶ ଚତୁରତାର ସହ ନାଜରେଥଙ୍କ ସମ୍ପତ୍ତି ଓ ଆର୍ଥିକ ସ୍ଥିତିର ତଥ୍ୟ ନେଇଯାଇଥିଲା। ଏହାପରେ ସିମ କାର୍ଡ ବେଆଇନ ଭାବେ ବ୍ୟବହାର କରାଯାଇଥିବା କଥା କହି ତାଙ୍କୁ ଗିରଫଦାରୀର ଧମକ ଦେଇଥିଲା।

ଏସବୁ ଭିତରେ ନାଜରେଥ ସାଇବର ଠକଙ୍କ ଜାଲରେ ଏକପ୍ରକାରର ଫସି ସାରିଥିଲେ। ଏହାର ଫାଇଦା ଉଠାଇ ପ୍ରଥମେ ଅନୀଲ ମାମଲାକୁ ରଫାଦଫା କରିବା ପାଇଁ ୫ ଲକ୍ଷ ଟଙ୍କା ମାଗିଥିଲା। ନାଜରେଥ ଓ ତାଙ୍କ ପତ୍ନୀ ତୁରନ୍ତ ଟଙ୍କା ପଠାଇ ଦେଇଥିଲେ। ହେଲେ ଟଙ୍କା ପାଇବା ପରେ ସାଇବର ଠକମାନଙ୍କ ନିର୍ଯାତନା ଥମି ନଥିଲା। ସେମାନେ ବାରମ୍ବାର ଧମକ ଦେଇ ନାଜରେଥ ଓ ଫ୍ଲାଭିଆନାଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ପୁଲିସ୍‌ ଡିଜିଟାଲ ନେଣଦେଣ ରେକର୍ଡରୁ ଜାଣିବାକୁ ପାଇଛି।

ନାଜରେଥ ସାଇବର ଠକମାନଙ୍କୁ ଟଙ୍କରା ଦେବା ପାଇଁ ବନ୍ଧୁମାନଙ୍କ ଠାରୁ ଋଣ କରିଥିଲେ। ତେଣୁ ପତ୍ନୀଙ୍କ ସୁନା ଚୁଡ଼ି ଓ କାନ ଫୁଲକୁ ବିକ୍ରି କରି ସେମାନଙ୍କ ଋଣ ସୁଝି ଦେବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି। ସେ ଚିଠିରେ ଲେଖିଛନ୍ତି, “ଏବେ ମୋ ବୟସ ୮୨। ମୋ ପତ୍ନୀ ୭୯ ବର୍ଷରେ ପାଦ ଦେଇଛନ୍ତି। ଆମକୁ ସହାୟତା କରିବା ପାଇଁ କେହି ନାହାନ୍ତି। ଆମେ କାହାର ଦୟାରେ ବଞ୍ଚିବାକୁ ଚାହୁଁନାହୁଁ। ତେଣୁ ଆମେ ଏପରି ଚମର ନିଷ୍ପତ୍ତି ନେଉଛୁ।”

ଚିଠିରେ ନାଜରେଥ ସେମାନଙ୍କ ମୃତଦେହକୁ ପିଲାମାନଙ୍କ ପାଠପଢ଼ା ପାଇଁ ଗୋଟିଏ ମେଡିକାଲ ଇନଷ୍ଟିଚ୍ୟୁଟକୁ ଦାନ କରି ଦେବାକୁ ଅନୁରୋଧ କରିଛନ୍ତି। ପୁଲିସ ଏବେ ନାଜରେଥଙ୍କ ମୋବାଇଲ ଫୋନ, ଛୁରୀ ଓ ସୁଇସାଇଡ ନୋଟକୁ ଜବତ କରି ଅଧିକ ତଦନ୍ତ କରୁଛି।

Karnataka Cyber Crime Cyber Fraud Cyber Cheating
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe