Advertisment

୪୧ ସ୍କୁଲ ଓ ବିଶ୍ୱବିଦ୍ୟାଳୟ ନାମରେ ପ୍ରସ୍ତୁତ ହେଉଥିଲା ଜାଲ୍ ସାର୍ଟିଫିକେଟ, ଡାଏରୀରେ ରହିଛି ବହୁ କୋଟି ଟଙ୍କା କାରବାର ହିସାବ

ନକଲି ସାର୍ଟିଫିକେଟ ଓ ମାର୍କସିଟ କାରବାରରେ ୧୯ ଜଣଙ୍କୁ ଗିରଫ କରିଲା ବଲାଙ୍ଗୀର ଥାନା ପୁଲିସ।

author-image
Niranjan Mishra
ଅଦ୍ୟତନ ହୋଇଛି
Press meet

Press meet

ନକଲି ସାର୍ଟିଫିକେଟ ଓ ମାର୍କସିଟ କାରବାରରେ ୧୯ ଜଣଙ୍କୁ ଗିରଫ କରିଲା ବଲାଙ୍ଗୀର ଥାନା ପୁଲିସ। ବଲାଙ୍ଗିର ସହର ଛାତି ଉପରେ ଥିବା ‘ରିଲାଏନ୍ସ ଏଜୁକେଶନ ଇନ୍‌ଷ୍ଟିଚ୍ୟୁଟ’ ଭିତରୁ ସମଗ୍ର ଦେଶର ୪୧ଟି ସ୍କୁଲ ଓ ବିଶ୍ୱବିଦ୍ୟାଳୟ ନାମରେ ପ୍ରସ୍ତୁତ ହୋଇଥିବା ଜାଲ ସାର୍ଟିଫିକେଟ ଓ ମାର୍କସିଟ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ନାମରେ ପ୍ରସ୍ତୁତ ନକଲି ରବର ଷ୍ଟାମ୍ପ, ତହସିଲଦାର ଓ ଜଏଣ୍ଟ ଡାଇରେକ୍ଟର ପ୍ରଭୃତି ୨୭ ଜଣ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନାମରେ ନକଲି ରବର ଷ୍ଟାମ୍ପ, ବହୁ ସଂଖ୍ୟକ କମ୍ପ୍ୟୁଟର, ହାର୍ଡଡିସ୍କ ଓ ମୋବାଇଲ୍‌ ଜବତ ହୋଇଛି। ହାର୍ଡଡିସ୍କରେ ପ୍ରିଣ୍ଟ ହେବା ନିମନ୍ତେ ନକଲି ସାର୍ଟିଫିକେଟର ଦସ୍ତାବିଜ୍ ରହିଛି। ଏହାଛଡ଼ା ପ୍ରାୟ ୬ଟି ଜମିର କାଗଜପତ୍ର ମିଳିଛି। ନକଲି ସାର୍ଟିଫିକେଟ ଦେଇ ମିଳୁଥିବା ଟଙ୍କାରେ ଏହି ଜମି କିଣାଯାଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ପାସ୍‌ବୁକ୍ ଜବତ କରାଯିବା ସହ ଟଙ୍କା ନେଣଦେଣ ସମ୍ପର୍କିତ ଅନେକ ତଥ୍ୟ ମିଳିଛି।

Advertisment

ଏନେଇ ଆଜି ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର କହିଛନ୍ତି, ଗଣମାଧ୍ୟମରେ ଖବର ପ୍ରସାରଣ ଓ ପୋଷ୍ଟାଲ ସୁପ୍ରିଣ୍ଟେଣ୍ଡାଣ୍ଟଙ୍କ ଅଭିଯୋଗକୁ ଭିତ୍ତି କରି ଖୋଳତାଡ଼ ଆରମ୍ଭ ହୋଇଥିଲା। ବଲାଙ୍ଗୀର ପୁଲିସର ସ୍ୱତନ୍ତ୍ର ଟିମ ଏହି ମାମଲାର ତଦନ୍ତ କରୁଛି। ଦୁଇଦିନ ତଳେ ଏନେଇ ମାମଲା ରୁଜୁ ହୋଇଛି। ତଦନ୍ତ କରିବା ବେଳେ ‘ରିଲାଏନ୍ସ ଏଜୁକେଶନ ଇନ୍‌ଷ୍ଟିଚ୍ୟୁଟ’ରେ ଚଢ଼ଉ କରାଯାଇଥିଲା। ଏଠାରୁ ପ୍ରାୟ ୫ ହଜାର ନକଲି ସାର୍ଟିଫିକେଟ ମିଳିଥିଲା। ଅଭିଯୁକ୍ତମାନେ ଗୋଟିଏ ସାର୍ଟିଫିକେଟ ଦେଢ଼ ଲକ୍ଷରୁ ୨ ଲକ୍ଷରେ ବିକ୍ରି କରୁଥିଲେ। ପ୍ରାୟ ୮ ବର୍ଷ ହେବ ଏହି ରାକେଟ ଚାଲୁଥିଲା। ନକଲି ସାର୍ଟିଫିକେଟ ଜାରି କରିବା ପୂର୍ବରୁ ଅଭିଯୁକ୍ତମାନେ ସମ୍ପୃକ୍ତ ସ୍କୁଲ ଓ ବିଶ୍ୱବିଦ୍ୟାଳୟର କର୍ମଚାରୀଙ୍କ ସହ ଲିଙ୍କ ରଖି ତାଙ୍କ ଠାରୁ ମିଳୁଥିବା ଗୁପ୍ତ ବିବାରଣୀ ଅଧାରରେ ନକଲି ରବର ଷ୍ଟାମ୍ପ, ଅବିକଳ ଲୋଗ, ଦସ୍ତଖତ ପ୍ରଭୃତି ପ୍ରସ୍ତୁତ ହେଉଥିଲା।

