Advertisment

BJD କର୍ମୀଙ୍କ ଆକ୍ରମଣରେ BJP କର୍ମୀଙ୍କ ମୃତ୍ୟୁ! ଖଲ୍ଲିକୋଟରେ ୧୪୪ ଧାରା ଜାରି

ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ଦିଲ୍ଲୀପ ବାହାନ, ତାଙ୍କ ଭାଇ ଜିତୁ ବାହାନ ଓ ଅନ୍ୟ ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡ଼ିକାଲ୍‌ରେ ଭିର୍ତ୍ତି କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Ganjam

Ganjam

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ନିର୍ବାଚନୀ ହିଂସା। ବିଜେଡି କର୍ମୀଙ୍କ ଆକ୍ରମଣ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ହତ୍ୟାକାଣ୍ଡକୁ ନେଇ ଖଲ୍ଲିକୋଟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି କରିଛି। ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Advertisment

ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି କର୍ମୀ ଦିଲ୍ଲୀପ ବାହାନ, ତାଙ୍କ ଭାଇ ଜିତୁ ବାହାନ ଓ ଅନ୍ୟ ୨ ଜଣ ବ୍ୟକ୍ତି ବୁଧବାର ସନ୍ଧ୍ୟା ବେଳେ ପୋଷ୍ଟର ମାରୁଥିଲେ। ହେଲେ ବିଜେଡି କର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ। ଗାଁରେ ବିଜେପି ପୋଷ୍ଟର ଓ ବ୍ୟାନର ଲାଗି ପାରିବ ନାହିଁ ବୋଲି ବିଜେଡି କର୍ମୀମାନେ କହିଥିଲେ। ସେମାନଙ୍କ କଥା ନଶୁଣି ବିଜେପି କର୍ମୀ ଦିଲ୍ଲୀପ ଓ ତାଙ୍କ ସହଯୋଗୀମାନେ ପୋଷ୍ଟର ମାରୁଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଜେଡି କର୍ମୀମାନେ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।

ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ଦିଲ୍ଲୀପ ବାହାନ, ତାଙ୍କ ଭାଇ ଜିତୁ ବାହାନ ଓ ଅନ୍ୟ ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡ଼ିକାଲ୍‌ରେ ଭିର୍ତ୍ତି କରିଥିଲେ। ତେବେ ସେଠାରେ ଦିଲ୍ଲୀପ ବାହାନ ଓ ତାଙ୍କ ଭାଇ ଜିତୁ ବାହାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୧୨ଟା ଦିଲ୍ଲୀପଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପ୍ରକାଶ ପାଇବା ପରେ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Advertisment

ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାର ଓ ଗାଁ ଲୋକେ ବୁଧବାର ରାତି ୧୨ଟାରେ ଖଲ୍ଲିକୋଟ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ହେଲେ କୌଣସି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଚୁପ୍‌ ବସିଥିଲା। ଆଜି ସକାଳେ ଶତାଧିକ ବିଜେପି କର୍ମୀ ଆସିକା-ଭୁବନେଶ୍ୱର ରାସ୍ତା ରୋକ କରିବା ସହିତ ଥାନା ଘେରାଉ କରିଥିଲେ। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୁଲିସ୍‌ ୮ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନଙ୍କୁ ପୁଲିସ୍‌ କୋର୍ଟ ଚାଲାଣ କରୁଥିଲା।

ହତ୍ୟା ଅଭିଯୁକ୍ତଙ୍କୁ ଆଖି ସାମ୍ନାରେ ଦେଖି ଧୌର୍ଯ୍ୟହରା ହୋଇଥିଲେ ମୃତକଙ୍କ ପରିବାର ଲୋକ, ବନ୍ଧୁବାନ୍ଧବ ଓ ବିଜେପି କର୍ମୀ। ସେମାନେ ଅଭିଯୁକ୍ତଙ୍କ ଉପରେ ପାଣି ପାଉଚ୍‌ ଓ ପାଣି ବୋତଲ ମାଡ଼ କରିଥିଲେ। ଏପରିକି ପୁଲିସ୍‌ ଉପରେ ମଧ୍ୟ ପାଣି ମାଡ଼ ହୋଇଥିଲା। ଯେଉଁଥିପାଇଁ ପୁଲିସ୍‌ ଲାଠି ଚାର୍ଜ କରିଥିଲା। ନ୍ୟାୟ ପାଇଁ ଆନ୍ଦୋଳନ କରୁଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକମାନେ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଯାହା ଫଳରେ ୭ ଜଣ ପୁଲିସ କର୍ମଚାରୀ ଓ ଅନେକ ଆନ୍ଦୋଳନକାରୀ ଆହତ ହୋଇଥିବା ଜଣାପଡ଼ିଛି। ଲୋକଙ୍କ ଘଉଡାଇବା ପରେ ପୁଲିସ୍‌ର ରାଗ ଶାନ୍ତ ପଡ଼ିନଥିଲା। ଥାନା ସମ୍ମୁଖରେ ଛିଡ଼ା ହୋଇଥିବା ଗାଡ଼ି ଗୁଡ଼ିକୁ ପିଟି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା। ଭଙ୍ଗା ଯାଇଥିବା ଗାଡ଼ି ଭିତରେ ୧୦ରୁ ଅଧିକ ସାମ୍ୱାଦିକଙ୍କ ଗାଡ଼ିଥିବା ଜଣାପଡ଼ିଛି।

ପୁଲିସ୍‌ର ଲାଠି ଚାର୍ଜ ପରେ ଖଲ୍ଲିକୋଟ ଥାନା ଅଞ୍ଚଳରେ ଶାନ୍ତ ପଡ଼ିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାପାଳ ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଥାନାଠାରୁ ୧୦୦ ମିଟର ଭିତରେ ୫ରୁ ଅଧିକ ଲୋକ ଏକତ୍ର ନହେବା ପାଇଁ କୁହାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଖଲ୍ଲିକୋଟ ହିଂସାକାଣ୍ଡକୁ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ Xରେ ଲେଖିଛନ୍ତି, “ଗଣତନ୍ତ୍ରକୁ ଗୁଣ୍ଡାତନ୍ତ୍ରରେ ପରିଣତ କରିବାକୁ ଓଡ଼ିଶାର ଶାସକ ଦଳର ହୀନ ପ୍ରୟାସ। ନିର୍ବାଚନ ହାରିବା ଭୟରେ ହିଂସାତ୍ମକ କାଣ୍ଡ ଭିଆଉଛି ବିଜେଡି। ଗଞ୍ଜାମର ଖଲ୍ଲିକୋଟରେ ବିଜେଡି ଗୁଣ୍ଡାଙ୍କ ଆକ୍ରମଣରେ ଆମ ଦଳର କାର୍ଯ୍ୟକର୍ତ୍ତା ଦିଲ୍ଲୀପ ପାହାନଙ୍କ ମୃତ୍ୟୁର ଅଭାବନୀୟ ଘଟଣାକୁ ମୁଁ ଦୃଢ଼ ଭାବରେ ନିନ୍ଦା କରୁଛି । ଓଡ଼ିଶାବାସୀ ଏହାକୁ ଆଦୌ ବରଦାସ୍ତ କରିବେନି ଏବଂ ଏଥର ବିଜେଡିକୁ ଉଚିତ୍ ଜବାବ ଦେବେ। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।ଦୁଃଖର ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଏବଂ ସାହସ ପ୍ରଦାନ କରନ୍ତୁ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା। ଓଁ ଶାନ୍ତି।” 

ରିପୋର୍ଟ-ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

BjD Bjp Ganjam