Advertisment

କେନିଆରେ ଚାକିରି, ମାସକୁ ୫୦ ହଜାର ଟଙ୍କା ଦରମା; ଏପରି ଅଫର ଦେଇ ଲଗାଉଥିଲେ ଚୂନ

ଅଧିକ ଦରମା ପାଇବା ଲୋଭରେ ଆଶାୟୀମାନେ ଫସି ଯାଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କଠାର(ଆଶାୟୀ) ପାସ୍‌ପୋଟ୍‌ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୫୦ ହଜାର ଟଙ୍କା ଲେଖାଏଁ ନେଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Ganjam

Ganjam

କେନିଆରେ ଚାକିରି। ମାସକୁ ୫୦ ହଜାର ଟଙ୍କା ଦରମା। ବାସ୍‌ ଲୋଟି ପଡ଼ିଥିଲେ ଆଶାୟୀ। ସେଥିପାଇଁ ପାସ୍‌ପୋଟ୍‌ ଓ ୫୦ ହଜାର ଟଙ୍କା ଦେଲେ। ହେଲେ ପରବର୍ତ୍ତୀ ସମୟରେ ଠକାମୀରେ ଶିକାର ହେଲେ ଆଶାୟୀ ଯୁବକ। ଗଞ୍ଜାମରୁ ଆସିଛି ଏପରି ଅଭିଯୋଗ। ଏନେଇ ଅଭିଯୋଗ ହେବା ପରେ ୯୨ ପାସ୍‌ପୋଟ୍‌ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌।

Advertisment

ଗୋଳନ୍ଥରା ଥାନା ଅଞ୍ଚଳର ସି.ଏଚ୍‌ ମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍‌ରେ ରୁହନ୍ତି। ସେ ତାଙ୍କର ସହଯୋଗୀ ସିକାକୁଲମ୍‌ ଅଞ୍ଚଳର ସୀମାଞ୍ଚଳମ ଓ ଦିଲେଶ୍ୱର ରାଓ ଠକେଇର ଜାଲ ବିଛାଇଥିଲେ। ମାସିକ ଦରମା ୫୦ ହଜାର ଟଙ୍କାରେ କେନିଆରେ ଚାକିରି କରାଯାଇ ଦେବା ପାଇଁ ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଅଫର ଦେଉଥିଲେ। ଅଧିକ ଦରମା ପାଇବା ଲୋଭରେ ଆଶାୟୀମାନେ ଫସି ଯାଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କଠାର(ଆଶାୟୀ) ପାସ୍‌ପୋଟ୍‌ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୫୦ ହଜାର ଟଙ୍କା ଲେଖାଏଁ ନେଇଥିଲେ। ସି.ଏଚ୍‌ ମୋହନ ରେଡ୍ଡୀ ନିଜର ସମ୍ପର୍କୀୟ ଓ ଚିହ୍ନା ପରିଚିତ ଲୋକଙ୍କୁ ଏପରି ଠକିଥିଲେ।

ପାସ୍‌ପୋଟ୍‌ ନେବା ପରେ ସେମାନଙ୍କୁ ଚାକିରି ଭିସା ଦେବା ପରିବର୍ତ୍ତେ ପର୍ଯ୍ୟଟନ ଭିସା ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଆଶାୟୀମାନେ ଜାଣିପାରି ମୋହନ ରେଡ୍ଡୀ ଓ ତାଙ୍କ ସହଯୋଗୀଙ୍କସହ ଯୋଗାଯୋଗ କରିଥିଲେ। ହେଲେ ସେମାନଙ୍କଠାରୁ ସନ୍ତୋଷ ଜନକ ଉତ୍ତର ପାଇନଥିଲେ। ଏହା ପରେ ଖଲ୍ଲିକୋଟ ଅଞ୍ଚର କିଛି ଆଶାୟୀମାନେ ଗତ ୫ ତାରିଖରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲାର ରୁଜୁ ଆରମ୍ଭ କରିଥିଲା।

Advertisment

ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍‌ଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଠକାମୀରେ ଶିକାର ହୋଇଥିବା ଚାକିରି ଆଶାୟୀଙ୍କ ବୟାନ୍‌ ରେକର୍ଡ କରିଥିଲା। ତା’ପରେ ସି.ଏଚ୍‌ ମୋହନ ରେଡ୍ଡୀଙ୍କ ନୂଆ ଠିକଣା ଖୋଜିଥିଲା। ତଦନ୍ତ ବେଳେ ସି.ଏଚ୍‌ ମୋହନ ରେଡ୍ଡୀ ବିଶାଖାପଟମ୍‌ରେ ରହୁଥିବା ଜାଣିବାକୁ ପାଇଥିଲା। ଏହାପରେ ଏକ ସ୍ୱତନ୍ତ୍ର ପୁଲିସ୍‌ ଟିମ୍‌ ବିଶାଖାପଟନମ୍‌ ଯାଇଥିଲା। ସେଠାରୁ ସି.ଏଚ୍‌ ମୋହନ ରେଡ୍ଡୀ ଓ ତାଙ୍କର ଦୁଇ ସାଥୀଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୯୨ଟି ପାସ୍‌ପୋଟ୍‌ ଓ ଭିସା ଜବତ କରିଥିଲା।

ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍‌ଙ୍କ କହିବା ଅନୁସାରେ ୨୦୨୩ ଅକ୍ଟୋବର ମାସରୁ ଏହି ଠକାମୀ ରାକେଟ୍‌ ଚାଲିଥିଲା। ବର୍ତ୍ତମାନ ସୁଦ୍ଧା ସେମାନେ ୨୦ ଜଣଙ୍କୁ ଠକିଥିବା ବେଳେ ୬୦ ଜଣଙ୍କୁ ଠକିବା ପାଇଁ ଯୋଜନା କରୁଥିଲେ। ତା’ପୂର୍ବରୁ ଅଭିଯୁକ୍ତମାନେ ଗିରଫ ହୋଇଗଲେ। ଠକଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରାଯାଇଛି। ନିଯୁକ୍ତିପତ୍ର ଗୁଡ଼ିକ ମୁମ୍ୱାଇରୁ ଇସ୍ୟୁ କରାଯାଇଥିବା ଜଣାପଡ଼ିଛି। ସେ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ଏସ୍‌ପି କହିଛନ୍ତି।

ରିପୋର୍ଟ- ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା

Ganjam Fraud Job Scam