ମିଛ ପ୍ରେମ, ସତ ବିବାହ; ଧରାପଡ଼ିଲା ପ୍ରେମିକର ଜାଲିଆତି!

ପିଲା ଜନ୍ମ ହେବା ପରେ ବିଟୁ ବିଶ୍ୱାସ ନିଜ ଗାଁକୁ ଯିବା ପାଇଁ ଚାହିଁଥିଲେ। ତାଙ୍କ ସହିତ ରୋଜି ମଧ୍ୟ ଯିବା ପାଇଁ କହିଥିଲେ। ଏହା ପରେ ଉଭୟ ମୁର୍ଶିଦାବାଦ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ବିଟୁ ବିଶ୍ୱାସଙ୍କ ମୁଖା ଖୋଲି ଯାଇଥିଲା।

ପୀଡ଼ିତା ରୋଜି

  • Published: Monday, 04 March 2024
  • , Updated: 04 March 2024, 06:21 PM IST

ପ୍ରେମ ଚିରନ୍ତନ ଓ ଶାଶ୍ୱତ। ହେଲେ ରୋଜିଙ୍କ ପାଇଁ ପ୍ରେମ ପାଲଟିଗଲା ପ୍ରତାରଣା ଓ ଛଳନ। ପ୍ରେମିକଙ୍କ ମିଠା ମିଠା କଥାକୁ ବିଶ୍ୱାସ କରିଥିଲେ। ପରିବାର ଲୋକଙ୍କ ବିରୋଧ ସତ୍ତ୍ୱେ ଭଦ୍ରକର ଭାରତ ମାତା ମନ୍ଦିରରେ ବିବାହ କରିଥିଲେ। ହେଲେ ସଂସାର ଗଢ଼ିବା ପରେ ଧରାପଡ଼ିଥିଲା ସ୍ୱାମୀଙ୍କ ଜାଲିଆତି।

ଯାଜପୁର ଟାଉନ୍‌ରେ ଘର ଭଡ଼ା ନେଇ ରହୁଥିଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ବିଟୁ ବିଶ୍ୱାସ। ତାଙ୍କ ସହ ଭଦ୍ରକ ଜିଲ୍ଲାର ରୋଜି ନାୟକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ରୋଜିଙ୍କ ଭଲ ପାଇବାକୁ ପରିବାର ଲୋକେ ସମ୍ମତି ପ୍ରଦାନ କରି ନଥିଲେ। ତା’ ସତ୍ତ୍ୱେ ରୋଜି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ସମୟରେ ଦୀର୍ଘ ଦିନର ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ଭଦ୍ରକର ଭାରତ ମାତା ମନ୍ଦିରରେ ବୈଦିକ ରୀତି ନୀତି ଅନୁସାରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ରୋଜି ଓ ବିଟୁ ଯାଜପୁର ଟାଉନ୍‌ରେ ଘର ଭଡ଼ା ନେଇ ରହୁଥିଲେ। ଉଭୟଙ୍କ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ପରେ ସେମାନଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା।

ପୁଅ ଜନ୍ମ ହେବା ପରେ ବିଟୁ ବିଶ୍ୱାସ ନିଜ ଗାଁକୁ ଯିବା ପାଇଁ ଚାହିଁଥିଲେ। ତାଙ୍କ ସହିତ ରୋଜି ମଧ୍ୟ ଯିବା ପାଇଁ କହିଥିଲେ। ଏହା ପରେ ଉଭୟ ମୁର୍ଶିଦାବାଦ ଯାଇଥିଲେ। ମୁର୍ଶିଦାବାଦରେ ପହଞ୍ଚିଲା ପରେ ବିଟୁ ବିଶ୍ୱାସଙ୍କ ମୁଖା ଖୋଲି ଯାଇଥିଲା। ସେ ପୂର୍ବରୁ ବିବାହିତ ଓ ତାଙ୍କର ଦୁଇଟି ପୁଅ ଅଛନ୍ତି ବୋଲି ରୋଜି ଜାଣିବାକୁ ପାଇଥିଲେ। ଜଣଙ୍କ ବୟସ ୧୫ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ୧୦ ବର୍ଷ। ପରିବାର ଲୋକଙ୍କ ବେଶ ପୋଷାକ ଦେଖି ସେମାନେ ଭିନ୍ନ ସମ୍ପ୍ରଦାୟର ବୋଲି ସନ୍ଦେହ କରିଥିଲେ ରୋଜି। ଏ ବିଷୟରେ ସେ ତାଙ୍କ ସ୍ୱାମୀଙ୍କୁ ପଚାରିଥିଲେ। ଏହା ପରେ ରୋଜି ଜାଣିବାକୁ ପାଇଲେ ଯେ ସେ ବିବାହ କରିଥିବା ବିଟୁ ବିଶ୍ୱାସଙ୍କ ପ୍ରକୃତ ନାଁ ହେଉଛି ସୁଲେମାନ୍‌ ଶେଖ।

ଭିନ୍ନ ସମ୍ପ୍ରଦାୟରେ ବିବାହ କରିଥିବା ଜାଣିପାରି ରୋଜିଙ୍କ ଅକଲ୍‌ ଗୁଡୁମ ହୋଇଥିଲା। ଏହା ପରେ ରୋଜିଙ୍କୁ ଆଉ ଓଡ଼ିଶା ଫେରିବାକୁ ଦିଆଗଲା ନାହିଁ। ତାଙ୍କଠାରୁ ମୋବାଇଲ ଛଡ଼ାଇ ନିଆଗଲା। ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିବାକୁ ଦିଆଗଲା ନାହିଁ। ସେଠାରେ ଆଉ ଥରେ ତାଙ୍କର ଆଉ ଥରେ ବିବାହ କରାଗଲା। ବିଟୁ ବିଶ୍ୱାସ ଓରଫ୍ ସୁଲେମାନ ଶେଖ ତାଙ୍କ ପ୍ରଥମ ସ୍ତ୍ରୀ ଓ ମାଆ ସହିତ ମିଶି ରୋଜିଙ୍କୁ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି। ଧୀରେ ଧୀରେ ରୋଜିଙ୍କ ସମସ୍ତ କାଗଜପତ୍ର ବଦଳାଇ ଦିଆଗଲା। ନୂଆ ଆଧାର କାର୍ଡ ଓ ପାନ୍‌ କାର୍ଡ ତିଆରି କରିଥିଲେ ବିଟୁ ବିଶ୍ୱାସ ଓରଫ ସୁଲେମାନ୍‌ ଶେଖ। ରୋଜିଙ୍କ ନାଁ ଓ ଠିକଣା ବଦଳି ଗଲା।

ସୁଲେମାନ୍‌ ଶେଖଙ୍କ ନିର୍ଯାତନା ଅସହ୍ୟ ହେବାରୁ କୌଶଳ କରି ରୋଜି ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ମୁର୍ଶିଦାବାଦରୁ ଆସିବା ପରେ ରୋଜି ଭଦ୍ରକ ସ୍ଥିତ ନିଜ ମାମୁ ଘରେ ପହଞ୍ଚିଥିଲେ। ଆଜି ସେ ଘଟଣା ସଂପର୍କରେ ଯାଜପୁର ରୋଡ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Related story