ଯେଉଁ ‘ଭୂତ’ ପାଇଁ ରଖିଥିଲେ ବ୍ରତ, ସେ ହିଁ ହତ୍ୟା କରି ମାଟିରେ ପୋତି ଦେଲା

ଜଣେ ଯୁବକ ନିଜର ଦୁଇ ଜଣ ବନ୍ଧୁଙ୍କ ସହ ମିଶ ଗର୍ଭବତୀ ଥିବା ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା କରିଥିଲା। ଏହାପରେ ମୃତଦେହକୁ ହରିୟାଣାର ରୋହତକରେ ୪ ଫୁଟ ମାଟି ଖୋଳି ପୋତି ଦେଇଥିଲା।

ସୋନି ଓ ସଲିମ (ଫାଇଲ ଫଟୋ)

  • Published: Friday, 25 October 2024
  • , Updated: 25 October 2024, 09:19 PM IST

ନିଜର ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା କରିଛି ଜଣେ ଯୁବକ। ସାଙ୍ଗ ମାନଙ୍କ ସହ ମିଶି ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା କରିବା ପରେ ମୃତଦେହକୁ ମାଟି ତଳେ ପୋତି ଦେଇଥିଲା। ହେଲେ କଥାରେ ଅଛି, ହତ୍ୟାକାରୀ ଯେତେ ଚତୁର ହୋଇଥିଲେ ହେଁ ପୁଲିସ ତା’କୁ ନିଶ୍ଚିତ ଧରିଥାଏ।

ଏଠାରେ ମଧ୍ୟ ସମାନ କିଛି ଘଟିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ବେଶ ଆନନ୍ଦରେ ବାଇକରେ ବୁଲୁଥିଲେ। କିନ୍ତୁ ପୁଲିସ୍‌ ସେମାନଙ୍କୁ ଧରିବାକୁ ସକ୍ଷମ ହୋଇଛି। ଦିଲ୍ଲୀର ନାଙ୍ଗଲୋଇରୁ ଏପରି ଖବର ସାମ୍ନାକୁ ଆସିଛି। ଜଣେ ଯୁବକ ନିଜର ଦୁଇ ଜଣ ବନ୍ଧୁଙ୍କ ସହ ମିଶ ଗର୍ଭବତୀ ଥିବା ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା କରିଥିଲା। ଏହାପରେ ମୃତଦେହକୁ ହରିୟାଣାର ରୋହତକରେ ୪ ଫୁଟ ମାଟି ଖୋଳି ପୋତି ଦେଇଥିଲା। ତେବେ ପୁଲିସ୍‌ ପୂରା ଘଟଣା ଉପରୁ ପରାଦ ହଟାଇଛି।

୨୦ ବର୍ଷୀୟ ସୋନିଙ୍କୁ ହତ୍ୟା କରିଥିବା ଯୁବକର ନାଁ ସଲିମ ଓରଫ ସଞ୍ଜୁ। ଏହି ହତ୍ୟାକାଣ୍ଡ ଅତ୍ୟନ୍ତ ଚତୁରତାର ସହ କାର୍ଯ୍ୟକାରୀ କରାଯାଇଥିଲା। ସଲିମ ପ୍ରଥମେ ଯୋଜନା ଅନୁସାରେ ଦୁଇ ବନ୍ଧୁ ହ୍ରିତିକ ଓ ପଙ୍କଜକୁ ଡାକିଥିଲା। ସମସ୍ତେ ଏକାଠି ହୋଇ ହତ୍ୟାକାଣ୍ଡ ଘଟାଇବାକୁ କରୱା ଚୌଥର ଦିନ ଠିକ କରିଥିଲେ।

ତା’ପରେ ସଲିମ ଭଡ଼ାରେ ଗୋଟିଏ କାର ଆଣିଥିଲା। ସେ ସୋନିଙ୍କୁ ଫୋନ କରି କହିଥିଲା ଯେ “ଆଜି କରୱା ଚୌଥ। ତୁ ମୋତେ ଦେଖା କରିବୁନି?” ସୋନି ମଧ୍ୟ ନିଜ ଠାରୁ ଅଧିକ ଭଲ ପାଉଥିବା ସଲିମ ପାଇଁ କରୱା ଚୌଥ ବ୍ରତ ରଖିଥିଲେ। ବ୍ରତ ଦିନ ନିଜର ପ୍ରେମିକ ଡାକିବାରୁ ସେ ତୁରନ୍ତ ଦେଖା କରିବାକୁ ରାଜି ହୋଇ ଯାଇଥିଲେ।

