Advertisment

ସମ୍ପତ୍ତି ପାଇଁ ସମ୍ପର୍କ ତୁଚ୍ଛ! ପୂରା ପରିବାରକୁ ବିଷ ଦେଇ ଦେଲେ ଦୁଇ ମହିଳା

ସଙ୍ଘମିତ୍ରା ଓ ରୋଜା ପରସ୍ପର ସହ ହାତ ମିଳାଇ ପୂରା ପରିବାରକୁ ଶେଷ କରିବାକୁ ଷଡ଼ଯନ୍ତ୍ର କରିଥିଲେ।

author-image
Hemant Lenka
police

police

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ। ସାମାନ୍ୟ ସମ୍ପତ୍ତି ଓ ସମାଲୋଚନା ଯୋଗୁ ଘଟିଛି ଅଭାବନୀୟ କାଣ୍ଡ। ମାତ୍ର ୨୦ ଦିନ ଭିତରେ ଗୋଟିଏ ପରିବାର ୫ ଜଣ ଲୋକଙ୍କ ରହସ୍ୟମୟ ଢଙ୍ଗରେ ଆଖି ବୁଜିଛନ୍ତି। 

Advertisment

ପରିବାରର ଆଉ ୩ ଜଣ ଏବେ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ହଠାତ୍‌ କେମିତି ହସ ଖୁସିର ସଂସାରରେ କଳାବାଦଲ ଘୋଟି ଆସିଲା? ଏମିତି କ’ଣ ହେଲା ଯେ ୫ ଜଣଙ୍କ ମୃତ୍ୟୁ ଘଟିଲା? ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଘରର ଦୁଇ ଜଣ ମହିଳାଙ୍କ ସାଂଘାତିକ ଷଡ଼ଯନ୍ତ୍ର ଯୋଗୁ ଏପରି ଘଟଣା ଘଟିଥିବା ଜଣାପଡ଼ିଛି।

ଦୁଇ ମହିଳା ମିଳିତ ଭାବେ ପରିବାର ଲୋକଙ୍କୁ ବିଷ ପିଇଆଇ ହତ୍ୟା କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। ମହାରାଷ୍ଟ୍ରର ଗଡଚିରୋଲିରେ ଏପରି ଘଟଣା ଘଟିଛି।ମୃତକଙ୍କ ମଧ୍ୟରେ ଗିରଫ ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କର ସ୍ୱାମୀ ମଧ୍ୟ ରହିଛନ୍ତି। 

Advertisment

ବୁଧୁବାର ପୁଲିସ୍‌ ଉକ୍ତ ପରିବାରର ୨ ଜଣ ମହିଳାଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଗିରଫ ସଂଘମିତ୍ରା ସହ ତାଙ୍କ ସ୍ୱାମୀ ଓ ଶାଶୂ ଘର ଲୋକଙ୍କ ତିକ୍ତତା ଲାଗି ରହିଥିଲା। ସେହିପରି ଗରିଫ ରୋଜା ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ସମ୍ପର୍କୀୟଙ୍କ ଉପରେ ଅସନ୍ତୁଷ୍ଟ ଥିଲେ।

ଏହି ଦୁଇ ମହିଳା ପରିବାର ଲୋକଙ୍କୁ ହଟାଇବା ପାଇଁ ଏମିତି ବିଷର ବ୍ୟବହାର କରିଥିଲେ ଯେ ଯାହାର ରଙ୍ଗ କିମ୍ବା ବାସ୍ନା ନଥିଲା। ତେଣୁ ସେମାନେ ଖାଦ୍ୟ ଠାରୁ ଆରମ୍ଭ କରି ପାଣିରେ ବିଷର ବ୍ୟବହାର କରିଥିଲେ ହେଁ କେହି ବି ଏକଥା ଜାଣି ପାରି ନଥିଲେ।

ସେପ୍ଟେମ୍ବର ୨୦ରେ ଶଙ୍କର କୁମ୍ଭାରେ ଓ ତାଙ୍କ ପତ୍ନୀ ବିଜୟାଙ୍କ ଶରୀରରେ ଖାଦ୍ୟ ବିଷାକ୍ତ ହେବାର ଲକ୍ଷଣ ସବୁ ଦେଖାଦେଇଥିଲା। ଚାହୁଁଚାହୁଁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେମାନେ ଶରୀରରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ଉଭୟଙ୍କୁ ପ୍ରଥମେ ଅହେରିରେ ଥିବା ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଏହାପରେ ଚନ୍ଦ୍ରପୁର ଓ ଶେଷରେ ସେମାନେ ନାଗପୁରକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ଶଙ୍କରଙ୍କ ମୃତ୍ୟୁ ସେପ୍ଟେମ୍ବର ୨୬ରେ ହୋଇଥିଲା। ଦିନକ ପରେ ତାଙ୍କ ପତ୍ନୀ ବିଜୟା ଆଖି ବୁଜିଥିଲେ।

ଏହି ଶୋକରୁ ପରିବାର ଲୋକ ବାହାରି ନଥିବା ବେଳେ ସେମାନଙ୍କ ଦୁଇ ଝିଅ କୋମଲ ଓ ଆନନ୍ଦା ଏବଂ ପୁଅ ରୋଶନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅକ୍ଟୋବର ୮ରେ କୋମଳ, ୧୪ରେ ଆନନ୍ଦା ଓ ଦିନକ ପରେ ରୋଶନଙ୍କ ମୃତ୍ୟୁ ଘଟିଥିଲା।

