Advertisment

‘ସେବାଳୟ’ରେ HIV ସଂକ୍ରମିତ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ

ଛୋଟ ପିଲାଙ୍କ ଗୋଟିଏ ଆଶ୍ରୟ ସ୍ଥଳରେ ଏଭଳି ଘଟଣା ଘଟିଥିଲା। ବାରମ୍ବାର ଦୁଷ୍କର୍ମ ଯୋଗୁ ୧୬ ବର୍ଷୀୟ ଝିଅ ଜଣଙ୍କ ଗର୍ଭବତୀ ହୋଇ ପଡ଼ିଥିଲେ। କିନ୍ତୁ ବଳପୂର୍ବକ ତାଙ୍କର ଗର୍ଭପାତ ମଧ୍ୟ କରାଯାଇଥିଲା।

author-image
Hemant Lenka
HIV

HIV

ଏଚଆଇଭି ଭଳି ମାରାତ୍ମକ ରୋଗରେ ସଂକ୍ରମିତ ଜଣେ ନାବାଳିକା ଆଣିଛନ୍ତି ସାଂଘାତିକ ଅଭିଯୋଗ। ସେ ଏଚଆଇଭିରେ ସଂକ୍ରମିତ ହୋଇଥିଲେ ହେଁ ତାଙ୍କୁ ୨ ବର୍ଷ ମଧ୍ୟରେ ଜଣେ ବ୍ୟକ୍ତି ବାରମ୍ବାର କରି ଚାଲିଥିଲେ ଦୁଷ୍କର୍ମ। ମହାରାଷ୍ଟ୍ରର ଲାଥୁର ଠାରେ ଥିବା ଛୋଟ ପିଲାଙ୍କ ଗୋଟିଏ ଆଶ୍ରୟ ସ୍ଥଳରେ ଏଭଳି ଘଟଣା ଘଟିଥିଲା। ବାରମ୍ବାର ଦୁଷ୍କର୍ମ ଯୋଗୁ ୧୬ ବର୍ଷୀୟ ଝିଅ ଜଣଙ୍କ ଗର୍ଭବତୀ ହୋଇ ପଡ଼ିଥିଲେ। କିନ୍ତୁ ବଳପୂର୍ବକ ତାଙ୍କର ଗର୍ଭପାତ ମଧ୍ୟ କରାଯାଇଥିଲା।

Advertisment

ପୀଡ଼ିତା ନାବାଳିକା ଜଣଙ୍କ ପୁଲିସ୍‌ରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ଏଚଆଇଭି ସଂକ୍ରମିତ ପିଲାଙ୍କ ପାଇଁ ତିଆରି କରାଯାଇଥିବା ଆଶ୍ରୟ ସ୍ଥଳରେ ରହୁଥିଲେ। ଏହାର ନାଁ ସେବାଳୟ। ଏଠାକାର ଜଣେ କର୍ମଚାରୀ ତାଙ୍କୁ ୨୦୨୩ ଜୁଲାଇ ୧୩ରୁ ଚଳିତ ବର୍ଷ ଜୁଲାଇ ୨୩ ମଧ୍ୟରେ ୪ ଥର ଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମ ଯୋଗୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲ ଅଣା ଯାଇଥିଲା। ଏଠାରେ କରାଯାଇଥିବା ଟେଷ୍ଟ ବେଳେ ସେ ୪ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା।

ଏକଥା ଜାଣିବା ପରେ ଅଭିଯୁକ୍ତ କର୍ମଚାରମାନେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ଗର୍ଭପାତ କରିବାକୁ କହିଥିଲେ। ହେଲେ ସେ ରାଜି ହୋଇ ନଥିଲେ। ପରବର୍ତ୍ତୀ ଅବସ୍ଥାରେ ଅଭିଯୁକ୍ତ ଜଣକ ଜଣେ ଡାକ୍ତରଙ୍କୁ ଟଙ୍କା ଦେଇ ପୀଡ଼ିତାଙ୍କ ବିନା ଅନୁମତିରେ ତାଙ୍କର ଗର୍ଭପାତ କରାଇ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏଥିସହ ଘଟଣା ସମ୍ପର୍କରେ କାହାକୁ କିଛି ନ କହିବାକୁ ମଧ୍ୟ ପୀଡ଼ିତାଙ୍କୁ ଧମକ ମିଳିଥିଲା।

Advertisment

ଭୟରେ ପୀଡ଼ିତା ଜଣଙ୍କ କିଛି କହି ନଥିଲେ। କିନ୍ତୁ ସମସ୍ତଙ୍କ ଅଜାଣତରେ ଗୋଟିଏ ଚିଠି ଉପରସ୍ଥ ଅଧିକାରୀଙ୍କୁ ଲେଖିଥିଲେ ଓ ଏହାକୁ ଅଭିଯୋଗ ଦାଖଲ କରିବାକୁ ରହିଥିବା ବକ୍ସରେ ପକାଇ ଦେଇଥିଲେ। ଏକଥା ସେବାଳୟର ଅଧିକାରୀମାନେ ଦେଖିଥିଲେ ହେଁ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିଲେ। ପୀଡ଼ିତାଙ୍କୁ ସହଯୋଗ କରିବା ବଦଳରେ ସେ ଲେଖିଥିବା ଚିଠିକୁ ଚିରି ଦେଇଥିଲେ।

ପୁଲିସ୍‌ ଏକଥା ଜାଣିବା ପରେ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ସେବାଳୟର ପ୍ରତିଷ୍ଠାତା ରବି ବାପଟଲେ, ସୁପରିନଟେଣ୍ଡେଣ୍ଟ ରଚନା ବାପଟଲେ, କର୍ମଚାରୀ ଅମିତ ମାହାମୁନି ଓ ପୂଜା ୱାଘମାରେଙ୍କୁ ଗିରଫ କରିଛି। ସେବାଳୟର ଟ୍ୟାଗ ଲାଇନ ହେଉଛି ପିଲାଙ୍କ ପାଇଁ ଖୁସିର ଘର।

କିନ୍ତୁ ଏଠାରେ ପୀଡ଼ିତାଙ୍କୁ ନର୍କ ଯନ୍ତ୍ରଣା ମିଳୁଥିଲା। ସେବାଳୟରେ ୨୩ ଜଣ ପୁଅ ଓ ୭ ଜଣ ଝିଅ ଆଶ୍ରୟ ନେଉଛନ୍ତି। ସେମାନେ ସମସ୍ତେ ଏଚଆଇଭି ସଂକ୍ରମିତ। ଏଠାରେ କାମ କରୁଥିବା ସମସ୍ତ ଲୋକ ମାଗଣାରେ ସେବା ଯୋଗାନ୍ତି ବୋଲି ୱେବସାଇଟରେ ଉଲ୍ଲେଖ କରାଯାଇଛି।

Police Maharashtra Stop Rape