Advertisment

ଅବସର ନେବାର ୮ ମାସ ପୂର୍ବରୁ ଭିଜିଲାନ୍ସ ଜାଲରେ ଅବକାରୀ ବାବୁ; ୫୨ ପ୍ଳଟ୍, ୬ କୋଠା ଓ ରାଇସ ମିଲ୍ ଠାବ

୪ ଦିନ ତଳେ ବଲାଙ୍ଗିର ଲୋୟର ସୁକତେଲ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ ଭିଜିଲାନ୍ସ ଜାଲରେ ପଡ଼ିଥିଲେ।

author-image
Jitendra Garnayak
Ramachandra Mishra

Ramachandra Mishra

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ଅବକାରୀ ବିଭାଗର ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିବା ବେଳେ ଠାବ ହୋଇଛି ଆଖି ଖୋସିଦେଲା ଭଳି ସଂପତ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ୫୨ଟି ପ୍ଳଟ୍ ସହିତ ୬ଟି କୋଠା ଓ ୨ଟି ଫ୍ଲାଟ୍‌ ଅଛି। ତା’ ସହିତ ତାଙ୍କର ଗୋଟିଏ ରାଇସ୍ ମିଲ୍ ଅଛି।

Advertisment

ଅବକାରୀ ବିଭାଗର ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କର ୫୨ଟି ପ୍ଲଟ୍ ମଧ୍ୟରୁ ୨ଟି ସମ୍ବଲପୁରରେ, ୩ଟି ବଲାଙ୍ଗିରରେ ଓ ବାକି ୪୭ଟି ସୁବର୍ଣ୍ଣପୁରରେ ରହିଛି। ସେହିପରି ୬ଟି କୋଠା ମଧ୍ୟରୁ ଭୁବନେଶ୍ୱରର ଆଇଗିଣିଆରେ ତାଙ୍କର ଏକ ଡୁପ୍ଲେକ୍ସ ଅଛି। ବଲାଙ୍ଗିରର ଠିକାଦାରପଡ଼ାରେ ତାଙ୍କର ଦୁଇଟି ତିନି ମହଲା ବିଶିଷ୍ଟ କୋଠା ସହିତ ଗୋଟିଏ ଏକ ମହଲା ବିଶିଷ୍ଟ ଘର ଅଛି। ସମ୍ବଲପୁର ଜିଲ୍ଲାର ବୁର୍ଲାରେ ତାଙ୍କର ଗୋଟିଏ ଦୁଇ ମହଲା ବିଶିଷ୍ଟ କୋଠା ଅଛି। ସୁବର୍ଣ୍ଣପୁରରେ ତାଙ୍କର ଗୋଟିଏ ଏକ ମହଲା ବିଶିଷ୍ଟ କୋଠା ଅଛି।

କେବଳ ଏତିକି ନୁହେଁ, ଭୁବନେଶ୍ୱରର ଖାରବେଳ ନଗରରେ ଥିବା ଚନ୍ଦ୍ରମା କମ୍ପ୍ଲେକ୍ସରେ ଶ୍ରୀ ମିଶ୍ରଙ୍କର ଏକ ଟୁ-ବିଏଚ୍‌କେ ଫ୍ଲାଟ୍ ଅଛି। ବରଗଡ଼ର ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ମଧ୍ୟ ତାଙ୍କର ଏକ ଟୁ-ବିଏଚ୍‌କେ ଫ୍ଲାଟ ଅଛି। ଭୁବନେଶ୍ୱରରେ ଗୋଟିଏ ଡୁପ୍ଲେକ୍ସ ଓ ଗୋଟିଏ ଫ୍ଳାଟ ଥିଲେ ସୁଦ୍ଧା ସେ ଧର୍ମ ବିହାରରେ ଭଡ଼ା ଘରେ ରହୁଛନ୍ତି।

Advertisment

ସୁବର୍ଣ୍ଣପୁରର ତରଭାରେ ତାଙ୍କର ଗୋଟିଏ ରାଇସ ମିଲ ଅଛି, ଯାହା କାର୍ଯ୍ୟକ୍ଷମ ନାହିଁ। ସୁବର୍ଣ୍ଣପୁରରେ ତାଙ୍କର ଗୋଟିଏ ଫାର୍ମ ହାଉସ୍ ଅଛି। ବ୍ୟାଙ୍କରେ ସେ ୨୨ ଲକ୍ଷ ଟଙ୍କା ଜମା ରଖିଛନ୍ତି। ତାଙ୍କ ଘରୁ ୨୩୦ ଗ୍ରାମର ସୁନା ଅଳଙ୍କାର ଓ ୩୧୭ ଗ୍ରାମର ରୁପା ଅଳଙ୍କାର ମିଳିଛି। ତାଙ୍କର ୩ଟି ଦୁଇ ଚିକିଆ ଯାନ ସହିତ ୧୧.୨୫ ଲକ୍ଷ ଟଙ୍କାର ଘରୋଇ ଆସବାବପତ୍ର ରହିଛି।

ଶ୍ରୀ ମିଶ୍ରଙ୍କର ସମସ୍ତ ପ୍ଲଟ, କୋଠା ଓ ଫ୍ଲାଟର ମୂଲ୍ୟାୟନ ଚାଲିଛି। ସେହିପରି ସେ ମ୍ୟୁଚୁଆଲ ଫଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ନିବେଶ କରିଛନ୍ତି। ସେ ସବୁର ଗଣତି ଜାରି ରହିଛି।

ଅବକାରୀ ବିଭାଗରେ ସବ୍ ଇନିସପେକ୍ଟର ଭାବେ ଚାକିରି ଆରମ୍ଭ କରିଥିଲେ। ଏହା ଭିତରେ ୩୦ ବର୍ଷ ବିତି ଯାଇଛି। ସେ ଜଏଣ୍ଟ କମିଶନର ହୋଇଯାଇଛନ୍ତି। ଚାକିରି ଆଉ ୮ ମାସ ଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ି ଯାଇଛନ୍ତି।

୪ ଦିନ ତଳେ ବଲାଙ୍ଗିର ଲୋୟର ସୁକତେଲ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ତାଙ୍କୁ ଗିରଫ କରାଯାଇଛି। ତାଙ୍କର ଅନ୍ୟାନ୍ୟ ସଂପତ୍ତି ସହିତ ୩୪ଟି ପ୍ଲଟ୍ ଠାବ କରାଯାଇଥିଲା। 

Odisha Vigilance Vigilance Net Vigilance