Advertisment

ହାତଗଣ୍ଠି ପଡୁଥିଲା, ବେଦୀରେ ପହଞ୍ଚିଲେ ପ୍ରଥମ ପତ୍ନୀ

ପ୍ରିୟମ୍ୱଦାଙ୍କଠାରୁ ଅଲଗା ହେବା ପାଇଁ ଚାହୁଁଥିବା ପ୍ରକାଶ ଦ୍ୱିତୀୟ ବିବାହ କରୁଥିଲେ। ରବିବାର ପାଟଣାଗଡ଼ ଟାଉନ୍‌ରେ ଥିବା ମେହେର ଧର୍ମଶାଳାରେ ଆୟୋଜନ କରାଯାଇଥିଲା ବିବାହ ଉତ୍ସବ। ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Marriage

Marriage

ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ବେଦୀରେ ପଡ଼ୁଥିଲା ହାତଗଣ୍ଠି। ହଠାତ୍‌ ପହଞ୍ଚିଗଲେ ପ୍ରଥମ ପତ୍ନୀ। ଆଉ କହିଲେ, ଇଏ ମୋ ସ୍ୱାମୀ। ତା’ପରେ ଆରମ୍ଭ ହେଲା ଟଣା ଓଟରା ଓ ହୋହଲ୍ଲା। ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ।

Advertisment

ପାଟଣାଗଡ଼ ସାଲେପାଲି ଗାଁର ପ୍ରକାଶ ହରିପାଳଙ୍କ ପରିବାର ରାଉରକେଲାରେ ରହନ୍ତି। କିନ୍ତୁ ପ୍ରକାଶ ମଧ୍ୟପ୍ରଦେଶ ମୋରବା ଥାନା ଅଞ୍ଚଳରେ ଏକ କମ୍ପାନୀରେ ଚାକିରି କରନ୍ତି। ୨୦୧୫ ମସିହାରେ ସେ ବୁର୍ଲା ଅଞ୍ଚଳର ପ୍ରିୟମ୍ୱଦାଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ବାହାଘର ପରେ ସ୍ୱାମୀ-ସ୍ତ୍ରୀ ମଧ୍ୟପ୍ରଦେଶ ପଳାଇ ଯାଇଥିଲେ। ସେଠାରେ ଉଭୟ ରହୁଥିଲେ। ସେମାନଙ୍କର ଏକ ଶିଶୁ କନ୍ୟା ଅଛନ୍ତି। ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା। ତେବେ ହଠାତ୍‌ ପରିବାର ଭିତରେ ଉଠିଥିଲା ଝଡ଼। ସ୍ୱାମୀ ଓ ସ୍ତ୍ରୀଙ୍କ ଝଗଡ଼ା ଥାନାକୁ ଯାଇଥିଲା। ଉଭୟ ଅଲଗା ଅଲଗା ରହୁଥିଲେ। ଝିଅ ପ୍ରିୟମ୍ୱଦାଙ୍କ ପାଖରେ ରହୁଥିଲେ।

ପ୍ରିୟମ୍ୱଦାଙ୍କଠାରୁ ଅଲଗା ହେବା ପାଇଁ ଚାହୁଁଥିବା ପ୍ରକାଶ ଦ୍ୱିତୀୟ ବିବାହ କରୁଥିଲେ। ରବିବାର ପାଟଣାଗଡ଼ ଟାଉନ୍‌ରେ ଥିବା ମେହେର ଧର୍ମଶାଳାରେ ଆୟୋଜନ କରାଯାଇଥିଲା ବିବାହ ଉତ୍ସବ। ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ଭୋଜିଭାତ ମଧ୍ୟ ଆୟୋଜନ କରାଯାଇଥିଲା। ବର ବେଶରେ ସଜେଇ ହୋଇଥିଲେ ପ୍ରକାଶ। ଆଉ ବଧୂ ବେଶରେ ସଜେଇ ହୋଇଥିଲେ ତପସ୍ୱିନୀ। ପୁରୋହିତ ମନ୍ତ୍ର ପାଠ କରୁଥିଲେ। ଜଳୁଥିଲା ହୋମ ନିଆଁ। ଆଉ ତାକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହେଉଥିଲେ ପ୍ରକାଶ ଓ ତପସ୍ୱିନୀ।