ସଲିମଙ୍କ ଗୋଟିଏ ଡାକରାରେ ସୋନି ୨୧ ଅକ୍ଟୋବରରେ ତା’କୁ ଭେଟିବାକୁ ଆସିଥିଲେ। କିନ୍ତୁ ସଲିମର ଯୋଜନା କିଛି ଅଲଗା ଥିଲା। ସେ ସୋନିଙ୍କୁ ପାଖରେ ପାଇ କାରରେ ବସାଇଥିଲେ। ଏହାପରେ କାର ରୋହତକ ଅଭିମୁଖେ ବାହାରି ଥିଲା। ତେବେ ବାଟରେ ସେ ସୋନିଙ୍କୁ ତଣ୍ଟି ଚିପି ମାରି ଦେଇଥିଲା।

ହ୍ରିତିକ ଓ ପଙ୍କଜ ମଧ୍ୟ ଏହି ସମୟରେ କାରେ ଉପସ୍ଥିତ ଥିଲେ। ସୋନି ମରି ସାରିଥିବାରୁ ସେମାନେ ମୃତଦେକୁ କାରରେ ଧରି ରୋହତକର ଗୋଟିଏ ଜଙ୍ଗଲକୁ ଯାଇଥିଲେ। ସେଠାରେ ୪ ଫୁଟ ଗାତ ଖୋଳି ସୋନିଙ୍କ ମୃତଦେହକୁ ପୋତି ଦେଇଥିଲେ।

ସେଠାରୁ ସମସ୍ତେ କାରରେ ନାଙ୍ଗଲୋଇ ଫେରି ଆସିଥିଲେ। ସଲିମ ମଧ୍ୟ ଭଡ଼ାରେ ଆଣିଥିବା କାରକୁ ଫେରାଇ ଦେଇଥିଲା। ଏହାପରେ ସମସ୍ତେ ସ୍ୱାଭାବିକ ଭାବେ ବୁଲାବୁଲି କରିଥିଲେ।

ଅନ୍ୟପକ୍ଷରେ ସୋନିଙ୍କ ବାପା ଝିଅର ନିଖୋଜ ନେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ ସୋନିଙ୍କୁ ଖୋଜୁଥିବା ବେଳେ ତାଙ୍କର ପ୍ରେମ ସମ୍ପର୍କ ସଞ୍ଜୁ ନାମକ ଜଣେ ପିଲା ସହ ରହିଥିବା ବୋଲି ଜାଣିବାକୁ ପାଇଥିଲା।

ଯେତେବେଳେ ସୋନିଙ୍କ ପରିବାର ସଦସ୍ୟଙ୍କୁ ଏ ସମ୍ପର୍କରେ ପଚରା ଯାଇଥିଲା ସେତେବେଳେ ତାଙ୍କ ସାନ ଭଉଣୀ କହିଥିଲେ ଯେ ଦିଦି ଅନେକ ସମୟରେ ଫୋନରେ କାହା ସହ କଥା ହେଉଥିଲେ। ଉକ୍ତ ନମ୍ବରକୁ ସେ ଭୂତ ନାଁରେ ସେଭ କରିଥିଲେ। ଯେତେବେଳେ କେହି ତାଙ୍କୁ କାହା ସହ କଥା ହେଉଛି ବୋଲି ପଚାନ୍ତି ସେତେବେଳେ ସେ ଗୋଟିଏ ଭୂତ ସହ କଥା ହେଉଥିବା କୁହନ୍ତି। ଏପରି କି ଇନଷ୍ଟାଗ୍ରାମରେ ସେ ନିଜ ପ୍ରୋଫାଇଲରେ 'ଆଇ ଲଭ୍ ଭୂତ' ଲେଖିଥିଲେ। ସେ ଇନଷ୍ଟାଗ୍ରାମ ରିଲ୍ ତିଆରି କରିବାକୁ ମଧ୍ୟ ବହୁତ ପସନ୍ଦ କରୁଥିଲେ।

