ଅସାବଧାନତାବଶତଃ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି। ଫଳରେ ରାସ୍ତାରେ ଯାଉଥିବା ୩ ସାଧାରଣ ଲୋକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏପରି ଏକ ଘଟଣା ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଘଟିଛି।
ରାଜଗାଙ୍ଗପୁରସ୍ଥିତ ICICI ବ୍ୟାଙ୍କର କର୍ମଚାରୀ ଆଜି ସକାଳେ ରାଉରକେଲାସ୍ଥିତି ମୁଖ୍ୟ କାର୍ଯ୍ୟାଳୟକୁ ଟଙ୍କା ନେଉଥିଲେ। ଏହି ସମୟରେ ଟଙ୍କାକୁ ଗାଡ଼ିରେ ଲୋଡ କରାଯାଉଥିବା ବେଳେ ପାଖରେ ସୁରକ୍ଷା କର୍ମୀଜଣକ ଛିଡ଼ା ହୋଇଥିଲେ।
ମାତ୍ର ହଠାତ୍ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟିବାକୁ ଲାଗିଲା। ଏହି ଗୁଳିଗୁଡ଼ିକ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଠେଲା ଗାଡ଼ି ମାଲିକ, ଜଣେ ମହିଳା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ବାଜିଥିଲା। ତୁରନ୍ତ ସେମାନଙ୍କୁ ରାଜରାଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଶରୀରରୁ ଗୁଳି ବାହାର କରାଯାଇଥିବା ଜଣାଯାଇଛି। ଏହାପରେ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ରାଉରକେଲା ପଠାଯିବ ବୋଲି ଜଣାଯାଇଛି।
ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଆସି ପହଞ୍ଚିବ ବୋଲି ଜଣାଯାଇଛି। ଉକ୍ତ ସୁରକ୍ଷାକର୍ମୀଙ୍କୁ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ସୁରକ୍ଷା କର୍ମୀଜଣକ ଏକ ଘରୋଇ ସଂସ୍ଥାର କର୍ମଚାରୀ ହୋଇଥିବା ବେଳେ ତାଙ୍କର ବନ୍ଧୁକ ଲାଇସେନ୍ସ ଅଛି କି ନାହିଁ ପୁଲିସ୍ ତାହାର ବି ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।