Advertisment

ଫିରିଙ୍ଗିଆ ଥାନା ଆଇଆଇସିଙ୍କୁ ବଦଳି କଲେ, ଦୁଇ ହୋମଗାର୍ଡ କାର୍ଯ୍ୟରୁ ଅନ୍ତର ହେଲେ

ଏସ୍‌ପି କହିଛନ୍ତି, ଯେଉଁ ଗାଁର ଲୋକେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସେହି ସବୁ ଗାଁଗୁଡ଼ିକରେ ଗଞ୍ଜେଇ ମାମଲାରେ ବହୁବାର ରେଡ୍ ହୋଇଥିଲା।

author-image
Jitendra Garnayak
Police Station

Police Station

ଗଞ୍ଜେଇ ଚାଲାଣରେ ପୁଲିସର ସଂପୃକ୍ତି ଅଭିଯୋଗ କରି ଗତକାଲି ଫିରିଙ୍ଗିଆ ଥାନାରେ ଲୋକେ ନିଆଁ ଲଗାଇ ଦେବା ସହ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ବେଳେ ଆଇଆଇସି ତପନ କୁମାର ନାହାକଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଦୁଇ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଏହି ସୂଚନା ଦେଇଛନ୍ତି।

Advertisment

ଏସ୍‌ପି କହିଛନ୍ତି, ଥାନାରେ ନିଆଁ ଲଗାଇବା ତଥା ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପାଖାପାଖି ୩୦ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫/୧୬ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ସେମାନଙ୍କୁ ଗିରଫ କରିବାକୁ ପ୍ରକ୍ରିୟା ଚାଲିଛି। ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

ଫିରିଙ୍ଗିଆ ଥାନା ଆଇଆଇସି ଓ ଦୁଇ ହୋମଗାର୍ଡଙ୍କ ବିରୋଧରେ ଗଞ୍ଜେଇ ଚାଲାଣ ନେଇ ଆସିଥିବା ଅଭିଯୋଗ ସଂପର୍କରେ ଏସ୍‌ପି କହିଛନ୍ତି ଯେ ଏହାର ତଦନ୍ତ ଚାଲିଛି। କିନ୍ତୁ ଏନେଇ ଆମକୁ କେହି କିଛି ପ୍ରମାଣ ଦେଇ ନାହାନ୍ତି। ଯେଉଁ ଭିଡିଓ କଥା କୁହାଯାଉଛି, ତାହା ମଧ୍ୟ ଆମର ହସ୍ତଗତ ହୋଇନାହିଁ। ଅଭିଯୋଗ ଆଧାରରେ ଆମେ ଘଟଣାର ତଦନ୍ତ କରୁଛୁ। ଆମକୁ ପ୍ରମାଣ ଦେଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ତଥାପି ବର୍ତ୍ତମାନ ପାଇଁ ଫିରିଙ୍ଗିଆ ଥାନା ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ତା’ସହିତ ଯେଉଁ ଦୁଇ ହୋମଗାର୍ଡଙ୍କ ବିରୋଧରେ ଅଭିଯୋଗ ଆସିଛି, ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି।

Advertisment

ଏସ୍‌ପି କହିଛନ୍ତି, ଯେଉଁ ଗାଁର ଲୋକେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସେହି ସବୁ ଗାଁଗୁଡ଼ିକରେ ଗଞ୍ଜେଇ ମାମଲାରେ ବହୁବାର ରେଡ୍ ହୋଇଥିଲା। ଏ ବର୍ଷ କନ୍ଧମାଳ ଜିଲ୍ଲାରେ ପାଖାପାଖି ୩୦ ଟନ୍ ଗଞ୍ଜେଇ ଜବତ କରାଯାଇଥିବା ବେଳେ ସେଥିରୁ ପ୍ରାୟ ୧୦ ଟନ୍ କେବଳ ଫିରିଙ୍ଗିଆ ଥାନା ଅଞ୍ଚଳରୁ ଜବତ ହୋଇଛି। ସେଥିପାଇଁ ଏହି ଥାନା ଅଞ୍ଚଳରେ ଥିବା ଗାଁଗୁଡ଼ିକରେ ବହୁତ ଚାପ ସୃଷ୍ଟି ହୋଇଛି। ଆଉ ସେହି ଗାଁଗୁଡ଼ିକରୁ ହିଁ ଗତକାଲି ଅଧିକାଂଶ ଲୋକ ଏକତ୍ରିତ ହୋଇଥିଲେ।

ଗଞ୍ଜେଇ ଚାଲାଣରେ ଆଇଆଇସି ତପନ କୁମାର ନାହାକ ଓ ଦୁଇ ହୋମଗାର୍ଡଙ୍କ ସଂପୃକ୍ତି ଅଭିଯୋଗ କରି ଗତକାଲି ଲୋକେ ରାସ୍ତାରୋକ କରିଥିଲେ। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହେବା ପରେ ଫୁଲବାଣୀ ଏସ୍‌ଡିପିଓ ସେମାନଙ୍କୁ ବୁଝାସୁଝା କରିବାକୁ ପହଞ୍ଚିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଠେଲାପେଲା କରିଥିଲେ। ଏସ୍‌ଡିପିଓଙ୍କ ସେମତ ଅନ୍ୟ ପୁଲିସ୍ କର୍ମଚାରୀଙ୍କୁ ଲୋକେ ଆକ୍ରମଣ କରିଥିଲେ। ଏପରିକି ଥାନାରେ ପଶି ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ଥାନା ପରିସରରେ ଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଭାଙ୍ଗାରୁଜା କରିବା ସହିତ ସେଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ।

Odisha Police Police