ପ୍ରେମିକା ସହ ମିଶି କଲେଜରେ ବ୍ରାଉନ୍‌ସୁଗର ବେପାର କରୁଥିଲେ B-Tech ଛାତ୍ର

ଆଜି ସକାଳେ ସୁଭ୍ରଜ୍ୟୋତି, ତାଙ୍କ ପ୍ରେମିକା ରୀମା ଓ ବନ୍ଧୁ ରାହୁଲ୍‌ ବ୍ରାଉନ୍‌ସୁଗର କିଣି ଏକ କାର୍‌ରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ।

ପ୍ରେମିକ,ବନ୍ଧୁ ଓ ପ୍ରେମିକ

  • Published: Sunday, 01 September 2024
  • , Updated: 01 September 2024, 04:55 PM IST

ପ୍ରେମିକା ସହ ମିଶି କଲେଜରେ ବ୍ରାଉନ୍‌ସୁଗର କାରବାର କରୁଥିଲେ B-Tech ଛାତ୍ର। ନିଜେ ବ୍ରାଉନ୍‌ସୁଗର ଖାଇବା ସହିତ ସାଙ୍ଗ ଓ ସହପାଠୀଙ୍କୁ ବିକ୍ରି କରୁଥିଲେ। ଭଲ ରୋଜଗାର ମଧ୍ୟ କରୁଥିଲେ। ସେହି ଅର୍ଥରେ ଅଏସ୍‌ କରୁଥିଲେ ପ୍ରେମିକ ଓ ପ୍ରେମିକା! ମୌଜ ମଜଲିସ୍‌ କରୁଥିଲେ। ଆଜି ଏପରି ଏକ ଗ୍ୟାଙ୍ଗକୁ ଧରିଛି ଭୁବନେଶ୍ୱର ଅବକାରୀ ବିଭାଗ। ପ୍ରେମିକ ଓ ପ୍ରେମିକାଙ୍କ ସହ ୩ ଜଣଙ୍କୁ ମାଡ଼ି ବସିଛି। ସେମାନଙ୍କଠାରୁ ୨୭୫ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ କରିଛି।

ସୁଭ୍ରଜ୍ୟୋତି ହେଉଛନ୍ତି ଭୁବନେଶ୍ୱରରେ ଏକ ଘରୋଇ କଲେଜରେ ବିଟେକ୍‌ ଛାତ୍ର। ତାଙ୍କର ପ୍ରେମିକା ହେଉଛନ୍ତି ରୀମା(ଛଦ୍ମନାମ)। ଆଉ ତାଙ୍କ ବନ୍ଧୁ ହେଉଛନ୍ତି ରାହୁଲ୍‌ ନାୟକ। ଏମାନେ ପାଠ କମ୍‌ ପଢ଼ନ୍ତୁ, କିନ୍ତୁ ନିଶା କାରବାର ବେଶୀ କରନ୍ତି। କହିବାକୁ ଗଲେ ବ୍ରାଉନ୍‌ସୁଗର କାରବାର କରିବା ସୁଭ୍ରଜ୍ୟୋତି ପେଶା। ପାଠ ପଢ଼ିବା ବାହାନାରେ ସୁଭ୍ରଜ୍ୟୋତି, ତାଙ୍କ ପ୍ରେମିକା ରୀମା ଓ ବନ୍ଧୁ ରାହୁଲ୍‌ କଲେଜରେ ବ୍ରାଉନ୍‌ସୁଗର କାରବାର କରନ୍ତି। ନିଜେ ବ୍ରାଉନ୍‌ସୁଗର ଖାଇବା ସହିତ କଲେଜରେ ପଢ଼ୁଥିବା ନିଜ ସହପାଠୀଙ୍କୁ ଖାଇବାକୁ ଦେଉଥିଲେ। ଆଉ ଅଭ୍ୟାସରେ ପଡ଼ିବା ପରେ ଛାତ୍ରଛାତ୍ରୀଙ୍କୁ ବ୍ରାଉନ୍‌ସୁଗର ବିକି ଭଲ ରୋଜଗାର ମଧ୍ୟ କରୁଥିଲେ। ଏମାନେ ଦୀର୍ଘ ଦିନ ଧରି ଏହି କାରବାର କରି ଆସୁଥିଲେ।

ଆଜି ସକାଳେ ସୁଭ୍ରଜ୍ୟୋତି, ତାଙ୍କ ପ୍ରେମିକା ରୀମା ଓ ବନ୍ଧୁ ରାହୁଲ୍‌ ବ୍ରାଉନ୍‌ସୁଗର କିଣି ଏକ କାର୍‌ରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ହେଲେ ଖୋର୍ଦ୍ଧା ସୀମାରେ ଭୁବନେଶ୍ୱର ଅବକାରୀ ବିଭାଗ ଗାଡ଼ି ଯାଞ୍ଚ କରୁଥିବା ଦେଖି ସୁଭ୍ରଜ୍ୟୋତି ଦ୍ରୁତ ଗତିରେ କାର୍‌ ଚଳାଇ ପଳାଇ ଯାଇଥିଲେ। ତେଣୁ ଅବକାରୀ ବିଭାଗର କର୍ମଚାରୀମାନେ ସନ୍ଦେହ କରିଥିଲେ। ସୁଭ୍ରଜ୍ୟୋତିଙ୍କ କାର୍‌କୁ ପିଛା କରିଥିଲେ। ଦୀର୍ଘ ସମୟ ଗୋଡ଼ା ଗୋଡ଼ି ହୋଇଥିଲେ। ସୁଭ୍ରଜ୍ୟୋତି କ୍ୟାପିଟାଲ୍‌ ହସ୍ପିଟାଲ୍‌ ଛକ ଦେଇ କେଦାରପଲ୍ଲୀ ବସ୍ତି ଭିତରେ ପଶି ଯାଇଥିଲେ। ହେଲେ ସେଠାରୁ ଆଗକୁ ଯିବା ପାଇଁ ବାଟ ପାଇନଥିଲେ।

