Advertisment

DMF ଫଣ୍ଡ ଲୁଟ୍‌ ଘଟଣାର ଖୋଲୁଛି ଖିଅ, ମଧ୍ୟପ୍ରଦେଶରୁ ଧରା ପଡ଼ିଲା ଠକଙ୍କ ସର୍ଦ୍ଦାର

ପିଟି କନ୍‌ଷ୍ଟ୍ରକ୍‌ସନ୍‌ ଆଣ୍ଡ ସପ୍ଲାୟର୍ସ ନାଁରେ ରାୟପୁରରେ ଗୋଟିଏ ଫାର୍ମ କରିଥିଲେ ପୋମେଶ୍‌ ତେମ୍ଭାରେ। ତାଙ୍କ ଘର ହେଉଛି ମଧ୍ୟପ୍ରଦେଶର କିରଣପୁର ଥାନା ଅଞ୍ଚଳର ନକ୍ସପ୍ରବଣ ବାଙ୍ଗଳିଟୋଲା ଗାଁରେ।

author-image
Manoranjan Sial
ଅଦ୍ୟତନ ହୋଇଛି
EOW

EOW

ମୟୂରଭଞ୍ଜରେ DMF ଫଣ୍ଡରୁ ଟଙ୍କା ହଡପ୍‌ ମାମଲାର ଗୁମର ଫିଟୁଛି। ମଧ୍ୟପ୍ରଦେଶରୁ ଧରା ପଡ଼ିଛି ଠକର ସର୍ଦ୍ଦାର। EOW ପିଟି କନ୍‌ଷ୍ଟ୍ରକ୍‌ସନ୍‌ ଆଣ୍ଡ ସପ୍ଲାୟର୍ସର ମାଲିକକୁ ଗିରଫ କରିଛି। ଏଥିସହ ଲୁଟ୍‌ ହୋଇଥିବା ଟଙ୍କାକୁ ଫ୍ରିଜ୍‌ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତକୁ ଜୋରଦାର କରିଛି EOW।

Advertisment

ପିଟି କନ୍‌ଷ୍ଟ୍ରକ୍‌ସନ୍‌ ଆଣ୍ଡ ସପ୍ଲାୟର୍ସ ନାଁରେ ରାୟପୁରରେ ଗୋଟିଏ ଫାର୍ମ କରିଥିଲେ ପୋମେଶ୍‌ ତେମ୍ଭାରେ। ତାଙ୍କ ଘର ହେଉଛି ମଧ୍ୟପ୍ରଦେଶର କିରଣପୁର ଥାନା ଅଞ୍ଚଳର ନକ୍ସପ୍ରବଣ ବାଙ୍ଗଳିଟୋଲା ଗାଁରେ। ସେ ନିଜର ସହଯୋଗୀଙ୍କ ମାଧ୍ୟମରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୁରୁଣା ଚେକ୍‌ ବୁକ୍‌ର ଡୁପ୍ଲିକେଟ୍‌ କରିଥିଲେ। ଆଉ ସେହି ଫେକ୍‌ରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ନାଁରେ ଡୁପ୍ଲିକେଟ୍‌ ଦସ୍ତଖତ କରାଯାଇଥିଲେ। ତା’ପରେ ସେହି ଚେକ୍‌କୁ ବାରିପଦାରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଗତ ୧୦ ଓ ୧୮ ତାରିଖରେ ଜମା କରାଇଥିଲେ।

ବ୍ୟାଙ୍କ କର୍ତ୍ତୃପକ୍ଷ ଅସଲି ଚେକ୍‌ ଭାବି ଜିଲ୍ଲା ପ୍ରଶାସନର District Mineral Foundation(DMF) ଆକାଉଣ୍ଟରୁ ୯ କୋଟି ୫୬ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ସେହି ସବୁ ଟଙ୍କା ପିଟି କନ୍‌ଷ୍ଟ୍ରକ୍‌ସନ୍‌ ଆଣ୍ଡ ସପ୍ଲାୟର୍ସ ଓ ଏସ୍‌କେ ଏଣ୍ଟ୍ରପ୍ରାଇଜେସ୍‌ର ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା। ଟଙ୍କା ଟ୍ରାନ୍ସଫର ହେବା ପରେ ପୋମେଶ୍‌ ତେମ୍ଭାରେ ସେହି ଟଙ୍କାକୁ ୩୩ ବିଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ତେବେ ଏହି ମାମଲା ଥାନାକୁ ଯାଇଥିବା ଜାଣି ଫାର୍ମରେ ତାଲା ପକାଇ ପୋମେଶ୍‌ ତେମ୍ଭାରେ ଚମ୍ପଟ ମାରିଥିଲେ। ପୋମେଶ୍‌ ତେମ୍ଭାରେ ନିଜ ଗାଁ ନିକ୍ସଲ ପ୍ରବଣ ବାଙ୍ଗଳିଟୋଲାକୁ ପଳାଇ ଯାଇଥିଲେ।

Advertisment

ସେପଟେ ଏତେବଡ଼ ଫ୍ରଡ୍‌ ବିଷୟରେ ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିପାରି ବାରିପଦା ଟାଉନ୍‌ର ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୯ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଜାଣି ଜିଲ୍ଲା ପୁଲିସ୍‌ ମାମଲାର ତଦନ୍ତ ପାଇଁ EOWକୁ ଦେଇଥିଲେ। ଏହାପରେ EOW ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ଟିମ୍‌ ରାୟପୁରରେ ଥିବା ପିଟି କନ୍‌ଷ୍ଟ୍ରକ୍‌ସନ୍‌ ଆଣ୍ଡ ସପ୍ଲାୟର୍ସ ଅଫିସ୍‌କୁ ଯାଇଥିଲେ। ସେଠାରେ ପୋମେଶ୍‌ ତେମ୍ଭାରେଙ୍କ ସମ୍ପର୍କରେ ସୂଚନା ପାଇଥିଲା। ଏହା ପରେ EOWର ସ୍ୱତନ୍ତ୍ର ଟିମ୍‌ କିରଣପୁର ଥାନା ସହ ଯୋଗାଯୋଗ କରିଥିଲା। EOW ଓ ପୁଲିସ୍‌ ମିଳିତ ଭାବେ ଚଢ଼ଉ କରି ପୋମେଶ୍‌ ତେମ୍ଭାରେଙ୍କୁ ତାଙ୍କ ଘରୁ ଗିରଫ କରିବାରେ ସଫଳ ହୋଇଥିଲା।

ଠକେଇ ହୋଇଥିବା ୯ କୋଟି ୫୬ ଲକ୍ଷ ଟଙ୍କା ଭିତରୁ ୫ କୋଟି ୪ ଟଙ୍କାକୁ EOW ବ୍ଲକ୍‌ କରିଛି। ୩୩ଟି ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ୧୩ ଲକ୍ଷ ୫୬ ହଜାର ଟଙ୍କାକୁ ଫ୍ରିଜ୍‌ କରିଛି EOW। ଏହି ମାମଲାରେ ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି। ଘଟଣାର ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନେ ଗିରଫ ହେବେ। ଏଥିସହ ବ୍ୟାଙ୍କରେ ଚେକ୍‌ ଜମା କରିଥିବା ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି EOW କହିଛି।

Baripada