/odisha-reporter/media/post_attachments/uploadimage/library/16_9/16_9_0/IMAGE_1748690773.jpg)
Dead Forester and his house
ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ବନାଞ୍ଚଳ ଅନ୍ତର୍ଗତ ଶରଣକୁଳର ଫରେଷ୍ଟର ଶିଶିର କୁମାର ସାହୁଙ୍କର ଗତକାଲି ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଘର ଭିତରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରାଯାଇଥିବା ବେଳେ ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ସେହିପରି ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ନିଆଁରେ ପୋଡ଼ି ମାରି ଦେଇଛନ୍ତି ନା ଯୋଜନାବଦ୍ଧ ଭାବେ ହତ୍ୟା କରିବା ପରେ ତାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିଲା- ଏଭଳି ଅନେକ ପ୍ରଶ୍ନ ଉଠିଛି।
ମୃତ ଶିଶିର କୁମାର ସାହୁଙ୍କ ଘର ମାନପୁରରେ। କିନ୍ତୁ ସେ ନୟାଗଡ଼ ସହରର ବାରମାସୀଦଣ୍ଡାରେ ଘର କରି ସ୍ତ୍ରୀ ନମିତା ଓ ପୁଅ ଅଭିଷେକଙ୍କ ସହିତ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଶିଶିର, ତାଙ୍କ ସ୍ତ୍ରୀ ଓ ପୁଅ ଘରେ ଥିବା ବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା। ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଡାକିବା ପରେ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ସବୁ ସରି ଯାଇଥିଲା। ଶିଶିରଙ୍କ ମୃତ୍ୟୁ ହୋଇସାରିଥିଲା। ବେଡ୍ରୁମ୍ରେ ଖଟ ଉପରେ ପଡ଼ିଥିଲା ତାଙ୍କ ଅର୍ଦ୍ଧଦଗ୍ଧ ଶରୀର।
ନିଆଁରେ ଶିଶିରଙ୍କ ପତ୍ନୀ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅ ଅଭିଷେକଙ୍କର କିଛି ହୋଇନାହିଁ। ତାଙ୍କ ପତ୍ନୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଛାନଭିନ କରିଥିବା ବେଳେ ଶିଶିରଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ବଡ଼ ଭାଇ ଶରତ କୁମାର ସାହୁ।
ଶିଶିରଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବା ବେଳେ ତା’ ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ। ପରକିୟାପ୍ରୀତି ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ତାଙ୍କ ପତ୍ନୀଙ୍କର ଆଉ କାହା ସହିତ ସଂପର୍କ ଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ଆଉ କେହି କହୁଛନ୍ତି ପାରିବାରିକ କଳହରୁ ଶିଶିରଙ୍କୁ ହତ୍ୟା କରାଯାଇଛି।
ନୟାଗଡ଼ର ଅତିରିକ୍ତ ଏସ୍ପି ସୁବାସ ପଣ୍ଡା କହିଛନ୍ତି, ଏହି ଘଟଣାରେ ଶିଶିର କୁମାର ସାହୁଙ୍କ ବଡ଼ ଭାଇ ଶରତ କୁମାର ସାହୁ ଏକ ଏତଲା ଦେଇଛନ୍ତି। ସେ ହତ୍ୟା ଅଭିଯୋଗ ଆଣିଛନ୍ତି। ଶିଶିରଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି। ପରକିୟାପ୍ରୀତି ନେଇ ଯାହା କୁହାଯାଉଛି, ଏପର୍ଯ୍ୟନ୍ତ ଆମେ ସେଦିଗରେ କିଛି ପାଇନାହୁଁ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପାରିବାରିକ କଳହ ଥିଲା। କିନ୍ତୁ ପାରିବାରିକ କଳହ ପଛର କାରଣ କ’ଣ ଥିଲା, ତାହା ଆମେ ଜାଣିବାକୁ ଚେଷ୍ଟା କରୁଛୁ। ତାଙ୍କ (ଶିଶିରଙ୍କ) ପୁଅଙ୍କୁ ପଚରାଉଚରା କରାଯାଉଛି। ତାଙ୍କ ପତ୍ନୀ ଡାକ୍ତରଖାନାରେ ଥିବା ବେଳେ ପୁଲିସ ତାଙ୍କୁ ବି ପଚରାଉଚରା କରୁଛି। ଏହି ଘଟଣା ପଛରେ ଆଉ କେହି ଅଛନ୍ତି ନା ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ କରାଯାଉଛି। ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ଘଟଣାଟିକୁ ଘଟା ଯାଇଥିବା ଜଣାପଡୁଛି। ଏ ନେଇ ଆମର ସନ୍ଦେହ ନାହିଁ। କିନ୍ତୁ ଏହା ନିଷ୍କର୍ସ ବୋଲି କହିବା ଠିକ ହେବ ନାହିଁ। ଘଟଣାର ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