ଅବକାରୀ ବିଭାଗ ସୁଭ୍ରଜ୍ୟୋତି, ତାଙ୍କ ପ୍ରେମିକା ରୀମା ଓ ବନ୍ଧୁ ରାହୁଲ୍‌ଙ୍କୁ ଧରି କାର୍‌ ଯାଞ୍ଚ କରିଥିଲେ। ଆଉ ସେହି କାର୍‌ରୁ ୨୭୫ ଗ୍ରାମ ବ୍ରାଉନ୍‌ସୁଗର ଜବତ ମିଳିଥିଲା। ଏଥିସହ ବ୍ରାଉନ୍‌ସୁଗର ଟାଣିବାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଓ ଗୁଟ୍‌ଖା ମିଳିଥିଲା। ଅବକାରୀ ବିଭାଗ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ବ୍ରାଉନ୍‌ସୁଗର ଓ କାର୍‌ ଜବତ କରିଛି। ଏହି କାରବାରରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହା ଉପରେ ଅବକାରୀ ବିଭାଗ ଖୋଳତାଡ କରୁଛି। ଗିରଫ ୩ ଅଭିଯୁକ୍ତ ଶିକ୍ଷିତ ଓ ବ୍ରାଉନ୍‌ସୁଗର କାରବାର କରୁଥିବା ଅବକାରୀ ବିଭାଗ କହିଛି।

ହେଲେ ବ୍ରାଉନ୍‌ସୁଗର କାରବାରକୁ ଖଣ୍ଡନ କରିଛନ୍ତି ସୁଭ୍ରଜ୍ୟୋତି ଓ ତାଙ୍କ ପ୍ରେମିକା। ସୁଭ୍ରଜ୍ୟୋତି କହିଛନ୍ତି, ସେ ୪ ବର୍ଷ ହେଲା ବ୍ରାଉନ୍‌ସୁଗର ଖାଉଛନ୍ତି। କିନ୍ତୁ ବେପାର କରନ୍ତିନି। ଆସନ୍ତା ୪ ତାରିଖରେ ଜନ୍ମଦିନ ଥିଲା। ଜନ୍ମଦିନ ସେଲିବ୍ରେସନ୍‌ ପାଇଁ ବ୍ରାଉନ୍‌ସୁଗର ଆଣିଥିଲେ। ଏଥିରେ ୧୦୦ରୁ ଅଧିକ ପିଲା ଆସିବାର ଥିଲା। ସବୁ ପିଲା ବ୍ରାଉନ୍‌ସୁଗର ଖାଇବେ ବୋଲି କହିଥିଲେ। ତେଣୁ ଆଜି ବ୍ରାଉନ୍‌ସୁଗର ଧରି ଆସୁଥିଲି ବୋଲି ସୁଭ୍ରଜ୍ୟୋତି କହିଛନ୍ତି। ସବୁଠାରୁ ମଜାଦାର କଥା ହେଉଛି, ଝିଅମାନେ ବ୍ରାଉନ୍‌ସୁଗର ଖାଆନ୍ତି କି ପ୍ରଶ୍ନରେ ସୁଭ୍ରଜ୍ୟୋତି କହିଛନ୍ତି, ଆଜିର ଦୁନିଆରେ କେଉଁ ଝିଅ ବ୍ରାଉନ୍‌ସୁଗର ଖାଉନି? ଭୁବନେଶ୍ୱରରେ ଅଧିକାଂଶ ଝିଅ ବ୍ରାଉନ୍‌ସୁଗର ଖାଉଛନ୍ତି ବୋଲି ସୁଭ୍ରଜ୍ୟୋତି କହିଛନ୍ତି।

ଅନ୍ୟପକ୍ଷରେ ତାଙ୍କ ପ୍ରେମିକା କହିଛନ୍ତି, ମୁଁ ବ୍ରାଉନ୍‌ସୁଗର ବେପାର କରେନାହିଁ କି ଖାଏ ନାହିଁ। ସୁଭ୍ରଜ୍ୟୋତି ଡାକିଲା ବୋଲି ତା’ କାରରେ ଯାଇଥିଲି। ହେଲେ ସେ ବ୍ରାଉନ୍‌ସୁଗର କାରବାର କରେ ବୋଲି ମୁଁ ଜାଣିନି ବୋଲି କହିଛନ୍ତି।

Related story