Advertisment

ବନ୍ଧୁ ସାଜିଲା ବଇରୀ, ବାପ ଛେଉଣ୍ଡ ହେଇଗଲେ ଦୁଇ ଛୋଟ ପିଲା

ଏପ୍ରିଲ ୨୭ ତାରିଖ ରାତି ପ୍ରାୟ ୧୧ଟା ବେଳେ ବିଜୟଙ୍କୁ ସେ କରିଥିଲେ ମରାଣାତ୍ମାକ ଆକ୍ରମଣ।

Odisha

Odisha

Advertisment

ଥରେ ଧୋକା ଦେଇଥିଲେ। ତଥାପି ସାଙ୍ଗ ଭାବି ସବୁ କିଛି ମାଫ କରି ଦେଇଥିଲେ। ବନ୍ଧୁଙ୍କ ବାଇକ ଚୋରି କରି ବିକିବା ବେଳେ ଧରା ପଡ଼ି ଯାଇଥିଲେ। ଗାଁରେ ମିଟିଂରେ ହୋଇ ଜୋରିମାନା ସହିତ ଗାଡ଼ି ଫେରସ୍ତ ପାଇଁ ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ। ବନ୍ଧୁଙ୍କୁ ଗାଡ଼ି ଫେରସ୍ତ କଲେ କିନ୍ତୁ ଜୋରିମାନା ଅର୍ଥ ଫାଙ୍କି ଦେଲେ।

Advertisment

ତଥାପି ବନ୍ଧୁତା ଭାଙ୍ଗି ନ ଯାଉ ଭାବି ବନ୍ଧୁଙ୍କୁ କ୍ଷମା କରି ଦେଇଥିଲେ ବିଜୟ ନାୟକ। କିନ୍ତୁ ତାଙ୍କ ବନ୍ଧୁ ଅଜୟ ବାରିକଙ୍କ ମନରେ ଏତେ ମାତ୍ରାରେ ବିଷ ଥିଲା ଯେ ଗାଁ ମୁଣ୍ଡରେ ଯମ ପରି ଜଗି ରହି ବିଜୟଙ୍କ ଠାରୁ ନେଇଥିଲେ ପ୍ରତିଶୋଧ। ଏପ୍ରିଲ ୨୭ ତାରିଖ ରାତି ପ୍ରାୟ ୧୧ଟା ବେଳେ ବିଜୟଙ୍କୁ ସେ କରିଥିଲେ ମରାଣାତ୍ମାକ ଆକ୍ରମଣ। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟଙ୍କ ମୃତ୍ୟୁ ହୋଇଛି। ବିଜୟଙ୍କ ମୃତ୍ୟୁପରେ ବାପ ଛେଉଣ୍ଡ ହୋଇଯାଇଛନ୍ତି ତାଙ୍କର ଦୁଇ କୁନିକୁନି ପିଲା। ଏବେ ସ୍ତ୍ରୀ ଓ ମା’ ନ୍ୟାୟ ଅପେକ୍ଷାରେ କେବଳ କାନ୍ଦିବାରେ ଲାଗିଛନ୍ତି। 

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଵାଂଶଡା ଥାନା ଅଧୀନରେ ଥିବା ଯଶୀପୁର ପଞ୍ଚାୟତରେ। ଵଳସାହି ଗାଁର ବିଜୟ ନାୟକ ଓ ସେହି ଗାଁର ସୁର ବାରିକଙ୍କ ପୁଅ ଅଜୟ ବାରିକ ଦୁହେଁ ଭଲ ବନ୍ଧୁ ଥିଲେ। ସେମାନଙ୍କ ସମ୍ପର୍କ ଦୀର୍ଘ ଦିନର। ନିକଟରେ ବିଜୟ ନାୟକଙ୍କ ଗାଡ଼ି ଉଠାଇ ନେଇ ଅଜୟ ବାରିକ ବିକିବାକୁ ଚେଷ୍ଟା କରିଥିଲେ। ହେଲେ ସେ ବିକ୍ରି କରିବା ବେଳେ ଧରା ପଡ଼ି ଯାଇଥିଲେ। ଗାଁ ଦାଣ୍ଡରେ ମିଟିଂ ବସି ଏହାର ସମାଧାନ ହୋଇଥିଲା। ଅଜୟ ବାଇକ ଫେରାଇ ବି ଦେଇଥିଲେ।

