ପୂର୍ବରୁ ବିଜେଡି ସରକାର ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ଓ ଏବେ ବିଜେପି ସରକାର ‘ନା ଖାଉଙ୍ଗା ନା ଖାନେ ଦୁଙ୍ଗା’ ନୀତିକୁ ଆପଣାଇ ରାଜ୍ୟ ଶାସନ କରୁଛନ୍ତି । କିନ୍ତୁ ଏସବୁ ସତ୍ତ୍ୱେ ରାଜ୍ୟର ସରକାରୀ କର୍ମଚାରୀମାନଙ୍କଠୁ ଆଖି ଝଲସାଇ ଦେଲାଭଳି ନଗଦ କଳାଟଙ୍କା ମିଳୁଛି । ଆଉ ବଡ଼ମୁଣ୍ଡ ବା ପ୍ରଶାସନିକ ଓ ରାଜନୀତିକ ବସ୍ ମାନଙ୍କ ବିନା ଆଶୀର୍ବାଦରେ ଏତେ ଟଙ୍କା ମିଳିବା ମଧ୍ୟ ସହଜ ନୁହେଁ । କିନ୍ତୁ ରାଜ୍ୟ ଭିଜିଲାନ୍ସ କେବଳ ତଳତଳିଆ କର୍ମଚାରୀମାନଙ୍କୁ ଧରି ନିଜର ଦାୟିତ୍ୱ ତୁଲାଉଥିବାବେଳେ କାହିଁକି ବଡ଼ ମୁଣ୍ଡମାନଙ୍କୁ ଛୁଇଁବାକୁ ସାହାସ କରୁନି ବୋଲି ସାଧାରଣରେ ଚର୍ଚ୍ଚା । ତା’ଛଡ଼ା ଯେଉଁ କର୍ମଚାରୀମାନଙ୍କ ପାଖରୁ ଏତେ ପରିମାଣର ନଗଦ ଟଙ୍କା ମିଳୁଛି ସେମାନଙ୍କର ଉପରିସ୍ତ ଅଧିକାରୀ(ରିପୋର୍ଟିଂ ଅଥରିଟି) କିଭଳି ଏସବୁ ଜାଣିପାରୁନଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ବୁଧବାର ମାଲକାନଗିରିସ୍ଥିତ ଜଳଛାୟା ପ୍ରକଳ୍ପର ଉପନିର୍ଦ୍ଦେଶକ ସୀତାଂଶୁ ମହାପାତ୍ରଙ୍କ ପାଖରୁ ଭିଜିଲାନ୍ସ ନଗଦ ୧.୯୮କୋଟି ଟଙ୍କା ଜବତ କରିଛି । ଯାହା ଭିଜିଲାନ୍ସ ଦ୍ୱାରା ଜବତ ହୋଇଥିବା ଚଳିତବର୍ଷର ସର୍ବାଧିକ ନଗଦ ଅର୍ଥ । ରାଜ୍ୟରେ ଜଳଛାୟା ପ୍ରକଳ୍ପରେ କିଭଳି କୋଟିକୋଟି ଟଙ୍କା ଲୁଟ୍ ହୁଏ ତା’ର କଳାଚିଠା ୨୦୧୭ ମସିହାରେ ତତକାଳୀନ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଖୋଲିବା ପରେ ତାଙ୍କୁ ନିଜ ପଦ ହରାଇବାକୁ ପଡ଼ିଥିବାର ନଜିର ମଧ୍ୟ ରହିଛି ।
ରାଜ୍ୟ ଭିଜିଲାନ୍ସର ସୂଚନା ଅନୁସାରେ, ୨୦୧୬ ଫେବୃୟାରୀ ୨ ତାରିଖରେ ଆଠଗଡ଼ର ତତକାଳୀନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କ ଘରୁ ଭିଜିଲାନ୍ସ ୧.୦୧କୋଟି ଟଙ୍କାର ନଗଦ ଅର୍ଥ ଜବତ କରିଥିଲା । ତା’ପରେ ୨୦୨୨ ମସିହାରେ ୪ଜଣ, ୨୦୨୩ରେ ୨ଜଣ ଓ ୨୦୨୫ ମସିହାରେ ଜଣେ ସରକାରୀ କର୍ମଚାରୀଙ୍କ ଘରୁ ଭିଜିଲାନ୍ସ ଚଢ଼ଉ କରି କୋଟିଏରୁ ଅଧିକ ପରିମାଣର ନଗଦ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି । ବୁଧବାର ମାଲକାନଗିରିସ୍ଥିତ ଜଳଛାୟା ପ୍ରକଳ୍ପର ଉପନିର୍ଦ୍ଦେଶକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ସୀତାଂଶୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରି ୧.୯୮କୋଟି ଟଙ୍କାର ନଗଦ ଅର୍ଥ ସହ ତାଙ୍କର ଭୁବନେଶ୍ୱର-ଜୟପୁରରେ ଥିବା ମୂଲ୍ୟବାନ ପ୍ଲଟ ଓ ଘରକୁ ଠାବ କରିଛନ୍ତି ।
