Advertisment

ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାକୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯିବ ନାହିଁ

ଯେହେତୁ ଶିଶୁଟିକୁ ମା’ ଫୋପାଡ଼ି ଦେଇଥିଲା, ତେଣୁ ନିୟମ ଅନୁସାର ତା’ର ଲାଳନ ପାଳନ କରିବା ପାଇଁ ତାଙ୍କର ଯୋଗ୍ୟତା ନାହିଁ।

ଅଦ୍ୟତନ ହୋଇଛି
ADM Ajamber Mohanty

ADM Ajamber Mohanty

Advertisment

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ମା’ଙ୍କ ପରିଚୟ ମିଳିସାରିଛି। ତେବେ ଶିଶୁକନ୍ୟାକୁ ଏବେ ତାଙ୍କୁ ହସ୍ତାନ୍ତର କରାଯିବ ନାହିଁ। ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି, ଯେହେତୁ ଶିଶୁଟିକୁ ମା’ ଫୋପାଡ଼ି ଦେଇଥିଲା, ତେଣୁ ନିୟମ ଅନୁସାର ତା’ର ଲାଳନ ପାଳନ କରିବା ପାଇଁ ତାଙ୍କର ଯୋଗ୍ୟତା ନାହିଁ। ତେଣୁ ଶିଶୁଟି ବୁର୍ଲା ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିବା ପରେ ତାକୁ ଆମେ ଶିଶୁ ଯତ୍ନଗୃହରେ ରଖିବୁ। ପିଲା ସେଠାରେ ରହିବ। ଏହା ସହିତ ଆମର କାଉନସେଲିଂ ହେବ। ଶିଶୁଟି ଉକ୍ତ ମହିଳାଙ୍କର ବୋଲି ପ୍ରମାଣ କରିବା ପାଇଁ ପୁଲିସ୍ ହାତରେ ମଧ୍ୟ ସୁଯୋଗ ରହିଛି। କେଉଁ ପରିସ୍ଥିତିରେ ସେ ଛୁଆଟିକୁ ଫୋପାଡ଼ି ଦେଇଥିଲେ, ତାହା ମଧ୍ୟ ପ୍ରମାଣିତ କରାଯିବା ଦରକାର। ଯେହେତୁ ମାମଲାଟି କୋର୍ଟରେ ରହିଛି, ଆମେ କିଛି ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ। କିନ୍ତୁ ଶିଶୁଟିକୁ ଏବେ ହସ୍ତାନ୍ତର କରାଯିବ ନାହିଁ। କାରଣ ଉକ୍ତ ମହିଳା ଜଣଙ୍କ ସେହି ଯୋଗ୍ୟତା ହରାଇ ସାରିଛନ୍ତି। କୋର୍ଟରେ ମାମଲାର ଫଇସଲା ହୋଇ ସାରିଲା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ। ଯଦି ଆଇନ ଅନୁସାରେ ସେ ଛୁଆଟିକୁ ରଖିବାର ଯୋଗ୍ୟତା ହରାଇଛନ୍ତି ବୋଲି ପ୍ରମାଣିତ ହେବ ‍ବା ସେ ଆଉ ଛୁଆଟିକୁ ନେବା ପାଇଁ ଚାହିଁବେ ନାହିଁ, ତା’ହେଲେ ଛୁଆଟିକୁ ପୋଷ୍ୟ ସନ୍ତାନ ବ୍ୟବସ୍ଥାରେ କାହାକୁ ହସ୍ତାନ୍ତର କରାଯାଇପାରେ।

ଶିଶୁଟି ଏବେ ବୁଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଗତ ୧ ତାରିଖରେ ଅର୍ଥାତ୍ ନୂଆବର୍ଷର ପ୍ରଥମ ଦିନରେ ସେଠାରେ ତା’ର ଏକୋଇଶିଆ କରାଯାଇଛି। ଏହା ସହିତ ତା’ର ନାଁ ‘ବିଜୟିନୀ’ ରଖାଯାଇଛି।

Advertisment

‘ବିଜୟିନୀ’ର ମା’ଙ୍କ ପତ୍ତା ମିଳିବା ପରେ ସେ ମାନସିକ ଭାବେ ଅସୁସ୍ଥ ଥିବା ମନେ କରି ସମ୍ବଲପୁର ପୁଲିସ୍ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରୁ ସେ ଗତକାଲି ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଯାଇଛନ୍ତି। ସେ ସୁସ୍ଥ ହୋଇସାରିଥିବାରୁ ପୁଲିସ୍ ଏବେ ତାଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ମହିଳାଙ୍କ ସ୍ୱାମୀ ମରିଯାଇଛନ୍ତି। ତାଙ୍କର ଆଉ ଗୋଟିଏ ଝିଅ ଅଛି। ସ୍ୱାମୀ ମରିଯିବା ପରେ ସେ ଛୁଆକୁ ନେଇ ବାପ ଘରେ ରହୁଥିଲେ। ସେଠାରେ ଜଣେ ଯୁବକଙ୍କ ସହିତ ତାଙ୍କର ସଂପର୍କ ଗଢ଼ି ଉଠିଥିଲା। ଫଳରେ ସେ ଗର୍ଭବତୀ ହୋଇଥିଲେ। ଉକ୍ତ ଯୁବକଙ୍କ ଔରସରୁ ଶିଶୁ କନ୍ୟାଟିଏ ସମୟ ପୂର୍ବରୁ ଜନ୍ମ ହେବା ପରେ ତାକୁ ନେଇ ବୋରୱେଲରେ ସେ ଫିଙ୍ଗି ଦେଇଥିଲେ। ଝିଅ ହେବାରୁ ସେ ଫିଙ୍ଗି ଦେଇଥିଲେ ବୋଲି ଜଣାପଡ଼ିଛି।

ଗତକାଲି ସମ୍ବଲପୁର ଏସ୍‌ପି ଦେଇଥିବା ସୂଚନା ଅନୁଯାୟୀ, ଶିଶୁକନ୍ୟାଟି ଜନ୍ମ ହେବାର ୫/୬ ଘଣ୍ଟା ପରେ ମହିଳା ଜଣଙ୍କ ତାକୁ ନେଇ ବୋରୱେଲରେ ଫିଙ୍ଗି ଦେଇଥିଲେ।

New Born Baby
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe