ଗଞ୍ଜେଇ କାରବାରରେ ସଂପୃକ୍ତି ନେଇ ଅନୁଗୋଳ ଜିଲ୍ଲାରେ କାର୍ଯ୍ୟରତ ୪ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଉଛନ୍ତି ଜିଲ୍ଲାର କିଶୋରନଗର ଥାନାରେ କାର୍ଯ୍ୟରତ ASI ଜିତେନ୍ଦ୍ର ସାମନ୍ତ ସିଂହାର, କନଷ୍ଟେବଲ ମନୋଜ ନାୟକ, ଲିଙ୍ଗରାଜ ମୁଦୁଲି ଓ ଜିଲ୍ଲା ପୁଲିସ ମୁଖ୍ୟାଳୟର ଡ୍ରାଇଭର ଅଜିତ୍ ସାହୁ। ସେମାନଙ୍କୁ ନିଲମ୍ବିତ କରିଛନ୍ତି ଡିଆଇଜି ଉମାଶଙ୍କର ଦାସ।
ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଅନେକ ସମୟରେ ଗଞ୍ଜେଇ ଚାଲାଣ ବେଳେ ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ରାସ୍ତାକୁ ବେପାରୀମାନେ ବ୍ୟବହାର କରିଥା’ନ୍ତି। ତେବେ ଜିଲ୍ଲା ସୀମାନ୍ତ ଅଞ୍ଚଳ ଅତିକ୍ରମ କରିବା ବେଳେ ସୀମାନ୍ତ ଥାନାର କିଛି କର୍ମଚାରୀଙ୍କୁ ହାତ କରି ଗଞ୍ଜେଇ ବେପାରୀମାନେ ସୁବିଧାରେ ଗଞ୍ଜେଇ ଚାଲାଣ କରୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ଏମିତିକି ଏହି ୪ ଜଣ ପୁଲିସ୍ କର୍ମଚାରୀଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଥିଲା।
ଅନେକ ଥର ଏମିତି ଅଭିଯୋଗ ହେବା ପରେ ଡିଆଇଜି ଉମାଶଙ୍କର ଦାସ ଏହି ଅସାଧୁ କର୍ମଚାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।ଆଉ ପ୍ରମାଣ ପାଇବା ପରେ ଏହି ୪ ଜଣଙ୍କୁ ସସପେଣ୍ଡ କରାଯାଇଛି।