Advertisment

ଯୌତୁକ ପାଇଁ ୫ ମାସର ଗର୍ଭବତୀଙ୍କୁ ହତ୍ୟା!

ମୃତ୍ୟୁର ଦୁଇ ଦିନ ପରେ ବି ନମିତାଙ୍କ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ। ତାଙ୍କ ମୃତଦେହ କେନ୍ଦ୍ରପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Namita and Chagali

Namita and Chagali

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାରଡ଼ାଙ୍ଗ ପଞ୍ଚାୟତ ବଡ଼ମଠ ଗ୍ରାମର ଜଣେ ୫ ମାସର ଗର୍ଭବତୀଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ନିର୍ଯାତନା ଦେବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମାମଲା ରୁଜୁ କରି ତଦନ୍ତ କରୁଛି ମହାକାଳପଡ଼ା ପୁଲିସ। ପୁଲିସ ମୃତ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Advertisment

ମୃତ ମହିଳାଙ୍କ ନାଁ ନମିତା ପ୍ରଧାନ। ତାଙ୍କ ବାପ ଘର ବରକନ୍ଧା ପଞ୍ଚାୟତ ତେନ୍ତୁଲିକନ୍ଧା ଗ୍ରାମରେ। ଦୁଇ ବର୍ଷ ତଳେ ବଡ଼ମଠ ଗ୍ରାମର ତ୍ରିଲୋଚନ ଭୂୟାଁଙ୍କ ପୁଅ ଚଗଲିଙ୍କୁ ସେ ବିବାହ କରିଥିଲେ।

ନମିତାଙ୍କ ବାପା ଗୟାଧର ପ୍ରଧାନ କହିଛନ୍ତି, ବାହାଘର ବେଳେ ଜ୍ୱାଇଁଙ୍କ ଘର ଲୋକଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। କିନ୍ତୁ ସେମାନେ ଅଧିକ ଯୌତୁକ ଦାବି କରି ବିଭିନ୍ନ ସମୟରେ ଝିଅକୁ ନିର୍ଯାତନା ଦେଉଥିଲେ। ଝିଅକୁ ସେମାନେ ମାଡ଼ ମଧ୍ୟ ମାରୁଥିଲେ।

Advertisment

ଗୟାଧରଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୧ ତାରିଖ ସନ୍ଧ୍ୟାରେ ଶାଶୁଘର ଲୋକମାନେ ନମିତାଙ୍କୁ ମାଡ଼ ମାରିବା ସହିତ ବାପଘରୁ ଟଙ୍କା ଆଣିବା ପାଇଁ କହିଥିଲେ। ନମିତା ଫୋନ୍ କରି ତାଙ୍କ ମା'ଙ୍କୁ ସମସ୍ତ କଥା ଜଣାଇଥିଲେ। ହେଲେ ୨୨ତାରିଖ ସନ୍ଧ୍ୟାରେ ନମିତା ଅସୁସ୍ଥ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜ୍ୱାଇଁ ଚଗଲି ଭୂୟାଁ ସେମାନଙ୍କୁ ଫୋନ୍ କରି କହିଥିଲେ।

ଗର୍ଭବତୀ ଝିଅ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ପାଇ ବ୍ୟସ୍ତ ହୋଇପଡ଼ିଥିବା ଗୟାଧର ତୁରନ୍ତ ତାଙ୍କ ଭାଇ ଓ ପୁତାରଙ୍କ ସହିତ ଯାଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ତେବେ ସେଠାରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଝିଅର ମୃତ୍ୟୁ ହୋଇସାରିଛି। ତା’ପରେ ସେ ଏନେଇ ମହାକାଳପଡ଼ା ଥାନାରେ ଏତଲା ଦେଇଥିଲେ। ନମିତାଙ୍କ ସ୍ୱାମୀ ଚଗଲି ଭୂୟାଁ, ଶ୍ୱଶୁର ତ୍ରିଲୋଚନ ଭୂୟାଁ, ଶାଶୁ ଅଞ୍ଜନା ଭୂୟାଁ ଓ ନଣଦ ସୋନି ଭୂୟାଁଙ୍କ ନାଁରେ ସେ ଏତଲା ଦେଇଛନ୍ତି। ସେହିପରି ନମିତା ୫ ମାସର ଗର୍ଭବତୀ ଥିଲେ ବୋଲି ତାଙ୍କ ବାପା ଏତଲାରେ ଦର୍ଶାଇଛନ୍ତି।

ଲିଖିତ ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ମୃତ୍ୟୁର ଦୁଇ ଦିନ ପରେ ବି ନମିତାଙ୍କ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ। ତାଙ୍କ ମୃତଦେହ କେନ୍ଦ୍ରପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଛି।

ମହାକାଳପଡ଼ା ଥାନା ପକ୍ଷରୁ କୁହାଯାଇଛି ଯେ ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ମୃତ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ଅଟକ ରଖାଯାଇଛି। ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ। ଏଥିପାଇଁ ତାଙ୍କ ବାପ ଘର ସଦସ୍ୟମାନେ ରାଜି ହୋଇନାହାନ୍ତି। ସେମାନଙ୍କର ଦାବି ସଂପର୍କରେ ମଧ୍ୟ ସେମାନେ ସ୍ପଷ୍ଟ କରୁ ନାହାନ୍ତି। କେବଳ କହୁଛନ୍ତି ଯେ ନ୍ୟାୟ ମିଳିଲା ପରେ ଶବ ବ୍ୟବଚ୍ଛେଦ ହେବ। ଏସ୍‌ଡିପିଓ ଓ ମହାକାଳପଡ଼ା ଥାନା ଆଇଆଇସି ଯେତେ ବୁଝାସୁଝା କଲେ ହେଁ ସେମାନେ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇନାହାନ୍ତି। ତଥା ସେମାନଙ୍କୁ ମନାଇବାକୁ ପ୍ରୟାସ ଜାରି ରହିଛି।

Murder