Advertisment

କୁନି ଝିଅକୁ ଧରି ଫେରୁଥିଲେ ମାଆ, କ୍ରସ୍‌ ଫାୟାରିଂରେ ବାଜିଲା ନକ୍ସଲଙ୍କ ଗୁଳି

ନକ୍ସଲ ଓ ଯବାନଙ୍କ କ୍ରସ୍‌ଫାୟାରିଂ ଚକ୍ରବ୍ୟୂହରେ ଫସିଗଲେ ମାଆ ଓ ଝିଅ। ଆଉ ଆଖି ପିଛୁଳାକେ ନକ୍ସଲଙ୍କ ବନ୍ଧୁକରୁ ବାହାରିଥିବା ଗୋଟିଏ ଗୁଳି ମହିଳାଙ୍କ କାଖରେ ଥିବା ୬ ମାସର ଝିଅ ଦେହରେ ବାଜିଥିଲା।

author-image
Manoranjan Sial
Army

Naxal

ସଞ୍ଜ ନଇଁ ଆସୁଥିଲା। ପଶ୍ଚିମ ଆକାଶରେ ଅସ୍ତଗାମୀ ଯାଉଥିଲେ ସୂର୍ଯ୍ୟ। ବାଘୁଆ ଶୀତ ମାଡ଼ି ଆସୁଥିବାରୁ ତର ତର ହୋଇ କାଖରେ ଝିଅକୁ ଧରି ଘରକୁ ଫେରୁଥିଲେ ଜଣେ ମାଆ। ଘରକୁ ଫେରୁଥିବାରୁ ସେ ଅବଚେତନା ଅବସ୍ଥାରେ ଥିଲେ। ଘର ପଞ୍ଚିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା। ହଠାତ୍‌ କାଖରେ ଥିବା କୁନି ଝିଅ ଦେହରେ ବାଜିଲା ଗୁଳି। ରକ୍ତ ରଞ୍ଜିତ ହୋଇଗଲା ମାଆର କାଖ। ମୁହଁ ମୋଡ଼ି ଅନାଇଲା ବେଳକୁ ଶୁଣୁଥିଲେ ନକ୍ସଲଙ୍କ ଅନ୍ଧାଧୂନ୍‌ ଫାୟାରିଂ ଶବ୍ଦ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅର ଜୀବନ ବଞ୍ଚାଇବା ପାଇଁ ବିକଳରେ ଧାଇଁଥିଲେ ମାଆ। ସେହି ସମୟରେ ନକ୍ସଲଙ୍କର ଆଉ ଗୋଟିଏ ଗୁଳି ବାଜିଥିଲା ତାଙ୍କ ଦେହରେ। ଯବାନମାନେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି।

Advertisment

ଛତିଶଗଡ଼ ବିଜାପୁର ଜିଲ୍ଲା ମୁତୁଆଣ୍ଡି ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ସୂଚନା ମିଳିଥିଲା। ଏ ସମ୍ପର୍କରେ ଜାଣିପାରି ଆଜି ସକାଳେ ସିଆର୍‌ପିଏଫ୍‌ ଓ ଡିଆର୍‌ଜି ଯବାନମାନେ କମ୍ୱିଂ ଅପରେଶନ୍‌ରେ ଯାଇଥିଲେ। ଦିନ ତମାମ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେଶନ୍‌ କରିଥିଲେ। ତେବେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଜଙ୍ଗଲ ପାର୍ଶ୍ୱରେ ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇ ଥିଲେ। ତାହାର ଜବାବ ଦେଇଥିଲେ ସିଆର୍‌ପିଏଫ୍‌ ଓ ଡିଆର୍‌ଜି ଯବାନ। ଘମାଘୋଟ୍‌ ଚାଲିଥିଲା କ୍ରସ୍‌ ଫାୟାରିଂ।

ନକ୍ସଲ ଓ ଯବାନଙ୍କ କ୍ରସ୍‌ଫାୟାରିଂ ଚକ୍ରବ୍ୟୂହରେ ଫସିଗଲେ ମାଆ ଓ ଝିଅ। ଆଉ ଆଖି ପିଛୁଳାକେ ନକ୍ସଲଙ୍କ ବନ୍ଧୁକରୁ ବାହାରିଥିବା ଗୋଟିଏ ଗୁଳି ମହିଳାଙ୍କ କାଖରେ ଥିବା ୬ ମାସର ଝିଅ ଦେହରେ ବାଜିଥିଲା। ଆଉ ଗୋଟିଏ ଗୁଳି ମହିଳା ହାତରେ ବାଜିଥିଲା। ଅତି ସତର୍କତାର ସହିତ ଯବାନମାନେ ମାଆ ଓ ଛୁଆଙ୍କୁ ଉଦ୍ଧାର କରିଥିଲେ। ସେହି ସମୟରେ ଦୁଇ ଡିଆର୍‌ଜି ଯବାନ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ପୁଲିସ୍‌ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଛୁଆକୁ ମୃତ ଘୋଷଣା କରାଯାଇଥିଲା। ଦୁଇ ଯବାନ ଓ ମହିଳା ବର୍ତ୍ତମାନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment

ଅନ୍ୟପକ୍ଷରେ ଯବାନଙ୍କ ଗୁଳିରେ ଭୈରମଗଡ଼ ଏରିଆ କମିଟି ସଚିବ ଚନ୍ଦ୍ରନ୍ନା ଓ ତାଙ୍କର କିଛି ସାଥୀ ଆହତ ହୋଇଛି। ହେଲେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଛନ୍ତି। ଉକ୍ତ ଜଙ୍ଗଲରେ କମ୍ୱିଂ ଅପରେଶନ୍‌କୁ ଜୋରଦାର କରାଯାଇଛି।

ରିପୋର୍ଟ- ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri Naxal Attack