Advertisment

ଡିଡିଟାଲ ଆରେଷ୍ଟର ମିଛ ଫାଶରେ ପଡ଼ିଗଲେ ପୂର୍ବତନ ସେନା ଅଧିକାରୀ, ଭୟରେ ଦେଇଦେଲେ ୧ କୋଟି

ଡିଜିଟାଲ ଆରେଷ୍ଟ ନେଇ ଲୋକଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଅନେକ ସମୟରେ ସେମାନେ ଭୟଭୀତ ହୋଇ ନିଜ ଟଙ୍କା ହରାଉଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Cyber loot

Cyber loot

ଡିଜିଟାଲ ଆରେଷ୍ଟର ମିଛ ଫାଶରେ ପଡ଼ି କଟକର ଜଣେ ପୂର୍ବତନ ସେନା ଅଧିକାରୀ ହରାଇଛନ୍ତି ୧ କୋଟିରୁ ଅଧିକ ଟଙ୍କା। ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆରମ୍ଭ କରିଛି ତଦନ୍ତ।

Advertisment

କଟକ ଏଡିସିପି ଅମରେନ୍ଦ୍ର ପଣ୍ଡା ଦେଇଥିବା ସୂଚନା ଅନୁଯାୟୀ, ଘଟଣାଟି ଗତ ୧୮ ତାରିଖର। ସେହି ଦିନ ପାଖାପାଖି ଅପରାହ୍ନ ଗୋଟାଏ ବେଳେ ଏହି ପୂର୍ବତନ ସେନା ଅଧିକାରୀଙ୍କ ପାଖକୁ ଏକ ଭିଡିଓ କଲ୍‌ ଆସିଥିଲା। ସେ ଉକ୍ତ କଲ୍‌କୁ ରିସିଭ୍ କରିବା ପରେ ଅଫିସ ଭଳି ଦେଖାଯାଉଥିବା ଏକ ଘରେ କିଛି ଲୋକ ବସିଥିବା ଦେଖିଥିଲେ। ସେମାନେ ସମସ୍ତେ କୌଣସି ସଂସ୍ଥାର ଅଧିକାରୀ ଭଳି ଲଗୁଥିଲେ। ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ‘ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ’ର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସେ ପୂର୍ବତନ ସେନା ଅଧିକାରୀଙ୍କୁ କହିଥିଲେ ଯେ ତାଙ୍କ ଆଧାରକାର୍ଡ ନମ୍ବରରେ ଏକାଧିକ ଫୋନ୍ ନମ୍ବର ଆକ୍ଟିଭ୍ ରହିଛି। ତାଙ୍କ ନାଁରେ ମନି ଲଣ୍ଡରିଂ ଅଭିଯୋଗ ରହିଛି। ବିଦେଶୀ ଲିଙ୍କ୍ ସହ ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଠକେଇ  ଭଳି ବେଆଇନ କାମରେ ତାଙ୍କର ସଂପୃକ୍ତି ରହିଛି। ତାଙ୍କ ଫୋନ୍ ନମ୍ବରର ଲିଙ୍କ୍ ବିଦେଶର ଏକାଧିକ ନିଶାବେପାରୀଙ୍କ ସହିତ ରହିଛି। ତେଣୁ ତାଙ୍କୁ ଡିଜିଟାଲ ଆରେଷ୍ଟ କରାଯାଉଛି।

ଉକ୍ତ ବ୍ୟକ୍ତି ଜଣଙ୍କ ଠକେଇର ଶିକାର ପୂର୍ବତନ ସେନା ଅଧିକାରୀଙ୍କୁ ଆହୁରି କହିଥିଲେ ଯେ ଆସନ୍ତାକାଲି ସ୍ପେଶାଲ ସିବିଆଇ କୋର୍ଟରେ ତାଙ୍କର ବିଚାର ଚାଲିବ। ତାଙ୍କୁ ସେଥିରେ ଉପସ୍ଥିତ ରହିବାକୁ ସେ କହିଥିଲେ। 

