Advertisment

ଦେବଗଡ଼ରୁ ୬ ବର୍ଷର ଶିଶୁ କନ୍ୟାକୁ ଅପହରଣ ଘଟଣାରେ ୪ ଗିରଫ

ସମସ୍ତ ଅଭିଯୁକ୍ତଙ୍କ ବୟସ ୧୯ରୁ ୨୪ ବର୍ଷ ମଧ୍ୟରେ ବୋଲି ପୁଲିସ୍ କହିଛି।

author-image
Jitendra Garnayak
Police

Police

ଦେବଗଡ଼ରୁ ୬ ବର୍ଷର ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କଠାରୁ ଅପହରଣରେ ବ୍ୟବହାର ହୋଇଥିବା ୨ଟି ବାଇକ୍ ଓ ଗୋଟିଏ କାର୍ ମଧ୍ୟ ଜବତ କରାଯାଇଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଦେବଗଡ଼ ଥାନା ନୂଆଗାଁର ହିମାଂଶୁ ନାରଙ୍ଗ (୨୧), ବଲଣ୍ଡାର ରୋହିତ ପାତ୍ର (୨୪), ଜରେକେଳାର ମହେଶ୍ୱର ସଗଡ଼ିଆ (୨୪) ଓ ମେଣ୍ଢିପାଲିର ଦୀପକ ନାଏକ (୧୯)। ଏହି ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ ହିମାଂଶୁ ନାରଙ୍ଗ ବୋଲି ପୁଲିସ ସୂଚନା ଦେଇଛି।

ଟଙ୍କା ପାଇଁ ଏହି ଅପହରଣ କରାଯାଇଥିଲା। ଅପହରଣରେ ସଫଳ ହୋଇଥିଲେ ଅଭିଯୁକ୍ତମାନେ ୨ କୋଟି ଟଙ୍କା ଦାବି କରିଥା’ନ୍ତେ ବୋଲି ପୁଲିସ୍ ତଦନ୍ତ ସମୟରେ ଜାଣିବାକୁ ପାଇଥିବା କହିଛି।

Advertisment

ଗତ ୧୮ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଦେବଗଡ଼ ସହରର କପଡ଼ା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କର ୬ ବର୍ଷର ଶିଶୁ କନ୍ୟା ପିହୁଙ୍କୁ ଘର ପାଖରୁ ଅପହରଣ କରାଯାଇଥିଲା। ଟ୍ୟୁସନ୍‌ ଶେଷ ହେବା ପରେ ପିହୁ ତାଙ୍କ ଜେଜେମାଙ୍କ ସହ ଘରକୁ ଫେରୁଥିବା ବେଳେ ବାଇକରେ ଆସି ଦୁଇ ଜଣ ଅଭିଯୁକ୍ତ ତାଙ୍କୁ ଉଠାଇ ନେଇଥିଲେ। ଘର ଠାରୁ ମାତ୍ର ୫୦ ମିଟର ଦୂରରୁ ସେମାନେ ପିହୁଙ୍କୁ ଉଠାଇ ନେଇଥିଲେ।

ପୁଲିସ ଓ ଜନସାଧାରଣଙ୍କ ତତ୍ପରତା ଯୋଗୁ ୧୦ ଘଣ୍ଟା ପରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରୁ ପିହୁଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ନେଇ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି।

ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁଙ୍କ ରିପୋର୍ଟ

Kidnapping Cases Abduction