Advertisment

ହାତଗଣ୍ଠି ପଡ଼ି ସାରିଛି। ଠିକ୍‌ ସେହି ସମୟରେ ବେଦୀରେ ପହଞ୍ଚିଥିଲେ ପ୍ରିୟମ୍ୱଦା। ନିଜର ବାପା ମାଆ ଓ କିଛି ସମାଜସେବୀଙ୍କୁ ଧରି ମଣ୍ଡପରେ ପହଞ୍ଚି ଥିଲେ। ଆଉ ପ୍ରକାଶଙ୍କୁ ନିଜର ସ୍ୱାମୀ ବୋଲି ଦାବି କରିଥିଲେ। ଏହାକୁ ବିରୋଧ କରିଥିଲେ ପ୍ରକାଶଙ୍କ ପରିବାର ଲୋକେ। ଚାଲିଲା ଉଭୟଙ୍କ ଭିତରେ ଯୁକ୍ତିତର୍କ ଓ ଠେଲାପେଲା। ହୋ-ହଲ୍ଲା ଚାଲିଥିବା ବେଳେ ପ୍ରକାଶ ଓ ତପସ୍ୱିନୀ ପଳାଇ ଯାଇଥିଲେ।

Marriageବିରୋଧ କରୁଛନ୍ତି ପ୍ରଥମ ପତ୍ନୀ

ସ୍ଥିତି ଅଣାୟତ୍ତ ହେବାରୁ ଘଟଣା ସ୍ଥଳରେ ପହଞ୍ଚିଥିଲା ପୁଲିସ୍‌। ବୁଝାବୁଝି କରିବା ସହିତ ବିବାହ ପୂର୍ବରୁ ଛାଡ଼ପତ୍ର ହୋଇଥିବା ନେଇ କାଗଜପତ୍ର ପ୍ରକାଶ ଥାନାରେ ଜମା କରିଥିବା ପୁଲିସ୍‌ କହିଥିଲା। ଏହାର ଜବାବରେ ପ୍ରକାଶଙ୍କ ପ୍ରଥମ ପତ୍ନୀ ପ୍ରିୟମ୍ୱଦା କହିଥିଲେ, ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଛାଡ଼ପତ୍ର ହୋଇଥିବା ନେଇ କାଗଜପତ୍ର ତାଙ୍କୁ କିଏ ଦେଲା? ସିଏ ଥାନାରେ ଜମା କରିଥିବା କାଗଜପତ୍ର ସବୁ ଡୁପ୍ଲିକେଟ୍‌। ତେଣୁ ଛାଡ଼ପତ୍ର ହୋଇ ନଥିବା ବେଳେ ପ୍ରକାଶ କେମିତି ଦ୍ୱିତୀୟ ବିବାହ କରୁଛନ୍ତି ବୋଲି ପ୍ରିୟମ୍ୱଦା ପ୍ରଶ୍ନ କରିଥିଲେ।

ପାଟଣାଗଡ଼ ଥାନା ପୁଲିସ୍‌ ଏବେ ବୁଢ଼ିଆଣୀ ଜାଲରେ ଫସିଯାଇଛି। ସେପଟେ ପ୍ରକାଶ ଦ୍ୱିତୀୟ ପତ୍ନୀଙ୍କୁ ଧରି ପଳାଇ ଯାଇଥଛନ୍ତି। ତାଙ୍କର ପତ୍ତା ମିଳୁନି। ତେବେ ଏନେଇ ପ୍ରକାଶଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- କାଟଣାଗଡ଼ରୁ କରୁଣାକର ବୁଡେକ୍‌

Balangir