Advertisment

ଚାକିରିର ୧୮ ବର୍ଷ ମଧ୍ୟରେ ଆୟଠାରୁ ୧୮୪% ଅଧିକ ସଂପତ୍ତି ଠୁଳ କରି ରେଞ୍ଜର ଗିରଫ

ଅନ୍ତର୍ଯ୍ୟାମୀ ସାହୁ ୨୦୦୭ ଏପ୍ରିଲ ୯ ତାରିଖରେ ରାଜ୍ୟ ବନ ବିଭାଗରେ ଫରେଷ୍ଟର ଭାବେ ଚାକିରିରେ ଯୋଗ ଦେଇଥିଲେ। ୨୦୧୮ରେ ଡେପୁଟୀ ରେଞ୍ଜର ଓ ୨୦୨୩ରେ ରେଞ୍ଜର ଭାବେ ପଦୋନ୍ନତି ପାଇଥିଲେ।

author-image
Jitendra Garnayak
Antarjami Sahu

Antarjami Sahu

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କାଶୀପୁର ଫରେଷ୍ଟ ରେଞ୍ଜର ରେଞ୍ଜ ଅଫିସର ଅନ୍ତର୍ଯ୍ୟାମୀ ସାହୁଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟଠାରୁ ୧୮୪% ଅଧିକ ସମ୍ପତ୍ତି ଠୁଳ କରିଥିବା ସୂଚନା ଦେଇଛି ଭିଜିଲାନ୍ସ।

Advertisment

ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କର ୫ଟି କୋଠା ଅଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ତାଙ୍କର ଯଥାକ୍ରମେ ୨୨୫୦ ଓ ୧୦୦୦ ବର୍ଗଫୁଟର ଦୁଇଟି କୋଠା ଅଛି। ସେହିପରି କନ୍ଧମାଳର ଦାରିଙ୍ଗବାଡ଼ିରେ ତାଙ୍କର ଦୁଇଟି କୋଠା ଅଛି। ସେଥିମଧ୍ୟରୁ ଗୋଟି ଏ ୧୬୦୦ ବର୍ଗଫୁଟର। ବ୍ରହ୍ମପୁରର ଟେକ୍ନୋପାର୍କରେ ତାଙ୍କର ୧୬୫୦ ବର୍ଗଫୁଟର ଏକ କୋଠା ଅଛି।

ରେଞ୍ଜର ଶ୍ରୀ ସାହୁଙ୍କର ୯ଟି ଦାମୀ ପ୍ଲଟ ମଧ୍ୟରୁ ୬ଟି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଆଖପାଖ ଅଞ୍ଚଳରେ ଥିବା ବେଳେ ୨ଟି ଗଞ୍ଜାମର କୋଡ଼ାସିଂହରେ ଓ ଗୋଟିଏ ବ୍ରହ୍ମପୁରର ଯୋଗୀପାଲିରେ ଅଛି।

Advertisment

ଶ୍ରୀ ସାହୁଙ୍କ ଘରୁ ୨୬୩.୨୨ ଗ୍ରାମ ସୁନା ଅଳଙ୍କାର ଜବତ କରାଯାଇଛି। ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ତାଙ୍କର ୨୮ ଲକ୍ଷ ୫୧ ହଜାର ୪୧୦ ଟଙ୍କା ଜମା ଅଛି। ତାଙ୍କର ଗୋଟିଏ ଦୁଇ ଚକିଆ ଗାଡ଼ି ଅଛି। ତାଙ୍କ ଘରୁ ମିଳିଥିବା ନଗଦ ରାଶି ଓ ଘରକରଣା ଜିନିଷଗୁଡ଼ିକର ମୂଲ୍ୟ ୯.୪୩ ଲକ୍ଷ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ତର୍ଯ୍ୟାମୀ ସାହୁ ଏତେ ସଂପତ୍ତି କେମିତି ଠୁଳ କଲେ, ସେ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି।

୧୮ ବର୍ଷର ଚାକିରି

ଅନ୍ତର୍ଯ୍ୟାମୀ ସାହୁ ୨୦୦୭ ଏପ୍ରିଲ ୯ ତାରିଖରେ ରାଜ୍ୟ ବନ ବିଭାଗରେ ଫରେଷ୍ଟର ଭାବେ ଚାକିରିରେ ଯୋଗ ଦେଇଥିଲେ। ୨୦୦୮ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ସେ ଭୁବନେଶ୍ୱରରେ ତାଲିମ ନେଇଥିଲେ। ୨୦୦୮ ଏପ୍ରିଲ ୨୦ରୁ ୨୦୧୧ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ସେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଫରେଷ୍ଟ ସେକ୍ସନରେ ଫରେଷ୍ଟର ଭାବେ କାର୍ଯ୍ୟ କରିଥିଲେ। ୨୦୧୧ ଅଗଷ୍ଟ ୧୭ରୁ ୨୦୧୩ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ସେ କନ୍ଧମାଳର ତୁମୁଡ଼ିବନ୍ଧରେ ଫରେଷ୍ଟର ଭାବେ କାର୍ଯ୍ୟ କରିଥିଲେ। ୨୦୧୩ ଡିସେମ୍ବର ୧୫ରୁ ୨୦୧୫ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସେ କନ୍ଧମାଳର କୋଟଗଡ଼ ଫରେଷ୍ଟ ସେକ୍ସନରେ କାର୍ଯ୍ୟ କରିଥିଲେ। ୨୦୧୫ ନଭେମ୍ବର ୧୪ରୁ ୨୦୧୮ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ସେ କନ୍ଧମାଳର କେ ନୂଆଗାଁରେ ଫରେଷ୍ଟର ଭାବେ କାର୍ଯ୍ୟ କରିଥିଲେ। ସେ ଡେପୁଟୀ ରେଞ୍ଜର ପଦକୁ ଉନ୍ନୀତ ହୋଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଡିଏଫଓ ଅଫିସରେ ୨୦୧୮ ଜୁନ୍ ୧୮ରୁ ୨୦୨୩ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହା ପରେ ରେଞ୍ଜର ଭାବେ ପଦୋନ୍ନତି ପାଇ ରାୟଗଡ଼ାରେ ୨୦୨୩ ଅଗଷ୍ଟ ୧୦ ତାରିଖରୁ କାର୍ଯ୍ୟ କରିଆସୁଥିଲେ। ଏଯାବତ ୧୮ ବର୍ଷର ଚାକିରି କାଳରୁ ସେ ୧୬ ବର୍ଷ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଛନ୍ତି।

Odisha Vigilance