Advertisment

ଘର ବିକ୍ରି କରିବା ନାଁରେ ୭୫ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଫିଲ୍ମ ପ୍ରଡ୍ୟୁସର

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଏ ନେଇ ତଥ୍ୟ ପ୍ରମାଣ ପାଇବା ପରେ ଅଜିତାଭ୍‌ଙ୍କୁ ପୁଲିସ ଗିରଫ କରିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Film producer Ajitav Mallik

Film producer Ajitav Mallik

ଘର ବିକ୍ରି କରିବା ନାଁରେ ୭୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଫିଲ୍ମ ପ୍ରଡ୍ୟୁସର ଅଜିତାଭ୍ ମଲ୍ଲିକ ଗିରଫ। ଆଜି ତାଙ୍କୁ ଗିରଫ କରିଛି ଖଣ୍ଡଗିରି ପୁଲିସ। ୪ ବର୍ଷ ହେବ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଘର ଦେବ ଦେବ କହି ଫିଲ୍ମ ପ୍ରଡ୍ୟୁସର ଅଜିତାଭ୍ ଭୂଆଁ ବୁଲାଇ ଚାଲିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଏ ନେଇ ତଥ୍ୟ ପ୍ରମାଣ ପାଇବା ପରେ ଅଜିତାଭ୍‌ଙ୍କୁ ପୁଲିସ ଗିରଫ କରିଛି।

Advertisment

ଅଭିଯୋଗକାରୀ ମହିଳା ଜଣକ କହିଛନ୍ତି, କରୋନା ମହାମାରୀ ସମୟରେ ପାଖରେ ସଞ୍ଚିତ ଥିବା ଟଙ୍କାରେ ଏକ ପ୍ଲଟ କିଣିବାକୁ ଚାହିଁଥିଲେ। ଏହି ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠପଢ଼ୁଥିବା ଅଜିତାଭ୍‌ଙ୍କ ଭଉଣୀଙ୍କ ଜରିଆରେ ଚିହ୍ନା ପରିଚ ହୋଇଥିଲା। ପରେ ଅଜିତାଭ୍‌ ଓ ତାଙ୍କ ବାପାଙ୍କ ସହ ଭେଟ ହୋଇଥିଲା। ତାଙ୍କ ବାପା ଜଣେ ଅବସରପ୍ରାପ୍ତ ଓଏଏସ୍‌ ଅଧିକାରୀ ହୋଇଥିବା ବେଳେ କୋଳଥିଆରେ ଥିବା ତାଙ୍କ ଘର ବିକ୍ରି କରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ପୂରା ପରିବାର ପ୍ରତିଷ୍ଠିତ ହୋଇଥିବାରୁ ସହଜରେ ବିଶ୍ୱାସକୁ ଆସିଥିଲେ। ୧ କୋଟି ଟଙ୍କାରେ ଏହି ଘର ବିକ୍ରି କରିବାକୁ ଡିଲ୍ ହୋଇଥିଲା। ଘର କିଣିବାକୁ ସେ ବିଭିନ୍ନ ପର୍ଯ୍ୟୟରେ ପ୍ରାୟ ୮୫ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ଅଜିତାଭ୍ ଘର ଦେବେ ଦେବେ ବୋଲି କହି ଦେଉ ନ ଥିଲେ। ଏନେଇ ସେ ନିଜ ବାପାଙ୍କୁ ଧରି ଏହି ପରିବାର ଲୋକଙ୍କ ନିକଟରେ ପହଞ୍ଚିଥିଲେ। ଏହି ସମୟରେ ଅଜିତାଭ୍ ବାକିଥିବା ଟଙ୍କା ଦେବାକୁ କହିଥିଲେ। ତେଣୁ ଘରେ ରଖିଥିବା ସୁନାକୁ ଆଣି ଦେଇଥିଲେ। ହେଲେ ତାହା ପରେ ମଧ୍ୟ ଅଭିଯୁକ୍ତ ନା ଜମି ଦେଇଥିଲେ କିମ୍ବା ନେଇଥିବା ଟଙ୍କା, ସୁନା ଫେରାଇଥିଲେ। ମାଗିବାରୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେଣୁ ନ୍ୟାୟ ପାଇବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୋଲି ମହିଳା ଜଣକ କହିଛନ୍ତି।

ଏନେଇ ଖଣ୍ଡଗିରି ଥାନା ଆଇଆଇସି ଦୟାନିଧି ନାୟକ କହିଛନ୍ତି, ଉକ୍ତ ମହିଳା ଠକେଇର ଶିକାର ହୋଇଥିବା ନେଇ ଚଳିତ ମାସ ୨୩ ତାରିଖରେ ଏତଲା ଦେଇଥିଲେ। କୋଳଥିଆରେ ରହୁଥିବା ଅଜିତାଭ୍‌ଙ୍କ ବିରୋଧରେ ସେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ପ୍ରାୟ ୮୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ହେଲେ ଅଭିଯୁକ୍ତ ୭୫ ଲକ୍ଷ ଠକି ନେଇଥିବା ତଦନ୍ତ ବେଳେ ଜଣାପଡ଼ିଛି। ଏହି ଟଙ୍କାକୁ ସେ ନଗଦ, ବ୍ୟାଙ୍କ ଆକାଉଣ୍ଟ , ଚେକ୍ ଜରିଆରେ ନେଇଥିଲେ। ସେହିପରି ୩୦୦ ଗ୍ରାମ ସୁନା ବନ୍ଧକ ରଖି ଟଙ୍କା ନେଇଯାଇଥିଲେ। ୨୦୧୯ରୁ ଏହି କାରବାର ହୋଇଥିଲା। ଅଭିଯୁକ୍ତ ପ୍ରାୟ ୭ଟା ଚେକ୍‌ ଅଭିଯୋଗକାରିଣୀ ମହିଳାଙ୍କୁ ଦେଇଥିଲେ। ହେଲେ ସବୁ ଚେକ୍ ବାଉନ୍ସ ହୋଇଥିଲା। ତେଣୁ ଏହି ଠକେଇ ମାଲାରେ ଅଜିତାଭ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Advertisment

ଘଟଣାର ଅଧିକ ତଦନ୍ତ ଜାରି ରହିଛି। ବ୍ୟାଙ୍କରୁ ଟଙ୍କା କାରବାର ବିବରଣୀ ପାଇବାକୁ ପଦକ୍ଷେପ ନିଆଯାଇଛି ବୋଲି ଆଇଆଇସି କହିଛନ୍ତି।

Fraud Criminal Arrested Fake Land Sale Film Maker