Advertisment

ଏହାପରେ ୧୯ ତାରିଖରେ ପୂର୍ବତନ ସେନାଧିକାରୀଙ୍କ ହ୍ୱାଟସ୍‌ ଆପ୍‌ରେ ଏକ ଭିଡିଓ କଲ୍‌ ଆସିଥିଲା। ପୂର୍ବତନ ସେନା ଅଧିକାରୀ ଜଣଙ୍କ ଉକ୍ତ କଲ୍ ଉଠାଇଥିଲେ। ଭିଡିଓରେ ସେ ଏକ କୋର୍ଟ ରୁମ୍ ସଦୃଶ ଏକ ରୁମ୍ ଦେଖିଥିଲେ। ଏହା ପରେ ବିଚାରପତିଙ୍କ ବେଶରେ ବସିଥିବା ଜଣେ ବ୍ୟକ୍ତି ତାଙ୍କୁ ପଚରାଉଚରା କରିଥିଲେ। ସେ କହିଥିଲେ ଯେ ଆପଣଙ୍କ ନାଁରେ ଯେଉଁ ଅଭିଯୋଗ ରହିଛି, ସେଥିରେ ଜାମିନ ମିଳିବ ନାହିଁ। ତେଣୁ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ନେଣଦେଣ ହୋଇଛି, ସେଥିରେ ଥିବା ସମସ୍ତ ଟଙ୍କା ପଠାଅ। ମାମଲା ସରିବା ପରେ ପୁଣି ଉକ୍ତ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ପଳାଇବ। ଏହା ପରେ ପୂର୍ବତନ ସେନା ଅଧିକାରୀ ସେହିଦିନ ୬୭ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ତା’ପର ଦିନ ଅର୍ଥାତ୍ ଡିସେମ୍ବର ୨୦ ତାରିଖରେ ସେ ଫିକ୍ସ ଡିପୋଜିଟ୍ ଭାଙ୍ଗି ଆଉ ୩୭ ଲକ୍ଷ ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ଡିଜିଟାଲ ଆରେଷ୍ଟର ମିଛ ଜାଲ ବିଛାଇଥିବା ସାଇବର ଠକମାନେ ତାଙ୍କୁ କହିଥିଲେ ଯେ ତାଙ୍କ ବିରୋଧରେ ଥିବା ମାମଲା ଶେଷ ହୋଇଯାଇଛି। ଏହା ପରେ କୌଣସି କାରଣରୁ ପୂର୍ବତନ ସେନା ଅଧିକାରୀ ଜଣଙ୍କ ଠକେଇର ଶିକାର ହୋଇଥିବା ସନ୍ଦେହ କରିଥିଲେ ଓ ଗତକାଲି ସାଇବର ଥାନାରେ ଏତଲା ଦେଇଥିଲେ।

ଏହି ଘଟଣାର ପ୍ରାଥମିକ ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଛି ଯେ ଏହି କଲ୍ ମୁମ୍ବାଇରୁ ଆସିଥିଲା। ଏହାର ନମ୍ବର ଯାଞ୍ଚ କରିବା ସହ ଆଇପି ଆଡ୍ରେସ୍‌ ମଧ୍ୟ ଯାଞ୍ଚ କରୁଛି ପୁଲିସ। ହେଲେ ପୁଲିସ ଉକ୍ତ ସାଇବର ଠକଙ୍କ ନିକଟରରେ ପହଞ୍ଚି ପାରିବ ନା ନାହିଁ, ତାହା ଆଗକୁ ଜଣାପଡ଼ିବ।

ଡିଜିଟାଲ ଆରେଷ୍ଟ ନେଇ ଲୋକଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଅନେକ ସମୟରେ ସେମାନେ ଭୟଭୀତ ହୋଇ ନିଜ ଟଙ୍କା ହରାଉଛନ୍ତି। ସାଇବର ବିଶେଷଜ୍ଞଙ୍କ ମତରେ ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ। ସାଇବର ଅପରାଧୀମାନେ ସାଧାରଣତଃ ଅନଲାଇନ ବା ଭିଡିଓ କଲ ମାଧ୍ୟମରେ ଏଭଳି କରିଥାନ୍ତି। ତେଣୁ ଏଥିରେ ଭୟଭୀତ ନହୋଇ ଏଭଳି ଫୋନ ଆସିଲେ ଲୋକେ ପାଖ ଥାନା ସହିତ ଯୋଗାଯୋଗ କରିବା ଉଚିତ।

Cyber Fraud Digital Arrest