Advertisment

ମୃତଦେହରୁ କିଡନି, ଆଖି ଚୋରି ! ପ୍ରମାଣ ନଷ୍ଟ ପାଇଁ ହୋଇଛି ଏସିଡ ଆଟାକ୍‌

କେଳୁଚରଣ ଭୁବନେଶ୍ୱରରୁ ନିଖୋଜ ହୋଇଥିବା ବେଳେ ତାଙ୍କ ମୃତଦେହ କଟକ ଜିଲ୍ଲା ଓଲଟପୁରର ଏକ ବିଲରୁ ମିଳିଛି।

author-image
Niharika Rout
Kelucharan Routray

Kelucharan Routray

ଅସୁସ୍ଥତା ହେତୁ  କ୍ୟାପିଟାଲ ହସ୍ପିଟାଲ ଯାଇଥିବା ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଲାନି। ବ୍ୟକ୍ତିଜଣକ ନିଖୋଜ ହୋଇ ଯାଇଥିବା ବେଳେ ୮ ଦିନ ପରେ ମିଳିଲା ମୃତଦେହ । ମାତ୍ର ମୃତଦେହଟି ପରିତ୍ୟକ୍ତ ଅବସ୍ଥାରେ ଏକ ବିଲରେ ପଡ଼ିଥିବା ବେଳେ ସେଥିରୁ ଆଖି, କିଡ଼ନୀ ଗାଏବ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏପରିକି ବ୍ୟକ୍ତିଙ୍କ ଚିହ୍ନଟ ଯେପରି ହୋଇ ନ ପାରିବ, ସେଥିପାଇଁ ମୁହଁରେ ଓ ଦେହରେ ଏସିଡ ଢାଳି ଜାଳି ବି ଦେଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ରାଜଧାନୀ ଛାତି ଉପରେ ଘଟିଛି। 

Advertisment

ମୃତକ ଜଣକ ହେଲେ କେଳୁଚରଣ ରାଉତରାୟ। କେଳୁଚରଣଙ୍କ ଘର ୟୁନିଟ୍-ୱାନ୍ ଅଞ୍ଚଳରେ। କେଳୁଚରଣ ଭୁବନେଶ୍ୱରରୁ ନିଖୋଜ ହୋଇଥିବା ବେଳେ ତାଙ୍କ ମୃତଦେହ କଟକ ଜିଲ୍ଲା ଓଲଟପୁରର ଏକ ବିଲରୁ ମିଳିଛି। 

କେଳୁଚରଣଙ୍କ ଭାଇଙ୍କ ଅଭିଯୋଗ, ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ କେଳୁଚରଣ ନିଜେ ଗତ ୯ ରେ ୧୦୮ ଫୋନ କରି କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ମାତ୍ର ପରିବାର ଲୋକେ ସେଠାରେ ପହଞ୍ଚି ତାଙ୍କୁ ଖୋଜି ପାଇ ନ ଥିଲେ। ଏପରିକି ତାଙ୍କ ନାମ ବି ରେଜିଷ୍ଟରରେ ନ ଥିବା ଦେଖିବାକୁ ପାଇଥିଲେ। ଏହାପରେ କଟକ ଏସସିବି ମେଡିକାଲ ଯାଇ ଖୋଜାଖୋଜି କଲେ ବି ପାଇ ନ ଥିଲେ।

Advertisment

ଏହାପରେ ଏନେଇ ପରିବାର ଲୋକେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିବା ବେଳେ ଗତକାଲି ଓଲଟପୁର ନିକଟରୁ ତାଙ୍କର ମୃତଦେହ ମିଳିଛି । ଏକ ବିଲ ମଧ୍ୟରେ କେଳୁଚରଣଙ୍କ ମୃତଦେହ ଠାବ ହୋଇଛି। ମାତ୍ର ତାଙ୍କ ଶରୀରରୁ ଆଖି ଏବଂ କିଡନୀ କାଢ଼ି ନିଆଯାଇଥିବା ଅଭିଯୋଗ କରିଛନ୍ତି କେଳୁଚରଣଙ୍କ ଭାଇ। ଏପରିକି ମୃତଦେହକୁ ଚିହ୍ନଟ କରି ନ ପାରିବା ନିମନ୍ତେ ସେଥିରେ ଏସିଡ ପକାଯାଇଥିବା ବି ସେ କହିଛନ୍ତି।

ପରିବାର ଲୋକେ ତାହା କେଳୁଚରଣଙ୍କ ମୃତଦେହ ବୋଲି ଚିହ୍ନଟ କରିଥିବା ବେଳେ ବ୍ୟବଚ୍ଛେଦ ନିମନ୍ତେ ତାହାକୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଛି। ତେବେ ୧୦୮ ଆମ୍ବୁଲାନ୍ସରେ ଯାଇଥିବା ରୋଗୀଙ୍କ ମୃତଦେହ କିପରି ଓଲଟପୁରରୁ ମିଳିଲା ଓ ଆଖି, କିଡନୀ କିପରି ତଡ଼ା ହେଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହା ପଛରେ ଏକ ରାକେଟ କାମ କରୁଥିବା ବେଳେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ହାତ ଥିବା କେଳୁଚରଣଙ୍କ ଭାଇ ଅଭିଯୋଗ କରିଛନ୍ତି। ପୁଲିସ୍‌ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି।

Bhubaneswar Capital Hospital