ଚଢ଼ଉରେ ଅନେକ ଡାଏରୀ ମଧ୍ୟ ମିଳିଛି, ଯାହା ଭିତରେ କୋଟିକୋଟି ଟଙ୍କା କାରବାରର ହିସାବ ରହିଛି। ଏମ୍‌ସିଏଲ୍ ନାମରେ ଜାରି ୮୧ ଲକ୍ଷଙ୍କାର ଏକ ବାଉନ୍ସ ଚେକ୍ ମଧ୍ୟ ମିଳିଛି। ଏମ୍‌ସିଏଲ୍‌ରେ କିଛି ଯୁବକଙ୍କୁ ନକଲି ସାର୍ଟିଫିକେଟ ଜରିଆରେ ଚାକିରି ଦେବାକୁ ଏହି ଟଙ୍କା କାରବାର ହେବାର ଥିଲା। ମାତ୍ର ଷଡଯନ୍ତ୍ରକାରୀ ମଧ୍ୟସ୍ଥିର ଦୁର୍ଘଟଣାଜନିତ ମୃତ୍ୟୁ ହେବାରୁ ପୂରା ଯୋଜନା ଫସର ଫାଟି ଯାଇଥିଲା। କୋଚିଂ ସେଣ୍ଟରର ମାଲିକ ମନୋଜ ମିଶ୍ର ମୁଖ୍ୟ ମାଷ୍ଟରମାଇଣ୍ଡ ହୋଇଥିବା ବେଳେ କମ୍ପ୍ୟୁଟର ଶିକ୍ଷକ ଆଲୋକ ଉଦ୍‌ଗାତା ସହଯୋଗକାରୀ ଭାବେ ଅପରାଧକୁ ରୂପ ଦେଉଥିଲେ। ଏହି ନକଲି ସାର୍ଟିଫିକେଟ କାରବାର ଚେନ୍‌ରେ ଅନେକ ମଧ୍ୟସ୍ଥିଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ତେବେ ୭ ଜଣ ମଧ୍ୟସ୍ଥିଙ୍କ ନାଁ ପୁଲିସ ପାଇ ପାରିଛି। ଘଟଣାର ତଦନ୍ତ ଚାଲିଥିବାରୁ ଆହୁରି ଗିରଫ ହେବା ଆଶଙ୍କା ରହିଛି ବୋଲି ଏସ୍‌ପି ନୀତିନ କୁଶଲକର କହିଛନ୍ତି।

Advertisment

ସେହିପରି ଏହି ମାମଲାରେ ଲିଙ୍କ ଥିବା ୨୬ ତାରିଖରେ ଆଉଗୋଟିଏ ମାମଲା ମଧ୍ୟ ରୁଜୁ ହୋଇଛି। ଏମ୍‌ସିଏଲ୍‌ରେ ଚାକିରି କରାଇଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ମନୋଜ ଗୋଟାଏ ପିଲାଠାରୁ ୫ ଲକ୍ଷ ଟଙ୍କା ନେଇଥିଲେ। ସମ୍ପୃକ୍ତ ପିଲାର ଅଭିଯୋଗକୁ ଭିତ୍ତି କରି ଏହି ମାମଲା କରାଯାଇଛି।

ସୂଚନା ଥାଉକି, ଏହି କୋଚିଂ ସେଣ୍ଟରର ମାଲିକ ମନୋଜ ମିଶ୍ର ଏବଂ କମ୍ପ୍ୟୁଟର ଶିକ୍ଷକ ଆଲୋକ ଉଦ୍‌ଗାତାଙ୍କୁ ଅଟକ ରଖି ପଚାରଉଚରା କରୁଥିଲା ପୁଲିସ। କୋଚିଂ ସେଣ୍ଟରରୁ ପୁଳା ପୁଳା ନକଲି ସାର୍ଟିଫିକଟ ଓ ମାର୍କସିଟ ସିଜ କରାଯାଇଥିଲା। ନକଲି ସାର୍ଟିଫିକେଟ ଦେଇ ଚାକିରୀ ହାତେଇବାକୁ ଚେଷ୍ଟା କରିଥିବା ୨ ଜଣଙ୍କ ସମେତ ମୋଟ ୧୯ ଜଣଙ୍କୁ ଅଟକ ରଖି ପୁଲିସ ପଚାର ଉଚୁରା କରୁଥିଲା। ଆଜି ପୁଲିସ ୧୯ ଜଣଙ୍କୁ ଗିରଫ କରିଛି। ଏହା ସହିତ ମନୋଜ ମିଶ୍ରଙ୍କ ନିକଟରୁ ନଗଦ ୩ ଲକ୍ଷ ୬୭ ହଜାର ୬୦୦ ଟଙ୍କା ଜବତ କରିଛି।

ରିପୋର୍ଟ- ବଲାଙ୍ଗୀରରୁ ମନୋରଞ୍ଜନ ଯୋଶୀ

Fake Item Racket Education Certificate For Sale Certificates