Advertisment

ଚୋରି ବିଦ୍ୟା ପାଇଁ ଖୋଲିଥିଲା ସ୍କୁଲ! ତାଲିମ ପରେ ଦିଆଯାଉଥିଲା ଚାକିରି, ମିଳୁଥିଲା ଦରମା

ଚୋରିରେ ଯିଏ ଯେତେ ସଫଳତା ହାସଲ କରୁଥିଲେ, ସେହି ଅନୁସାରେ ତାଙ୍କ ଦରମା ବୃଦ୍ଧି ବି ହେଉଥିଲା। ଏପରି ଗୋଟିଏ ମୋବାଇଲ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି।

author-image
Hemant Lenka
UP

UP

ପେଶା ମୋବାଇଲ ଚୋରି କରିବା। କିନ୍ତୁ ଏଥିପାଇଁ ଦିଆଯାଉଥିଲା ତାଲିମ। ଚୋରି ଶିଖିବା ପରେ ମିଳୁଥିଲା ଚାକିରି। ନିଯୁକ୍ତି ପରେ ଅଫିସ ଭଳି ମିଳୁଥିଲା ଦରମା। କେବଳ ଦରମା ମିଳୁ ନଥିଲା, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ପାଇଁ ହେଉଥିବା ଖର୍ଚ୍ଚ ବି ଦିଆଯାଉଥିଲା।

Advertisment

ଚୋରିରେ ଯିଏ ଯେତେ ସଫଳତା ହାସଲ କରୁଥିଲେ, ସେହି ଅନୁସାରେ ତାଙ୍କ ଦରମା ବୃଦ୍ଧି ବି ହେଉଥିଲା। ଏପରି ଗୋଟିଏ ମୋବାଇଲ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ଉତ୍ତର ପ୍ରଦେଶର ଗୋରଖପୁରରେ ଏହି ରାକେଟ ଚାଲୁଥିବା ବେଳେ ରେଳବାଇ ପୁଲିସ୍‌ ଏହାର ସଦସ୍ୟମାନଙ୍କୁ ଗିରଫ କରିଛି।

ଗିରଫ କରିବା ପରେ ସେମାନେ ଦେଇଥିବା ତଥ୍ୟ ସମସ୍ତଙ୍କୁ ଚକିତ କରିଛି। ପୁଲିସ୍‌ର କହିବା କଥା ଯେ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ସହରର ବାହାରକୁ ମଧ୍ୟ ପଠାଯାଉଥିଲା। ଏହି ଯାତ୍ରା ପାଇଁ ହେଉଥିବା ଖର୍ଚ୍ଚ ବି ସେମାନେ ପାଉଥିଲେ। ଗାଡ଼ି ଭଡ଼ା ଠାରୁ ଆରମ୍ଭ କରି ଖାଇବା ଖର୍ଚ୍ଚ ଗ୍ୟାଙ୍ଗ ପକ୍ଷରୁ ବହନ କରାଯାଉଥିଲା।

Advertisment

ଏହି ଗ୍ୟାଙ୍ଗର କିଙ୍ଗ ପିନ ହେଉଛି ଝାରଖଣ୍ଡର ମୂଳବାସିନ୍ଦା ୩୫ ବର୍ଷୀୟ ମନୋଜ ମଣ୍ଡଳ। ତା’ର ଦୁଇ ସହଯୋଗୀ ହେଲେ ୧୯ ବର୍ଷୀୟ କରନ ଓ ୧୫ ବର୍ଷୀୟ ଜଣେ ନାବାଳକ। ଏହି ନାବାଳକ ଜଣଙ୍କ ହେଲା କରନର ଭାଇ। ଏମାନଙ୍କୁ ଶୁକ୍ରବାର ରାତିରେ ଗୋରଖପୁର ପୁଲିସ୍‌ ଷ୍ଟେସନ ନିକଟରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ପୁଲିସ୍‌ ୪୪ଟି ମୋବାଇଲ ଫୋନ ଜବତ କରିଛି। ଏଗୁଡ଼ିକର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ।