Advertisment

କିଛି ମାସ ତଳର ଏ କଥାକୁ ବିଜୟ ନାୟକଙ୍କ ମନରୁ ଲିଭି ଯାଇଥିଲା। କିନ୍ତୁ ଅଜୟ ବାରିକ ମନରେ ଥିବା ରାଗ ଲିଭି ନଥିଲା। ଗତ ଏପ୍ରିଲ୍ ମାସ ୨୭ ତାରିଖରେ ବିଜୟ ନାୟକ ଘରେ ନଥିବା ବେଳେ ଅଜୟ ବାରିକ ସେଠାରେ ପହଞ୍ଚିଥିଲେ। ସନ୍ଧ୍ୟା ସମୟରେ ସେ ଘର ଆଗରେ ଛିଡ଼ା ହୋଇ ଗାଳିଗୁଲଜ କରିଥିଲେ। ବିଜୟଙ୍କ ପତ୍ନୀଙ୍କୁ ଧମକ ଦେଇଥିଲେ। ସ୍ଵାମୀର ଜୀବନ ନେଇଯିବେ ବୋଲି ଚେତାବନୀ ଦେଇଥିଲେ।

ସେହିଦିନ ରାତିରେ ବିଜୟଙ୍କୁ ମାରିବା ପାଇଁ ଅଜୟ ଗାଁ ମୁଣ୍ଡରେ ଛକି ବସିଥିଲେ। ରାତି ୧୧ଟା ସମୟରେ ଗୋଟିଏ କିର୍ତ୍ତନ କାର୍ଯ୍ୟକ୍ରମରେ ପ୍ରସାଦ ସେବନ କରି ପିଲାଙ୍କ ପାଇଁ ତରକାରୀ ଧରି ସେହି ବାଟରେ ଫେରିଥିଲେ ବିଜୟ। ଏତିକି ବେଳେ ଗାଁ ମୁଣ୍ଡରେ ବିଜୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଅଜୟ।

ତାଙ୍କୁ ମାଡ଼ ମାରି ସେ ବେହୋସ୍ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଘର ଲୋକେ ଏ ସମ୍ପର୍କରେ ଖବର ପାଇ ତୁରନ୍ତ ଗାଁ ମୁଣ୍ଡରେ ପହଞ୍ଚିଥିଲେ। ସେମାନେ ଗୁରୁତର ବିଜୟଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ନେଇ ଥିଲେ। ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରି ଦେଇଥିଲେ। କଟକରେ ଦୀର୍ଘ ୧୦ ଦିନ ପର୍ଯ୍ୟନ୍ତ କୋମା ଅବସ୍ଥାରେ ରହିବା ପରେ ବିଜୟଙ୍କ ମୃତ୍ୟୁ ହୋଇଥିଲା।

ଏବେ ବିଜୟଙ୍କ ଅବର୍ତ୍ତମାନରେ ବିଧବା ମା’ଙ୍କ ସହିତ ସ୍ତ୍ରୀ ଓ ଦୁଇ ଛୋଟ ଛୋଟ ପିଲା ରହୁଛନ୍ତି। ଘର ଏବେ ବୁଢ଼ୀ ମା ଓ ସ୍ତ୍ରୀଙ୍କ କାନ୍ଦ ବୋବାଳିରେ ଫାଟି ପଡୁଛି। ଇଟା ବେପାର କରି ବିଜୟ ଘର ଚଳାଉ ଥିଲେ। ଏବେ ଏହି ଘଟଣାରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

ଗୋଟିଏ ମା’ ତା ପୁଅକୁ, ଗୋଟିଏ ସ୍ତ୍ରୀ ତାଙ୍କ ସ୍ୱାମୀକୁ ଓ ଦୁଇ କୁନି ପିଲା ସେମାନଙ୍କ ବାପାଙ୍କୁ ହରାଇ ଏବେ ଏକା ହୋଇ ଯାଇଛନ୍ତି। ସେମାନଙ୍କ ଦାୟିତ୍ଵ ନେବାକୁ କେହି ନାହାନ୍ତି। ପରିବାର କେମିତି ଚାଲିବ ସେ ଚିନ୍ତାରେ ବିଜୟଙ୍କ ପତ୍ନୀ। ପିଲାମାନେ ମଧ୍ୟ ବାପାଙ୍କ ଅଫେରା ବାଟକୁ ଅନାଇ ଵସି ଵସି ତାଟକା ହୋଇଗଲେଣି। ବିଜୟଙ୍କ ସ୍ତ୍ରୀ ଓ ମା’ଙ୍କ ର ଗୋଟିଏ କଥା ଅଜୟକୁ ଫାଶୀ ଦଣ୍ଡ ଦିଆ ଯାଉ।

ପୁଲିସ୍‌ ପ୍ରଥମେ ବିଜୟକୁ ମାଡ଼ ମାରିଥିବା ଘଟଣାରେ ଅଜୟ ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ତା’ ନାଁରେ ହତ୍ୟା ଦଫା ମଧ୍ୟ ଲଗା ଯାଇଛି।

ରିପୋର୍ଟ: ଚାନ୍ଦବାଲିରୁ ତ୍ରିଲୋଚନ ସାହୁ

Odisha Chandbali
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe