Arvind
କିଛି ଦିନ ଧରି ଚାଲିଥିବା ବିବାଦ ଶେଷରେ ବିସ୍ଫୋରକ ରୂପ ନେଇଛି। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଚାଲିଥିବା ତିକ୍ତତା ଜନ୍ମ ଦିନ ପାର୍ଟିର ଭିଡିଓ ପରେ ଆହୁରି ବଢ଼ି ଗଲା। ଶେଷରେ ବିଚ୍ ରାସ୍ତାରେ ଓ ସର୍ବସମ୍ମୁଖରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ମୁଣ୍ଡକୁ ୫ ରାଉଣ୍ଡ ଗୁଳି ଚଳାଇ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏପରି ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପୁଲିସ୍ ମୃତ ମହିଳାଙ୍କ ସ୍ୱାମୀ ଅରବିନ୍ଦ ପରିହରଙ୍କୁ ଗିରଫ କରିଛି।
୪ ଦିନ ତଳେ ଅରବିନ୍ଦଙ୍କ ପତ୍ନୀ ନନ୍ଦିନୀ ଫେସବୁକରେ ଗୋଟିଏ ଜନ୍ମ ଦିନ ପାର୍ଟିର ଭିଡିଓକୁ ପୋଷ୍ଟ କରିଥିଲେ। ନନ୍ଦିନୀ ତାଙ୍କ ବନ୍ଧୁ ଅଂକୁଶ ପାଠକଙ୍କ ଜନ୍ମ ଦିନ ପାର୍ଟିରେ ଯୋଗ ଦେଇଥିଲେ। ଅଂକୁଶ ଓ ନନ୍ଦିନୀଙ୍କ ବ୍ୟତୀତ ସେମାନଙ୍କ ଅନ୍ୟ ଅତିଥିମାନେ ମଧ୍ୟ ଜନ୍ମ ଦିନ ପାର୍ଟିରେ ସାମିଲ ହୋଇଥିଲେ। ଭିଡିଓରେ କେକ ବୋଳାବୋଳି ଠାରୁ ଆରମ୍ଭ କରି ବନ୍ଧୁମାନଙ୍କ ମଧ୍ୟରେ ହୋଇଥିବା ଥଟ୍ଟାମଜାର ସବୁ ଦୃଶ୍ୟ ରହିଥିଲା।
ଗୋଟିଏ ଦୃଶ୍ୟରେ ଅଂକୁଶ ବଳପୂର୍ବକ ନନ୍ଦିନୀଙ୍କ ମୁହଁରେ କେକ ବୋଳୁ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ଦେଖି ଅରବିନ୍ଦ କ୍ଷୁବ୍ଧ ହୋଇଥିଲେ। ସେ ତଥ୍ୟ ନେବାରୁ ଜାଣିବାକୁ ପାଇଥିଲେ ଯେ ଅଂକୁଶ ଓ ନନ୍ଦିନୀଙ୍କ ମଧ୍ୟରେ ରୋମାଣ୍ଟିକ ସମ୍ପର୍କ ରହିଛି। ଏହାକୁ ଜାଣିବା ପରେ ଅରବିନ୍ଦଙ୍କ ରାଗ ସିଧା ମୁଣ୍ଡକୁ ଉଠି ଯାଇଥିଲା।
ସେ ପ୍ରତିଶୋଧ ନେବାକୁ ଯୋଜନା ଆରମ୍ଭ କରିଥିଲେ। ଏସବୁ ଭିତରେ ଅରବିନ୍ଦଙ୍କ ସହ ଚାଲିଥିବା ପୁରୁଣା ବିବାଦ ପାଇଁ ନନ୍ଦିନୀ ଏସପି ଅଫିସରେ ପହଞ୍ଚିଥିଲେ। ସେଠାରୁ ସେ ଅଂକୁଶ ଓ କାଲୁ ନାମକ ଦୁଇ ଜଣ ଯୁବକଙ୍କ ସହ ଅଟୋରେ ଫେରୁଥିବା ବେଳେ ଅରବିନ୍ଦଙ୍କ ନଜର ପଡ଼ି ଯାଇଥିଲା। ବାସ୍ ବିଚ୍ ରାସ୍ତାରେ ସେ ନନ୍ଦିନୀଙ୍କୁ ଅଟକାଇବା ସହ ଗୁଳି ମାରି ହତ୍ୟା କରିଛନ୍ତି।
ଅରବିନ୍ଦ ଓ ନନ୍ଦିନୀ ୨୦୨୩ରେ ଗୋଟିଏ ଆର୍ଯ୍ୟ ସମାଜ ମନ୍ଦିରରେ ପରସ୍ପରକୁ ବିବାହ କରିଥିଲେ। ବାହାଘରର କିଛି ମାସ ପରେ ହିଁ ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଥିଲା। ଅରବିନ୍ଦଙ୍କ ଜଣେ ବିବାହିତ ପ୍ରେମିକା ରହିଛନ୍ତି ଓ ଉକ୍ତ ପ୍ରେମିକାଙ୍କ ଗୋଟିଏ ପିଲା ରହିଥିବା ନନ୍ଦିନୀ ଜାଣିବା ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।