ଭଉଣୀ ଆହୁରି କହିଛନ୍ତି ଯେ ଧୀରେ ଧୀରେ ସେମାନେ ଜାଣିବାକୁ ପାଇଥିଲେ ଯେ ସୋନି ଯେଉଁ ଭୂତ କଥା କହୁଛନ୍ତି ସେ ସଞ୍ଜୁ ବ୍ୟତୀତ ଆଉ କେହି ନୁହେଁ। ସଞ୍ଜୁ ସହ ଦିଦିର ସମ୍ପର୍କ ଥିଲା। ଦୁହେଁଙ୍କ ମଧ୍ୟରେ ଇନଷ୍ଟାଗ୍ରାମକୁ ବନ୍ଧୁତା ଆରମ୍ଭ ହୋଇଥିଲା।

ଏସବୁ ଭିତରେ ସୋନି ଗର୍ଭବତୀ ଥିବା ଜଣାପଡ଼ିଥିଲା। ପ୍ରଥମେ ପରିବାର ସଦସ୍ୟ ଏହାକୁ ନେଇ ସୋନିଙ୍କ ଉପରେ ରାଗି ଯାଇଥିଲେ। କିନ୍ତୁ ସୋନି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସଞ୍ଜୁ ତାଙ୍କୁ ବିବାହ କରିବ। ଝିଅ ଠାରୁ ସବୁ କଥା ଶୁଣିବା ପରେ ପରିବାର ଲୋକ ମଧ୍ୟ ବାହାଘର ପାଇଁ ରାଜି ହୋଇଥିଲେ। ଯଦି ସଞ୍ଜୁ ଓରଫ ସଲିମ ଝିଅକୁ ବିବାହ କରେ ନିଏ, ତାଲେ ସବୁ କିଛି ଠିକ୍ ହୋଇଯିବ।

ସୋନି ମଧ୍ୟ ସଲିମ ଉପରେ ବାହାଘର ପାଇଁ ଚାପ ପକାଇ ଚାଲିଥିଲେ। ହେଲେ ସଲିମ କେବଳ ସମୟ ନେବାରେ ବ୍ୟସ୍ତ ଥିଲା। କିନ୍ତୁ ଚାପ ବଢ଼ିବାରୁ ସେ ସୋନିଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ଯୋଜନା ଅନୁସାରେ ସେ ଦୁଇ ଜଣ ସାଙ୍ଗଙ୍କ ସହ ମିଶି କରୱା ଚୌଥ ଦିନ ସୋନିଙ୍କୁ ହତ୍ୟା କରିଥିଲା ବୋଲି ପୁଲିସ କହିଛି।

ପୁଲିସ୍‌ କହିଛି ଯେ ତଦନ୍ତ ବେଳେ ସଞ୍ଜୁକୁ ଗିରଫ କରାଯାଇଥିଲା। ଅଧିକ ତଦନ୍ତ କରାଯିବାରୁ ତା’ ପ୍ରକୃତ ନାଁ ସଲିମ ବୋଲି ଜଣାପଡ଼ିଥିଲା। ଜେରା ବେଳେ ସେ ନିଜ ଅପରାଧକୁ ସ୍ୱୀକାର କରିଛି। ସୋନି ଗର୍ଭବତୀ ଥିବାରୁ ସେ ବାରମ୍ବାର ଏହାକୁ ନଷ୍ଟ କରିବାକୁ କହୁଥିଲା।

କିନ୍ତୁ ସୋନି ଏହାକୁ ଶୁଣି ନଥିଲେ। ତେଣୁ ସେ ତାଙ୍କୁ ମାରି ଦେଇଥିବା କହିଛି। ଏଥିରେ ତା’କୁ ସହଯୋଗ କରିଥିବା ପଙ୍କଜକୁ ମଧ୍ୟ ଗିରଫ କରାଯାଇଛି। କିନ୍ତୁ ସେମାନଙ୍କର ତୃତୀୟ ସାଥୀ ହ୍ରିତିକ ଏବେ ବି ଫେରାର ରହିଛି।

Related story