ଇଓଡବ୍ଲ୍ୟୁ ପୁଣି ଜାରି କଲା ପ୍ରେସ୍ ରିଲିଜ୍, କହିଲା ବ୍ୟାଙ୍କ ଋଣ ସ୍କାମ୍ ସୁଚିନ୍ତିତ

ଆଜି ଇଓଡବ୍ଲ୍ୟୁ ଦ୍ୱାରା ଜାରି ପ୍ରେସ୍ ରିଲିଜରେ ଦର୍ଶାଯାଇଛି ଯେ ଏବେସୁଦ୍ଧା ଅନେକ ପ୍ରମୁଖ ସାକ୍ଷୀଙ୍କୁ ପଚରାଉଚୁରା କରାଯାଇଛି । ବ୍ୟାଙ୍କ ଋଣ ସ୍କାମର ଶୈଳୀ ସମ୍ପର୍କରେ ସେମାନେ ତଥ୍ୟ ଦେଇଛନ୍ତି ।

ଅର୍ଥନୈତିକ ଅପରାଧ ଶାଖା

  • Published: Tuesday, 19 September 2023
  • , Updated: 19 September 2023, 10:12 PM IST

ବିଜେଡିର ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ସରକାରୀ ଚାପ ବଢ଼ିବାରେ ଲାଗିଛି । ଅର୍ଥନୀତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଆଜି ଦ୍ୱିତୀୟ ଦିନ ପ୍ରେସ୍ ରିଲିଜ୍ ଜାରି କରି ସୌମ୍ୟଙ୍କ ମାଲିକାନାରେ ଥିବା ସମ୍ବାଦ/ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ଦ୍ୱାରା ସୁଚିନ୍ତିତ ବ୍ୟାଙ୍କ ଋଣ ସ୍କାମ ହୋଇଛି ବୋଲି କହିଛି । ଗତକାଲି ଜାରି କରିଥିବା ପ୍ରେସ୍ ରିଲିଜରେ ଇଓଡବ୍ଲ୍ୟୁ ସୌମ୍ୟରଞ୍ଜନଙ୍କ ସମେତ କମ୍ପାନୀର ମାନବସମ୍ବଳ ଅଧିକାରୀ ବୈଜୟନ୍ତୀ କର ଓ ଅନ୍ୟମାନଙ୍କ ବିରୁଦ୍ଧରେ ଆଇପିସିର ୫୦୬,୪୬୭,୪୭୧,୪୨୦,୧୨୦-ବିରେ ମାମଲା ରୁଜୁ ହୋଇଛି ବୋଲି ଉଲ୍ଲେଖ କରିଥିଲା ।

ଆଜି ଇଓଡବ୍ଲ୍ୟୁ ଦ୍ୱାରା ଜାରି ପ୍ରେସ୍ ରିଲିଜରେ ଦର୍ଶାଯାଇଛି ଯେ ଏବେସୁଦ୍ଧା ଅନେକ ପ୍ରମୁଖ ସାକ୍ଷୀଙ୍କୁ ପଚରାଉଚୁରା କରାଯାଇଛି । ବ୍ୟାଙ୍କ ଋଣ ସ୍କାମର ଶୈଳୀ ସମ୍ପର୍କରେ ସେମାନେ ତଥ୍ୟ ଦେଇଛନ୍ତି । ଇଓଡବ୍ଳ୍ୟୁ ମଧ୍ୟ ଗତ ଅଳ୍ପ ଦିନ ମଧ୍ୟରେ ସମ୍ବାଦ କାର୍ଯ୍ୟାଳୟରୁ ବ୍ୟାଙ୍କ ଋଣ ସଂକ୍ରାନ୍ତ ଅନେକ ବିଶ୍ୱସନୀୟ ଦସ୍ତାବିଜ ଜବତ ଓ ସଂଗ୍ରହ କରିଛି । ଏସବୁ ଦସ୍ତାବିଜର ତଦନ୍ତ ପରେ ବିପୁଳ ପରିମାଣର ଯୋଜନାବଦ୍ଧ ବ୍ୟାଙ୍କ ଋଣ ସ୍କାମ ହୋଇଥିବା ଜଣାପଡ଼ିଛି । ଜାଲି ଦସ୍ତାବିଜ ଦେଇ କୋଟି କୋଟି ଟଙ୍କାର ଋଣ ଅନୁମୋଦନ ହୋଇଛି । ଏବେସୁଦ୍ଧା ୩୫୦ଜଣରୁ ଅଧିକ ସମ୍ବାଦ କର୍ମଚାରୀଙ୍କ ନାଁରେ ନୟାପଲ୍ଲୀସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଋଣ ନିଆଯାଇଛି ।

ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଓ ଅନ୍ୟାନ୍ୟ ବ୍ୟାଙ୍କରୁ ଋଣ ନିଆଯାଇଥିବ ଏପର୍ଯ୍ୟନ୍ତ ଯାଂଚ ସରିନି । ତେଣୁ ଏହି ସଂଖ୍ୟା ବହୁଅଧିକ ହେବାର ସମ୍ଭାବନା ଅଛି । ସମସ୍ତ ଋଣ ଗୋଟିଏ ଶୈଳୀରେ ହୋଇଛି । ବ୍ୟାଙ୍କରୁ ଘର ମରାମତି ଓ ଘର ତିଆରି ନାଁରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଅଣାଯାଇଛି । ଜାଲ ଦରମା ପ୍ରମାଣପତ୍ର ସମ୍ବାଦ କର୍ତ୍ତୃପକ୍ଷ ଦାଖଲ କରି ଏହି ଋଣ ଆସିଛି । କର୍ମଚାରୀମାନେ ଯେତିକି ବାସ୍ତବରେ ଦରମା ପାଉଥିଲେ ତା’ର ପ୍ରାୟ ଦୁଇଗୁଣା ଦରମା ପ୍ରମାଣପତ୍ରରେ ଉଲ୍ଲେଖ କରାଯାଇଛି ।

ପ୍ରକୃତ ଋଣ ଯାହାଙ୍କ ନାଁରେ ଅନୁମୋଦନ ହେଉଥିଲା ସେ ଟଙ୍କାଟିଏ ବି ପାଇନାହାନ୍ତି । ଋଣ ମଞ୍ଜୁର ପରେ ତାହା ନଗଦ ଆକାରରେ ବ୍ୟାଙ୍କରୁ ଅଣାଯାଉଥିଲା । ବ୍ୟାଙ୍କ ଋଣବାବଦ ଇଏମଆଇ ପ୍ରାୟତଃ କର୍ମଚାରୀମାନଙ୍କ ମୋଟ ମାସିକ ଦରମା ପରିମାଣ ସହ ସମାନ ଥିଲା । ଇଏମଆଇ ସମ୍ବାଦ କର୍ତ୍ତୃପକ୍ଷ ୬୦ଟି କିସ୍ତିରେ ପରିଶୋଧ କରୁଥିଲେ । କେତେକ କର୍ମଚାରୀଙ୍କୁ ୨-୩ଥର ଋଣ ପାଇଁ ବାଧ୍ୟ କରାଯାଇଛି । କର୍ମଚାରୀମାନଙ୍କୁ ଦରମା ସ୍ଲିପ୍ ଦିଆଯାଉନଥିଲା । ତେବେ କିଛି କର୍ମଚାରୀ ଚାକିରିରୁ ବିଦା ଓ ଇସ୍ତଫା ଦେବା ପରେ ବି ଏହି ଋଣ ଜାରି ରହିଥିଲା । ବହୁ ବର୍ଷ ଧରି ଏଭଳି ଶୈଳୀରେ ଋଣ ମଞ୍ଜୁର ପ୍ରକ୍ରିୟା ଜାରି ରହିଛି । ତେଣୁ ଏହା କେବଳ ସଂଯୋଗବଶତଃ ନୁହେଁ ବରଂ ସୁଚିନ୍ତିତ ଷଡ଼ଯନ୍ତ୍ର ଓ ସଂଗଠିତ ବ୍ୟାଙ୍କ ସ୍କାମ ବୋଲି ଇଓଡବ୍ଲ୍ୟୁ କହିବା ସହ ତଦନ୍ତ ଜାରି ଥିବା ନିଜ ପ୍ରେସ୍ ରିଲିଜରେ ଉଲ୍ଲେଖ କରିଛି ।

ଉଲ୍ଲେଖଯୋଗ୍ୟ, ସମ୍ବାଦର ମାନବସମ୍ବଳ ଅଧିକାରିଣୀ ବୈଜୟନ୍ତୀ କରଙ୍କୁ ଆଜି ପ୍ରାୟ ୩ଘଣ୍ଟା ଧରି ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି । ଗତକାଲି ଇଓଡବ୍ଲ୍ୟୁର ଅଧିକାରୀମାନେ ପ୍ରାୟ ୭ଘଣ୍ଟା ଧରି ସମ୍ବାଦ କାର୍ଯ୍ୟାଳୟରେ ବିଭିନ୍ନ କର୍ମଚାରୀଙ୍କୁ ଜେରା ସହ କିଛି ଦସ୍ତାବିଜ ସଂଗ୍ରହ କରିଥିବା ଜଣାପଡ଼ିଛି । ଅବଶ୍ୟ ଆଜି ଜେରା ପରେ ବୈଜୟନ୍ତୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଯାହାସବୁ ଅଭିଯୋଗ ହେଉଛି ତାହା ଆଧାରହୀନ ।

ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ ନିଜର ଖବରକାଗଜରେ ଅଗଷ୍ଟ ମାସରେ ୨ଟି ଆଲେଖ୍ୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକୁ କଡ଼ା ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ ।

Related story