ମନୋଜ ନାଁରେ ପୂର୍ବରୁ ୪ଟି ମାମଲା ରହିଥିବା ବେଳେ କରନ ନାଁରେ ୨ଟି ମାମଲା ରହିଛି। ନାବାଳକର ଅପରାଧିକ ରେକର୍ଡ ସମ୍ପର୍କରେ ପୁଲିସ୍‌ ଯାଞ୍ଚ କରୁଛି।

ଗୋରଖପୁର ଜିଆରପି ଏସ୍‌ପି ସନ୍ଦୀପ କୁମାର ମୀନା କହିଛନ୍ତି, ଜେରା ବେଳେ ମନୋଜ ଖୁଲାସା କରିଛି ଯେ ସେ ତା’ର ଦୁଇ ସହଯୋଗୀଙ୍କୁ ମାସିକ ୧୫ ହଜାର ଟଙ୍କାଏ ଲେଖାଏ ଦରମା ଦେଇ ନିଜ ପାଖରେ ରଖିଥିଲା। ସେହିପରି ସେମାନେ ବାହାରକୁ ଚୋରି କରିବା ପାଇଁ ଯିବା ବେଳେ ଖାଇବା ଓ ରହିବା ଠାରୁ ଆରମ୍ଭ କରି ଯାତ୍ରା ଖର୍ଚ୍ଚ ମଧ୍ୟ ମନୋଜ ଦେଉଥିଲା। ପ୍ରଥମେ ଛୋଟ ଛୋଟ ଟାର୍ଗେଟକୁ ସଫଳତାର ସହ ପୂରଣ କରୁଥିବା ପିଲାଙ୍କୁ ଗ୍ୟାଙ୍ଗରେ ସାମିଲ କରାଯାଉଥିଲା।

ଗ୍ୟାଙ୍ଗର ସଦସ୍ୟମାନେ ଜନଗହଳୀପୂର୍ଣ୍ଣ ସ୍ଥାନ ଓ ରେଳ ଷ୍ଟେସନରୁ ଲୋକଙ୍କ ଠାରୁ ମୋବାଇଲ ଚୋରି କରିବାରେ ବେଶ ମାହିର ଥିଲେ। ଚୋରି ମୋବାଇଲକୁ ଏକାଠି କରାଯିବା ପରେ ସେଗୁଡ଼ିକୁ ଗୋଟିଏ ଉତ୍ପାଦନ ସଂସ୍ଥାକୁ ଦିଆଯାଇଥିଲା। ଉକ୍ତ ସଂସ୍ଥା ଚୋରି ମୋବାଇଲଗୁଡ଼ିକ ବାଂଲାଦେଶ ଓ ନେପାଳ ପଠାଇ ଦିଆଯାଉଥିଲା। ଏହାଦ୍ୱାରା ଚୋରି ମୋବାଇଲଗୁଡ଼ିକୁ ଟ୍ରାକ କରିବା ମଧ୍ୟ ସମ୍ଭବ ହେଉ ନଥିଲା ବୋଲି ମୀନା କହିଛନ୍ତି।

ତାଙ୍କ କହିବା କଥା ଯେ ପୁଲିସ୍‌ ଗୋଟିଏ ସପ୍ତାହ ଧରି ତଦନ୍ତ କରିବା ପରେ ଗ୍ୟାଙ୍ଗର ପର୍ଦ୍ଦାଫାସ କରିପାରିଛି। ଗ୍ୟାଙ୍ଗର ସଦସ୍ୟମାନଙ୍କ ଗତିବିଧି ଉପରେ ପୁଲିସ ନଜର ରଖିଥିଲା। ୨୦୦ଟି ସିସିଟିଭି କ୍ୟାମେରାକୁ ଯାଞ୍ଚ କରି ସେମାନଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ କରାଯାଇଥିଲା।

ଗିରଫ ୩ ଜଣଙ୍କ ଠାରୁ ୪୪ଟି ଆଣ୍ଡରଏଡ ଫୋନ ଜବତ ହୋଇଛି। ସେଗୁଡ଼ିକର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ସେହପରି ସେମାନଙ୍କ ନିକଟରୁ ଗୋଟିଏ ଛୁରୀକୁ ମଧ୍ୟ ଜବତ କରାଯାଇଛି।