ଏକଥା ଜାଣିବା ପରେ ନନ୍ଦିନୀ ନିଜ ବାପ ଘରକୁ ଚାଲି ଆସିଥିଲେ ଓ ଅରବିନ୍ଦଙ୍କ ବିରୋଧରେ ଏଫଆଇଆର ଦେଇଥିଲେ। ତିକ୍ତତା ବଢ଼ୁଥିବା ବେଳେ ଗୋଟିଏ ଦିନ ଅରବିନ୍ଦ କାର ଦ୍ୱାରା ନନ୍ଦିନୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପୁଲିସ୍ ଅରବିନ୍ଦଙ୍କୁ ଗିରଫ କରିଥିଲା। ସେ କିଛି ଦିନ ଜେଲରେ ମଧ୍ୟ ରହିଥିଲେ। ଜେଲରୁ ବାହାରିବା କ୍ଷଣି ସେ ପୁଣି ନନ୍ଦିନୀଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ।
ମଙ୍ଗଳବାର ଦିନ ନନ୍ଦିନୀ ଗଣମାଧ୍ୟମ ଆଗରେ ତାଙ୍କ ସ୍ୱାମୀ ତାଙ୍କୁ କେମିତି ହଇରାଣ କରୁଛନ୍ତି, ସେକଥା କହିଥିଲେ। ସେ କହିଥିଲେ, “ମୋ ସ୍ୱାମୀ ଏଆଇର ବ୍ୟବହାର କରି ମୋର ଆପତ୍ତିଜନକ ଫଟୋ ଓ ଭିଡିଓ ତିଆରି କରିବା ସହ ସେଗୁଡ଼ିକୁ ସୋଶାଲ ମିଡିଆରେ ଅପଲୋଡ କରୁଛନ୍ତି। ତାଙ୍କର ଜଣେ ଗର୍ଲଫ୍ରେଣ୍ଡ, ଜଣେ ପତ୍ନୀ ଓ ଗୋଟିଏ ପିଲା ରହିଛନ୍ତି। ଗୋଟିଏ ଦିନ ସେ ମୋତେ ହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ମୋର ଅଭିଯୋଗ ପରେ ତାଙ୍କୁ ପୁଲିସ୍ ଜେଲ ପଠାଇଥିଲା। ଜେଲରୁ ବାହାରିବା ପରେ ସେ ମୋତେ ପୁଣି ହଇରାଣ କରୁଛନ୍ତି। ସବୁ କିଛିରେ ବୁଝାମଣା କରିବାକୁ ଚାପ ପକାଉଛନ୍ତି। ମୋତେ ଯେଉଁମାନେ ବି ସମର୍ଥନ କରୁଛନ୍ତି, ସେମାନଙ୍କୁ ସେ ଦୁର୍ବ୍ୟବହାର କରୁଛନ୍ତି। କେହି ବି ମୋ କଥା ଶୁଣୁ ନାହାନ୍ତି।”
ଶୁକ୍ରବାର ନନ୍ଦିନୀ ଏସ୍ପି ଅଫିସ ଯିବା ସହ ସେଠାରୁ ଅଂକୁଶ ଓ କାଲୁଙ୍କ ସହ ଅଟୋରେ ଫେରୁଥିଲେ। ଏହି ସମୟରେ ଅରବିନ୍ଦ ଆଉ ଗୋଟିଏ ଅଟୋରେ ସେମାନଙ୍କ ପିଛା କରିଥିଲେ। କିଛି ବାଟ ଯିବା ପରେ ସେ ନନ୍ଦିନୀ ଯାଉଥିବା ଗାଡ଼ିକୁ ଅଟକାଇ ଥିଲେ। ଏହାପରେ ବିଚ୍ ରାସ୍ତାର ଓ ସର୍ବସମ୍ମୁଖରେ ନନ୍ଦିନୀଙ୍କ ମୁଣ୍ଡକୁ ୫ ରାଉଣ୍ତ ଗୁଳି ଚଳାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ପୁଲିସ୍ ଟିମ ତୁରନ୍ତ ସେଠାରେ ପହଞ୍ଚି ଥିଲା। ଅରବିନ୍ଦ ପୁଲିସ୍ ଅଧିକାରୀମାନଙ୍କୁ ମଧ୍ୟ ଦେଶୀ ବନ୍ଧୁକ ଦେଖାଇ ଡରାଇଥିଲା। କିନ୍ତୁ ତାଙ୍କୁ ଅଧିକାରୀମାନେ କାବୁ କରିବାକୁ ସକ୍ଷମ ହୋଇଥିଲେ। ସେହିପରି ଗୁଳି ମାଡ଼ରେ ଆହତ ହୋଇଥିବା ନନ୍ଦିନୀଙ୍କୁ ତୁରନ୍ତ ହସ୍ପିଟାଲ ପଠା ଯାଇଥିଲା। କିନ୍ତୁ ଚିକିତ୍ସା ଆରମ୍ଭ ହେବାର ୨ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୁଲିସ୍ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Arvind_1757932955.jpg)