ସାଙ୍ଗ ଦେଲା ବିଶ୍ୱାସରେ ବିଷ। ରାତି ଅଧରେ ଘଟାଇଲା ନାରକୀୟ କାଣ୍ଡ। ସାଜିଲା ଘାତକ, ନେଇଗଲା ଜୀବନ । ଏପରି ଏକ କାଣ୍ଡ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ୬ ନଂ ୱାର୍ଡର ପାଚୁହାଟିଂରେ ଘଟିଛି। ମୃତକ ହେଲେ ପାଚୁହାଟିଂର ଭାଗବତ ବେଶ୍ରା। ଅଭିଯୁକ୍ତଜଣକ ହେଲେ ଦୁର୍ଗା ନାୟକ।
ଗୁରୁତର ବ୍ୟକ୍ତି ଦଶରଥ କାରୁଆଙ୍କ ମୁଣ୍ଡ ଫାଟିବା ସହ ଦାନ୍ତ ଭାଙ୍ଗିଯାଇଛି । ଗତ ରାତି ପ୍ରାୟ ୮ ଟା ସମୟରେ ଏହି ଘଟଣା ଘଟିଛି । ହତ୍ୟାକାରୀ ସାଙ୍ଗ ଦୁର୍ଗା ନାଏକ ଫେରାର ହୋଇଯାଇଛି । ସୂଚନା ପାଇ ଯୋଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମକୁ ଡକାଯାଇଛି ।
ମୃତ ଭାଗବତଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାଟିତୁଣ୍ଡ ହୋଇଥାଏ । ଗତ ଦୁଇ ସପ୍ତାହ ତଳେ ଝଗଡା ହେବା ପରେ ସ୍ଵାମୀ ଭାଗବତ ଘରୁ ପଳାଇ ଆସି ଅଳ୍ପ କିଛି ଦୂରରେ ରହୁଥିବା ତାଙ୍କ ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହିଆସୁଥିଲେ । ତେବେ ସକାଳୁ ଘର ଭିତରେ ଭାଗବତଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ ।
ଆହତ ଦଶରଥ କାରୁଆଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଦୁର୍ଗା ନାଏକ ମଦ ଆଣିବାକୁ ଯାଇଥିବା ବେଳେ ସେ ଏବଂ ଭାଗବତ ବେଶ୍ରା ରୋଷେଇ କରୁଥିଲେ । ପାଖାପାଖି ୮ ଟା ସମୟରେ ଦୁର୍ଗା ନିଶାରେ ଚୁର ହୋଇ ମଦ ନେଇ ଫେରିବା ପରେ ହଠାତ୍ ଏକ ହାତୁଡ଼ି ନେଇ ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଭାଗବତଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ଗା । ତେବେ ସେଠାରୁ ଜୀବନ ନେଇ ଖସି ପଳାଇବାକୁ ସକ୍ଷମ ହୋଇଥିଲେ ଦଶରଥ । ହତ୍ୟାକାରୀ ଅଭିଯୁକ୍ତ ଦୁର୍ଗା ନାଏକ ଫେରାର ହୋଇଯାଇଛି ।
ପ୍ରାୟ ୫ ବର୍ଷ ତଳେ ଦୁର୍ଗା ନିଜ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଥିଲେ । ବଡ଼ବିଲ ଆଡ଼ିସନାଲ ଏସପି ପ୍ରତ୍ୟୁଷ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ପ୍ରକୃତରେ କାଲି ରାତିରେ କ'ଣ ଘଟିଥିଲା ।
ହଠାତ୍ କାହିଁକି ଉତକ୍ଷିପ୍ତ ହୋଇ ଉଠିଲା ଦୁର୍ଗା । ଏସବୁକୁ ନେଇ ପୁଲିସ୍ ତଦନ୍ତ ଚଳାଇବା ସହ ଫେରାର ଅଭିଯୁକ୍ତ ଦୁର୍ଗା ନାଏକକୁ ଧରିବା ପାଇଁ ତନାଘନା ଚଳାଇଛି ।