Advertisment

ମୂର୍ତ୍ତି ଚୋରି ଗ୍ୟାଙ୍ଗର ୪ ଗିରଫ, ୩୧ ମୂର୍ତ୍ତି ଜବତ

ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଉତ୍ତର ପ୍ରଦେଶର ହୋଇଥିବା ବେଳେ ଜଣେ ହେଉଛି ବାଲେଶ୍ୱରର।

Idols

Idols

Advertisment

ଯାଜପୁର ଜିଲ୍ଲାର ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି କରୁଥିବା ଏକ ଗ୍ୟାଙ୍ଗକୁ ଧରିଛି ପୁଲିସ୍‌। ଏହି ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୩୧ଟି ମୂଲ୍ୟବାନ୍ ମୂର୍ତ୍ତି ଜବତ କରାଯାଇଛି। ଜବତ ମୂର୍ତ୍ତି ଗୁଡ଼ିକ ମଧ୍ୟରୁ କିଛି ଅଷ୍ଟଧାତୁରେ ତିଆରି ହୋଇଥିବା ବେଳେ ଆଉ କିଛି ପିତଳରେ ତିଆରି ହୋଇଛି। ଏହା ସହିତ ମୂର୍ତ୍ତି ଚୋରଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ବାଇକ୍ ସହ ଚୋରି ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀ ଜବତ କରାଯାଇଥିବା ଯାଜପୁର ଏସ୍‌ପି ବିନୀତ ଅଗ୍ରୱାଲ କହିଛନ୍ତି।

Advertisment

ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଉତ୍ତର ପ୍ରଦେଶର ହୋଇଥିବା ବେଳେ ଜଣେ ହେଉଛି ବାଲେଶ୍ୱରର। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ଅରବିନ୍ଦ କୁମାର ସିଂହ (୪୩), ବାବର ଓରଫ ଜାବେଦ (୪୦), ବିଜୟ ଶୁକ୍ଳା ଓରଫ ପଣ୍ଡିତ (୫୧) ଓ ଶଶିଧର ନାଏକ (୪୯)। ଅରବିନ୍ଦ, ବାବର ଓ ବିଜୟ ହେଉଛନ୍ତି ଉତ୍ତର ପ୍ରଦେଶର ବାସିନ୍ଦା। ଶଶିଧରର ଘର ବାଲେଶ୍ୱର ଜିଲ୍ଲା ନୀଳଗିରିରେ। ସେ ସ୍ଥାନୀୟ ଇନ୍‌ଫର୍ମର ଭାବେ କାର୍ଯ୍ୟ କରୁଥିଲା।

ଗତ ଫେବ୍ରୁଆରୀ ୨୦ ତାରିଖ ରାତିରେ ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ମନ୍ଦିରରୁ ଓ ୧୯ ତାରିଖ ରାତିରେ ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ରଘୁନାଥଜୀଉ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିଲା। କୃଷ୍ଣଚନ୍ଦ୍ରପୁର ମନ୍ଦିରରୁ ୪ଟି ମୂର୍ତ୍ତି ଚୋରି ହୋଇଥିବା ବେଳେ ରଘୁନାଥଜୀଉ ମନ୍ଦିରରୁ ୧୯ଟି ଚୋରି ହୋଇଥିଲା। ସେହିପରି ଗତ ବର୍ଷ ନଭେମ୍ବର ମାସରେ ଧର୍ମଶାଳର ପାଟପୁର ସ୍ଥିତ ସିଦ୍ଧ ବଳଦେବଜୀଉ ମନ୍ଦିରରୁ ଏକାଧିକ ମୂର୍ତ୍ତି ଚୋରି ହୋଇଥିଲା।

Advertisment

ଏହି ସବୁ ଘଟଣାର ଛାନଭିନ କରିବା ପାଇଁ ଜିଲ୍ଲା ପୁଲିସ୍ ପକ୍ଷରୁ ଏକ ଟିମ୍ ଗଠନ କରାଯାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତଙ୍କ ସଂପର୍କରେ ଟିମ୍ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା ଓ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଅଭିଯୁକ୍ତମାନଙ୍କ ଠାରୁ ଯେଉଁ ମୂର୍ତ୍ତିଗୁଡ଼ିକ ମିଳିଛି, ସେଥିରେ କୃଷ୍ଣଚନ୍ଦ୍ରପୁର ମନ୍ଦିର ଓ ରଘୁନାଥଜୀଉ ମନ୍ଦିରରୁ ଚୋରି ହୋଇଥିବା ମୂର୍ତ୍ତି ଗୁଡ଼ିକ ମଧ୍ୟ ରହିଛି। ପାଟପୁର ସିଦ୍ଧ ବଳଦେବଜୀଉ ମନ୍ଦିରରୁ ଚୋରି ମାମଲାରେ ବି ଏହି ଗ୍ୟାଙ୍ଗର ହାତ ଥିବା ପ୍ରମାଣ ପୁଲିସ୍ ପାଇଥିବା ଜଣାପଡ଼ିଛି। ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ମନ୍ଦିରରୁ ମୂର୍ତ୍ତି ଚୋରି ମାମଲାରେ ମଧ୍ୟ ଏମାନଙ୍କ ସଂପୃକ୍ତି ରହିଛି ବୋଲି ପୁଲିସ୍ ସନ୍ଦେହ କରୁଛି। ଏନେଇ ତଦନ୍ତ ଚାଲିଛି। ଯାଜପୁର ପୁଲିସ୍ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଓ ଚୋରି ହୋଇଥିବା ଅନ୍ୟ ମୂର୍ତ୍ତି ଗୁଡ଼ିକୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଥିବା ଯାଜପୁର ଏସ୍‌ପି କହିଛନ୍ତି।

Crime Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe