Advertisment

ବିଦ୍ୟୁତ ତାର ବିଛାଇ ହାତୀକୁ ମାରିଦେଲେ!

ଗାଁ ମୁଣ୍ଡରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି। ଆଜି ସକାଳେ ଗାଁ ଲୋକେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବେତନଟୀ ରେଞ୍ଜ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତଦେହ ଜବତ କରିଛି।

author-image
Manoranjan Sial
Elephant

Elephant

ବିଦ୍ୟୁତ ତାର ବିଛାଇ ହାତୀକୁ ମାରିଦେଲେ! ଆଜି ଏପରି ଖବର ମୟୂରଭଞ୍ଜ ଜିଲ୍ଲାରୁ। ବନ ବିଭାଗ ହାତୀର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ କିଏ ପଡ଼ିଆରେ ବିଦ୍ୟୁତ ତାର ବିଛାଇଲା, ତାହା ଉପରେ ବନ ବିଭାଗ ତଦନ୍ତ ଚଳାଇଛି।

Advertisment

ବେତନଟୀ ରେଞ୍ଜ କୁରାଢିକ ଗାଁ ମୁଣ୍ଡରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି। ଆଜି ସକାଳେ ଗାଁ ଲୋକେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବେତନଟୀ ରେଞ୍ଜ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତଦେହ ଜବତ କରିଛି। ମୃତ ହାତୀଟି ମାଈ ହାତୀ। ବୟସ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପାରିପାର୍ଶ୍ୱିକ ସ୍ଥିତିରୁ ହାତୀଟି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ହାତୀ ଶୁଣ୍ଢରେ ବିଦ୍ୟୁତ ତାର ଲାଗିଥିବା ଦେଖିବାକୁ ମିଳିଛି। ତେବେ ଗାଁ ମୁଣ୍ଡରେ ଖୋଲା ପଡ଼ିଆକୁ ବିଦ୍ୟୁତ ତାର କେଉଁଠୁ ଆସିଲା ଓ କିଏ ବିଦ୍ୟୁତ ତାର ଟାଣିଲା ତାହା ଏବେ ତଦନ୍ତର ବିଷୟ।

ଦିନକୁ ଦିନ ଜଙ୍ଗଲ ଅବକ୍ଷୟ ହେଉଛି। ଯେଉଁଥିପାଇଁ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଗ୍ରାମାଭିମୁଖୀ ହେଉଛନ୍ତି। ଆଉ ଚାଷ ଜମି ନଷ୍ଟ କରୁଛନ୍ତି। ଯେତେ ଖାଉଛନ୍ତି ଦୁଇ ଗୁଣା ଦଳି ଚକଟି ନଷ୍ଟ କରିଦେଉଛନ୍ତି। ଯେଉଁଥିପାଇଁ ଚାଷୀମାନେ ବିଦ୍ୟୁତ ତାର ବିଛାଇଥିବା ଅନୁମାନ କରାଯାଉଛି।

Advertisment

ସେପଟେ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଏକ କମିଟି ଗଠନ ହୋଇଛି। ଏହି ଟିମ୍‌ ହାତୀଙ୍କ ଗତିବିଧି ଉପରେ ନଜର ରଖିବ। ହାତୀମାନେ ଗ୍ରାମାଭିମୁଖି ହେଲେ ବିଦ୍ୟୁତ ବିଭାଗ ବିଜୁଳି ସରବରାହ ବନ୍ଦ ରଖିବାର ନିୟମ ରହିଛି। ହେଲେ କୁରାଢିକରେ କେଉଁ ପରିସ୍ଥିତିରେ ବିଦ୍ୟୁତ କାଟ କରାଯାଇନଥିଲା, ତାହା ତଦନ୍ତ ସାପେକ୍ଷ। ଅନ୍ୟପକ୍ଷରେ ହାତୀ ଘୋଡାଇବାକୁ ଟିମ୍‌ ରହିଛି। ହାତୀ ଗତିବିଧି ଲକ୍ଷ୍ୟ କରିବାକୁ ଗଜ ସାଥୀ ରହିଛନ୍ତି। ହାତୀ ଯେତେବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା, ସେତେବେଳେ ସେମାନେ କ’ଣ କରୁଥିଲେ।

ବାରିପଦା ଡିଏଫଓ କହିଛନ୍ତି, ଘଟଣା ସ୍ଥଳକୁ ବିଦ୍ୟୁତ ବିଭାଗକୁ ଡ଼କା ଯାଇଛି। କେଉଁ ପରିସ୍ଥିତିରେ ବିଦ୍ୟୁତ କାଟ କରାଯାଇନଥିଲା ତାହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Elephant Death Baripada Elephant