Advertisment

ବିଷାକ୍ତ ମଦ ଟ୍ରାଜେଡି; ମାଫିଆଙ୍କୁ ମିଶାଇ ୭ ଗିରଫ

ଦିଗପହଣ୍ଡି ଅଞ୍ଚଳର ମଦ ମାଫିଆ ହେଉଛନ୍ତି ସୁରେନ୍ଦ୍ର ମଲ୍ଲିକ। ଆଉ ତାଙ୍କ ସହଯୋଗ ହେଉଛନ୍ତି ନିରଞ୍ଜନ ମଲ୍ଲିକ। ଉଭୟ ନିୟମିତ ଭାବେ ଚିକିଟି ଥାନା ମାଉନ୍ଦପୁର ଓ ଢିପସାହି ଗାଁରେ ଥିବା ଭାଟିକୁ ମଦ ଯୋଗାଇ ଆସୁଥିଲେ।

author-image
Manoranjan Sial
Ganjam

Ganjam

ବିଷାକ୍ତ ମଦ ପିଇ ୨୧ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରେ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମଦ ମାଫିଆଙ୍କୁ ମିଶାଇ ୭ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୁଲିସ୍‌।

Advertisment

ଦିଗପହଣ୍ଡି ଅଞ୍ଚଳର ମଦ ମାଫିଆ ହେଉଛନ୍ତି ସୁରେନ୍ଦ୍ର ମଲ୍ଲିକ। ଆଉ ତାଙ୍କ ସହଯୋଗ ହେଉଛନ୍ତି ନିରଞ୍ଜନ ମଲ୍ଲିକ। ଉଭୟ ନିୟମିତ ଭାବେ ଚିକିଟି ଥାନା ମାଉନ୍ଦପୁର ଓ ଢିପସାହି ଗାଁରେ ଥିବା ଭାଟିକୁ ମଦ ଯୋଗାଇ ଆସୁଥିଲେ। ସୋମବାର ରାତିରେ ସେହି ମଦ ପିଇଥିଲେ କରଦାଲୁଧା ଓ ଜେନାପୁର ଗାଁର କେତେକ ମଦୁଆ। ଆଉ ମଦ ପିଇବା ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ସୋମବାର ବିଳମ୍ୱିତ ରାତିରେ ୧୬ ଜଣଙ୍କୁ ଚିକିଟି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଆଉ ୫ ଜଣଙ୍କୁ ମେଡ଼ିକାଲ୍‌ରେ ଆଡ୍‌ମିଟ୍‌ ହୋଇଥିଲେ।

ଚିକିଟି ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ମୋଟ୍‌ ୨୧ ଜଣଙ୍କ ଭିତରୁ ୧୪ ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେମାନଙ୍କ ଭିତରୁ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଏନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ଅବକାରୀ ବିଭାଗ। ଆଜି ଅବକାରୀ କମିଶନର ନରସିଂହ ଭୋଳ ବ୍ରହ୍ମପୁରରେ ପହଞ୍ଚିଥିଲେ। ପରେ ଅବକାରୀ କମିଶନର, ସୁପରିଟେଣ୍ଡେଣ୍ଟ୍‌, ଗଞ୍ଜାମ ଜିଲ୍ଲାପାଳ, ଉପଜିଲ୍ଲାପାଳ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ମଦୁଆ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ତା’ପରେ ଅବକାରୀ କମିଶନର ମାଉନ୍ଦପୁର ଓ ଢିପସାହି ଗାଁକୁ ଯାଇଥିଲେ। ମଦ ବିକ୍ରି ହେଉଥିବା ସ୍ଥାନ ପରିଦର୍ଶନ କରିଥିଲେ। ଏପରିକି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ।

Advertisment

ଏନେଇ ଅଭିଯୋଗ ହେବା ପରେ କେ. ନୂଆଁଗାଁ ଥାନା ପୁଲିସ୍‌ ମାଉନ୍ଦପୁର ଓ ଢିପସାହିରେ ମଦ ବିକ୍ରି କରୁଥିବା ନିର୍ମଳା ସାହୁ, ବାୟା ସାହୁ, ବାପୁନ୍‌ ସାହୁ, ରବି ସାହୁ ଓ ଦେବରାଜ ବିଶୋୟୀଙ୍କୁ ଗିରଫ କରିଥିଲେ। ପରେ ମଦ ମାଫିଆ ସୁରେନ୍ଦ୍ର ମଲ୍ଲିକ ଓ ତା’ ସହଯୋଗୀ ନିରଞ୍ଜନ ମଲ୍ଲିକକୁ ପୁଲିସ୍ ଗିରଫ କରିଛି।

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ

Ganjam