/odisha-reporter/media/post_attachments/uploadimage/library/16_9/16_9_0/IMAGE_1724852991.jpg)
Fake Doctor
ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ନକଲି ଡାକ୍ତର। ବାଇକ୍ ଧରି ବୁଲି ବୁଲି ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଔଷଧ ମଧ୍ୟ ଦେଉଥିଲେ। ରାଜଧାନୀର ବଡ଼ ବଡ଼ ବାବୁଙ୍କ ନାକ ନିଶ ତଳେ ଏହି କାରବାର ଚାଲି ଥିଲେ ସୁଦ୍ଧା କାହା ପାଖରେ କିଛି ଖବର ନଥିଲା। ହେଲେ ଆଜି ସେହି ନକଲି ଡାକ୍ତର ପୁଲିସ ଜାଲରେ ପଡିଛି। ଗିରଫ ନକଲି ଡାକ୍ତର ହେଉଛନ୍ତି ଅଜୟ କୁମାର କାଣ୍ଡି ।
ଅଜୟ କୁମାର କାଣ୍ଡିଙ୍କ ଶିକ୍ଷାଗତ ଯୋଗ୍ୟତା କଣ ଜଣାପଡ଼ିନି। ହେଲେ ସେ ଅତି ନିର୍ଭୟରେ ଆମ୍ବୁଲାନ୍ସ ଧରି ରାଜଧାନୀର ଏ ଗଳିରୁ ସେ ଗଳି ଘୁରି ବୁଲୁଥିଲେ। ଆଉ ଲୋକମାନଙ୍କୁ ଘର ପାଖରୁ ଚିକିତ୍ସା ସେବା ଯୋଗାଉଥିଲେ। ସେ ବିଶେଷ କରି ଗ୍ୟାସ, ଭାଇରାଲ ଜ୍ୱର ଓ ମାରାତ୍ମକ କର୍କଟ ରୋଗୀଙ୍କ ଚିକିତ୍ସା କରୁଥିଲେ। ଏଥିସହ ଓଜନ କମାଇବା ଠାରୁ ଆରମ୍ଭ କରି ସୁନ୍ଦର ଶରୀର ଗଠନ ପାଇଁ ମଧ୍ୟ ଔଷଧ ଦେଉଥିଲେ ଏହି ନକଲି ଡାକ୍ତର ଅଜୟ କୁମାର କାଣ୍ଡି।
ଅଭିଯୋଗ ଅନୁସାରେ ମହିଳାଙ୍କ ସୁନ୍ଦର ମୁଖ ମଣ୍ତଳ ଓ ଶରୀର ଗଠନ ପାଇଁ ଲକ୍ଷାଧିକ ଟଙ୍କାର ଔଷଧ ଦେଉଥିଲେ। ହେଲେ ସେହି ଔଷଧ ପରବର୍ତ୍ତି ସମୟରେ କାମ କରିନଥିଲା। ବରଂ ଶରୀରରେ କ୍ଷତି ହୋଇଥିଲା। ଦେହ ସାରା ଫଳି ଯାଉଥିଲା। ଏନେଇ ଠକାମୀର ଶିକର ହୋଇଥିବା ରୋଗୀମାନେ କାଣ୍ତିଙ୍କୁ ଯୋଗାଯୋଗ କରିଥିଲେ। ହେଲେ ଯୋଗାଯୋଗ ସମ୍ଭବପର ହୋଇନଥିଲା। ଯେଉଁଥିପାଇଁ ରୋଗୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁ କରି ନକଲି ଡାକ୍ତର କାଣ୍ତିଙ୍କୁ ଗିରଫ କରିଥିଲା। ତା ଠାରୁ ଗୋଟିଏ ବାଇକ ଆମ୍ବୁଲାନ୍ସ ସହ ବିପୁଳ ପରିମାଣର ଔଷଧ ଜବତ କରିଛି ପୁଲିସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
