ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବେତଡ଼ାରେ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ କପି ଯୋଗାଣକୁ ନେଇ ହୋଇଛି ଗଣ୍ଡଗୋଳ। ପ୍ରତିବାଦ କରିଥିବା ପରୀକ୍ଷାର୍ଥୀଙ୍କୁ କପି ପାଉଥିବା ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ମାଡ଼ ମାରି ଆହତ କରିଥିବା ବାସୁଦେପୁର ଥାନାରେ ଅଭିଯୋଗ ହୋଇଛି।
ବେତଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବାସୁଦେବପୁର ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ଓ ବରଣ୍ଡୁଆର ଜଗବନ୍ଧୁ ନୋଡାଲ ବିଦ୍ୟାପୀଠର ୨୫୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ଗତକାଲି ଚତୁର୍ଥ ଦିନ ପରୀକ୍ଷା ଚାଲିଥିବା ବେଳେ କେତେକ କକ୍ଷରେ ଛାତ୍ରଛାତ୍ରୀଙ୍କୁ କପି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟର କେତେକ ପରୀକ୍ଷାର୍ଥୀ ଏହାର ପ୍ରତିବାଦ କରିଥିଲେ।
ପରୀକ୍ଷା ସରିବା ପରେ କପିକୁ ବିରୋଧ କରିଥିବା ଛାତ୍ରଙ୍କୁ କପି ପାଇଥିବା ଛାତ୍ର ଓ ସେମାନଙ୍କ ଅଭିଭାବକମାନେ ପିଟିଥିବା ଅଭିଯୋଗ ହୋଇଛି। ଏଥିରେ ଆହତ ୪ରୁ ଅଧିକ ପରୀକ୍ଷାର୍ଥୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଏହି ଅଭିଯୋଗକୁ ନେଇ କେନ୍ଦ୍ରର ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନି। ଅନ୍ୟପଟେ ଅଭିଯୋଗ ପାଇବା ପରେ ବାସୁଦେବ ଥାନା ପୁଲିସ ପ୍ରାଥମିକ ତଦନ୍ତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।