ଗ୍ୟାଙ୍ଗ କେମିତି କାର୍ଯ୍ୟ କରୁଥିଲା ସେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୀନା କହିଛନ୍ତି, ଗ୍ୟାଙ୍ଗ ଲିଡର ମନୋଜ ପ୍ରଥମେ ନିଜ ଗାଁ ସାହେବଗଞ୍ଜରେ ଟଙ୍କା ରୋଜଗାର କରିବାକୁ ଚାହୁଁଥିବା ଯୁବକମାନଙ୍କୁ ଠାବ କରୁଥିଲା। ଗ୍ୟାଙ୍ଗର ସଦସ୍ୟମାନଙ୍କୁ ସବୁବେଳେ ଚକାଚକ ଡ୍ରେସ ପିନ୍ଧିବାକୁ କୁହାଯାଉଥିଲା ଓ ଭଲ ଭାବେ ହିନ୍ଦୀ କହିବାକୁ ପଡ଼ୁଥିଲା।

ଏହାଦ୍ୱାରା ସେମାନଙ୍କ ଉପରେ କେହି ବି ସନ୍ଦେହ କରୁ ନଥିଲେ। ପାଖରେ ରଖିଥିବା ଛୁରୀ ଦ୍ୱାରା ମଧ୍ୟ ସେମାନେ ଲୋକଙ୍କୁ ଭୟଭୀତ କରି ମୋବାଇଲ ଲୁଟ କରୁଥିଲେ। ଛୁରୀ କେମିତି ଚଲାଇବାକୁ ହେବ, ସେଥିପାଇଁ ମଧ୍ୟ ସେମାନଙ୍କୁ ତାଲିମ ଦିଆଯାଇଥିଲା।

ପ୍ରଥମେ ମନୋଜ ୩ ମାସ ଯାଏ ଗ୍ୟାଙ୍ଗର ନୂଆ ସଦସ୍ୟଙ୍କୁ ତାଲିମ ଦେଇଥାଏ। ଏହାରେ ସେମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଛୋଟ ଛୋଟ ଟାର୍ଗେଟ ଦିଆଯାଇଥାଏ। ଯେଉଁମାନେ ଛୋଟ ଛୋଟ ଟାର୍ଗେଟକୁ ସଫଳତାର ସହ କରି ନିଅନ୍ତି, ସେମାନଙ୍କୁ ଗ୍ୟାଙ୍ଗରେ ସ୍ଥାୟୀ ସଦସ୍ୟ ଭାବେ ନିଯୁକ୍ତି ମିଳେ। ସେହିପରି ସେମାନଙ୍କୁ ମାସକୁ ମାସ ଦରମା ଦିଆଯାଏ।

ସେମାନେ ଗୋରଖପୁର ଓ ଆଖପାଖ ଅଞ୍ଚଳରେ ଥିବା ମାର୍କେଟ ଓ ରେଳ ଷ୍ଟେସନରେ ବୁଲାବୁଲି କରି ନିଜର ଟାର୍ଗେଟ ସେଟ କରନ୍ତି। ପୁଲିସ୍‌ ସନ୍ଦେହରୁ ବର୍ତ୍ତିବା ପାଇଁ ସେମାନେ ଟ୍ରେନରେ ସଂରକ୍ଷିତ ଟିକେଟ କରନ୍ତି ଓ ଯାତ୍ରା ବେଳେ ନିୟମିତ ବଗି ବଦଳାଇଥାଆନ୍ତି। ମୋବାଇଲ ଚୋରି କରିବା ପରେ ଅନଲାଇନରେ ଏହାର ଦାମକୁ ସେମାନେ ଆକଳନ କରନ୍ତି। ଏହାପରେ ମୂଳ ଦାମରୁ ୩୦ରୁ ୪୦% କାଟି ବିକ୍ରି କରି ଦିଅନ୍ତି।

Uttar Pradesh Police