Advertisment

ଗାୟକଙ୍କୁ ନକଲି ନୋଟ ଦେବା ପଡ଼ିଲା ମହଙ୍ଗା; ବନ୍ଧା ହେଲେ

ଗାୟକଙ୍କୁ ନକଲି ନୋଟ ଦେଇ ଭୁତାଇଥିଲେ, ଧରାପଡ଼ିଗଲେ।

author-image
Tapaswini Nayak
fake currency seized

Fake currency seized

ଅଷ୍ଟ ପ୍ରହରୀ ନାମଯଜ୍ଞରେ ଗାୟକଙ୍କୁ ନକଲି ୫୦୦ ଟଙ୍କିଆ ନୋଟ ଦେବା ପଡ଼ିଲା ମହଙ୍ଗା। ଧରାପଡ଼ି ବନ୍ଧା ହେଲେ ଅଭିଯୁକ୍ତ ଓ ତାଙ୍କ ସହଯୋଗୀ। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଭଇଷା ଗାଁରେ। ଗିରଫ ଅଭିଯୁକ୍ତ ମାନେ ହେଲେ ପାଟଣାଗଡ଼ ଥାନା ଭଇଷା ଗାଁର ବରୁଣ ପାନୁଆନ  ଏବଂ ଦେଓଗାଁ ଥାନା ବୁଡ଼ାବାହାଲ ଗାଁର ରୋହିତ ବସ୍ତିଆ।

Advertisment

ଗତ ୨ଦିନ ତଳେ ଭଇଷା ଗାଁରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଚାଲିଥିଲା। ଏହି ସମୟରେ ଜଣେ ଗାୟକ ନାମଯଜ୍ଞରେ ଗୀତ ଗାଉଥିଲେ। ବରୁଣ ପାନୁଆନ ସେଠାରେ ଉପସ୍ଥିତ ଥିଲେ। ଗାୟକଙ୍କ ଗୀତ ତାଙ୍କୁ ଭଲ ଲାଗିଥିଲା। ସେ ଖୁସିରେ ତାଙ୍କୁ ୨ଟି ୫୦୦ ଟଙ୍କିଆ ଦେଇଥିଲେ। ଗାୟକ ମଧ୍ୟ ୧୦୦୦ ଟଙ୍କା ପାଇ ଖୁସି ହୋଇଯାଇଥିଲେ। ହେଲେ ତାଙ୍କର ଏହି ଖୁସି ବେଶୀ ସମୟ ରହିନଥିଲା। ଘରେ ଯାଇ ଦେଖିଲା ବେଳକୁ ୨ଟି ୫୦୦ ଟଙ୍କା ନକଲି ଥିଲା।ଏନେଇ ଗାୟକ ଜଣଙ୍କ ଘଟଣା ବିଷୟରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ।

ସରପଞ୍ଚ ଏନେଇ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଖୋଳତାଡ଼ ଆରମ୍ଭ କରିବା ସହ ବରୁଣ ପାନୁଆନଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ପୁଲିସ ଆଗରେ ବରୁଣ ସବୁ ଗୁମର ଖୋଲିଥିଲେ। ଏହି ଘଟଣା ତାଙ୍କର ସହଯୋଗୀ ରୋହିତ ସଂପୃକ୍ତ ଥିବା ବରୁଣ ପୁଲିସକୁ କହିଥିଲେ। ପରେ ପୁଲିସ ରୋହିତଓ ବରୁଣଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୨୭୪ ଟି ୫୦୦ ଟଙ୍କିଆ ନୋଟ୍ ଜବତ କରିଥିଲା। ଯାହାର ମୂଲ୍ୟ ୧ ଲକ୍ଷ ୩୭ ହଜାର ଟଙ୍କା ହେବ। ଏହାସହ କମ୍ପୁଟର ଓ ପ୍ରିଣ୍ଟର ମଧ୍ୟ ଜବତ କରିଥିଲା। ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓ ଏହି ଚେର କେଉଁଠିକି ଲମ୍ବିଛି ତାର ତଦନ୍ତ କରୁଛି।

Advertisment
Bolangir