ପରିବାର ଲୋକଙ୍କ ମୃତ୍ୟୁ ଖବର ଶୁଣି ଶଙ୍କରଙ୍କ ବଡ଼ ପୁଅ ସାଗର ହସ୍ପିଟାଲ ଯାଇଥିଲେ। ହେଲେ ସେଠାରୁ ସେ ଘରକୁ ଫେରିବା ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି। ପରିବାର ଡ୍ରାଇଭର ରାକେଶ ମାଡାଭିଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ଚନ୍ଦ୍ରପୁର ଓ ନାଗପୁର ହସ୍ପିଟାଲକୁ ଯାଇଥିବା ଶଙ୍କରଙ୍କ ଜଣେ ସମ୍ପର୍କୀୟ ମଧ୍ୟ ଜୀବନମରଣ ସହ ସଂଘର୍ଷ କରୁଛନ୍ତି।

ପ୍ରାଣ ହରାଇଥିବା ପରିବାରର ୫ ସଦସ୍ୟ ଓ ଅସୁସ୍ଥ ଥିବା ୩ ଜଣଙ୍କ ଶରୀରରେ ସମାନ ଲକ୍ଷଣ ସବୁ ଦେଖାଦେଇଥିଲା। ଡାକ୍ତରମାନେ ସମସ୍ତେ ବିଷକ୍ରିୟା ଶିକାର ହୋଇଥିବା ଆଶଙ୍କା କରିଥିଲେ। ତୁରନ୍ତ ୪ଟି ଟିମ ଗଠନ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ମହାରାଷ୍ଟ୍ର ସମେତ ତେଲେଙ୍ଗାନାରେ ମଧ୍ୟ ତଦନ୍ତ ହୋଇଥିଲା।

ଶେଷରେ ଆଜି ପୁଲିସ ସଙ୍ଘମିତ୍ରା ଓ ରୋଜାଙ୍କୁ ଗିରଫ କରିଛି। ପୁଲିସ୍‌ କହିଛି ଯେ ତଦନ୍ତ ବେଳେ ଶଙ୍କରଙ୍କ ବୋହୂ ତଥା ରୋଶନଙ୍କ ପତ୍ନୀ ସଂଘମିତ୍ରାଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା।

ପରିବାର ଲୋକଙ୍କ ଆପତ୍ତି ସତ୍ତ୍ୱେ ସଙ୍ଘମିତ୍ରା ଓ ରୋଶନଙ୍କ ବିବାହ ହୋଇଥିଲା। ବାହାଘରର କିଛି ମାସ ପରେ ସଙ୍ଘମିତ୍ରାଙ୍କ ବାପା ଆତ୍ମହତ୍ୟା କରିଥିଲେ। ସେବେଠାରୁ ସେ ମାନସିକ ଚିନ୍ତାରେ ରହୁଥିଲେ। ଏହାବାଦ ବାପା ଆତ୍ମହତ୍ୟା କରିବାରୁ ତାଙ୍କୁ ସ୍ୱାମୀ ରୋଶନ ଓ ଶାଶୂ ଘର ଲୋକ ଅନେକ ସମୟରେ ତାଚ୍ଛଲ୍ୟ ମଧ୍ୟ କରୁଥିଲେ। ତେଣୁ ସେ ଏଥିରୁ ମୁକ୍ତି ପାଇବାକୁ ଚାହୁଁଥିଲେ।

ଗିରଫ ରୋଜା ହେଉଛନ୍ତି ବିଜୟାଙ୍କ ସମ୍ପର୍କୀୟ। ସେ ଶଙ୍କରଙ୍କ ଘର ପାଖରେ ରୁହନ୍ତି। ବିଜୟାଙ୍କ ପରିବାର ଲୋକଙ୍କ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ରୋଜା ଅସନ୍ତୁଷ୍ଟ ଥିଲେ। ତେଣୁ ସେ ବିଜୟାଙ୍କ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ।

ଶେଷରେ ସଙ୍ଘମିତ୍ରା ଓ ରୋଜା ପରସ୍ପର ସହ ହାତ ମିଳାଇ ପୂରା ପରିବାରକୁ ଶେଷ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଏଥିପାଇଁ ସେମାନେ ବିଷ ସମ୍ପର୍କରେ ଅନଲାଇନରୁ ତଥ୍ୟ ଯୋଗାଡ଼ କରିଥିଲେ।

ଖାଦ୍ୟ ଓ ପାଣିରେ ମିଶି ଯାଉଥିବା ବିଷ ଆଣିବା ପାଇଁ ରୋଜା ତେଲେଙ୍ଗାନା ଯାଇଥିଲେ। ସେଠାରୁ ବିଷ ଆଣିବା ପରେ ଯୋଜନାବଦ୍ଧ ଭାବେ ଦୁଇ ମହିଳା ପରିବାର ସମସ୍ତଙ୍କୁ ପିଆଇ ଦେଇଥିଲେ। ଶଙ୍କରଙ୍କ ଡ୍ରାଇଭଙ୍କୁ ମଧ୍ୟ ବିଷ ଦିଆଯାଇଥିଲା ବୋଲି ପୁଲିସ୍‌ କହିଛି।

Crime Police Maharashtra