Advertisment

ରେଲୱେରେ ଜାଲ୍ ନିଯୁକ୍ତିପତ୍ର ଦେଲେ, ଜାଲ୍ ଟ୍ରେନିଂ ଦେଲେ...

ରେଳବାଇରେ ଚାକିରି କରାଇ ଦେବାକୁ କହି ମାଆ-ପୁଅଙ୍କ ଗ୍ୟାଙ୍ଗ୍ ଠକି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଅଭିଯୁକ୍ତ ପୁଅ ବନ୍ଧା ହୋଇଥିବାବେଳେ ମାଆ ଫେରାର୍।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Fraud case

Fraud case

ରେଲୱେରେ ବିଭିନ୍ନ ପଦବୀରେ ଚାକିରି କରାଇଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା। ଠକେଇରେ ଶିକାର ହୋଇଥିବା ଚିରଞ୍ଜୀବି ରାଉତ କଟକ ବିଡାନାସୀ ଥାନାରେ ଏନେଇ ଏତଲା ଦେଇଛନ୍ତି। ଏତଲା ଓ ପାରିପାର୍ଶ୍ୱିକ ତଥ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ଡାନିଏଲ ରାଜକୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଡାନାସୀ ପୁଲିସ। ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡାନିଏଲ ରାଜର ମାଆ ସମର୍ପିତା ଚୌଧୁରୀ ଫେରାର ହୋଇଯାଇଥିବା ଜଣାପଡିଛି।

Advertisment

ଅଭିଯୋଗ ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ଏକାଧିକ ଯୁବକଯୁବତୀଙ୍କଠାରୁ ରେଳବାଇରେ ଚାକିରି କରାଇଦେବାକୁ କହି ୩୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି ଗିରଫ ଅଭିଯୁକ୍ତ ଡାନିଏଲ ରାଜ ଓ ତାର ମାଆ ସମର୍ପିତା ଚୌଧୁରୀ। ୨୦୨୨ ମସିହାରୁ ଟଙ୍କା ନେଇ ଆଶାୟୀମାନଙ୍କୁ ରେଳବାଇର ନକଲି ଆଇ କାର୍ଡ, ନିଯୁକ୍ତି ପତ୍ର ଦେଇଥିଲେ ଏହି ମାଆ-ପୁଅଙ୍କ ଠକ ଗ୍ୟାଙ୍ଗ। ଏପରିକି ଟଙ୍କା ଦେଇଥିବା ଆଶାୟୀମାନଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇଥିଲା। ରେଳବାଇରେ ଚାକିରି କରାଇଦେବା ନାଁରେ ବିଭିନ୍ନ ଜିଲ୍ଲାର ଆଶାୟୀ ଯୁବକଯୁବତୀଙ୍କଠାରୁ ପାଖାପାଖି ୨ କୋଟି ଟଙ୍କା ଠକେଇ ହୋଇଥିବା କହିଛନ୍ତି ଅଭିଯୋଗକାରୀ। ଏହି ଗ୍ୟାଙ୍ଗରେ ସମର୍ପିତା ଚୌଧୁରୀ ଓ ଡାନିଏଲ ରାଜ ବ୍ୟତୀତ ଆହୁରି ଏକାଧିକ ଅଭିଯୁକ୍ତ ସାମିଲ ଥିବା ଅଭିଯୋଗକାରୀ କହିଛନ୍ତି।

ହେଲେ ଯେତେବେଳେ ଏମାନେ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ, ନିଜ ନିଜର ଟଙ୍କା ଫେରସ୍ତ କରିବାକୁ କହିଥିଲେ। ହେଲେ ସେମାନଙ୍କୁ ମାରିଦେବାକୁ ଧମକ ମିଳୁଥିବା ଅଭିଯୋଗକାରୀ କହିଛନ୍ତି। ସେପଟେ ଏହି ଘଟଣାରେ ଅତିରିକ୍ତ ଡିସିପି କହିଛନ୍ତି ଯେ ଗିରଫ ଡାନିଏଲ ରାଜ ବିରୋଧରେ ସମସ୍ତ ପ୍ରମାଣ ମିଳିଛି। ତାକୁ ଗିରଫ କରାଯିବା ସହ ଠକେଇ ଘଟଣାରେ ଆଉ କାହାର ସଂପୃକ୍ତି ରହିଛି, ତାର ତଦନ୍ତ କରାଯାଉଛି। ଏହାସହ ଏହି ଠକେଇର ଶିକାର ହୋଇଥିବା ବ୍ୟକ୍ତି ବିଶେଷ ଏନେଇ ଥାନାରେ ଅଭିଯୋଗ କଲେ ଏହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା।

Advertisment
Fraud Job Fraud Railway Job Fraud