୧୯୯୫ ଡିସେମ୍ବର ମାସରେ କନିଷ୍ଠ ମୃତ୍ତିକା ସଂରକ୍ଷଣ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀ ମହାପାତ୍ର ୨୦୦୦ ମସିହା ପର୍ଯ୍ୟନ୍ତ ଖୋର୍ଦ୍ଧାରେ ଓ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ମାଲକାନଗିରିର ମାଥିଳିରେ ସହାୟକ ବିହନ ଉତ୍ପାଦନ ଅଧିକାରୀ, ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ଜୟପୁରରେ ସହାୟକ ବିହନ ଉତ୍ପାଦନ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ପଦୋନ୍ନତି ପାଇ ୨୦୧୬ ଜୁଲାଇରୁ ସହାୟକ ମୃତ୍ତିକ ସଂରକ୍ଷଣ ଅଧିକାରୀ ଭାବେ ବ୍ରହ୍ମପୁର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିଲେ । ୨୦୨୦ରେ ପାରଳାଖେମୁଣ୍ଡିରେ ଓ ୨୦୨୧ ଅଗଷ୍ଟରେ ପୁଣିଥରେ ମାଲକାନଗିରିକୁ ମୃତ୍ତି ସଂରକ୍ଷଣର ଉପନିର୍ଦ୍ଦେଶକ ତଥା ଜଳଛାୟା ପ୍ରକଳ୍ପର ନିର୍ଦ୍ଦେଶକ ଭାବେ ବଦଳି ହୋଇଥିଲା । ଆଉ ମାତ୍ର ୨ବର୍ଷ ପରେ ଅବସର ନେବାକୁ ଥିବା ଶ୍ରୀ ମହାପାତ୍ର ନିଜ ଚାକିରିର ୨୧ବର୍ଷ କେବଳ ମାଲନାଗିରି-ଜୟପୁରରେ ବିତାଇଛନ୍ତି । ଏହା କିଭଳି କୃଷି ବିଭାଗ ଜାଣିପାରୁନଥିଲା ଓ ତାଙ୍କୁ କାହିଁକି କେବଳ ସେହି ଜିଲ୍ଲାରେ ନିଯୁକ୍ତି ଦିଆଯାଉଥିଲା ତାହା ମଧ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।
ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ତତକାଳୀନ ବିଜେଡି ସରକାରର କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ନିଜେ ରାୟଗଡ଼ା-ନବରଙ୍ଗପୁର ଗସ୍ତ କରି ଫେରିବା ପରେ ଜଳଛାୟା ପ୍ରକଳ୍ପ ଆଳରେ କୋଟିକୋଟି ଟଙ୍କା ହରିଲୁଟ୍ ହେଉଛି ବୋଲି ଏକ ନୋଟସିଟ୍ ପଠାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିନ୍ତୁ ସେତେବେଳେ ଜଳଛାୟା ପ୍ରକଳ୍ପର ମିଶନ ନିର୍ଦ୍ଦେଶକ ଭାବେ ବିଜେଡି ସରକାରର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ଯ୍ୟ କରୁଥିବାରୁ ସରକାରୀ କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ପରିବର୍ତ୍ତେ ଡାକ୍ତର ରାଉତଙ୍କୁ ନିଜ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା । ଆଉ ତା’ପରେ ଡାକ୍ତର ରାଉତଙ୍କୁ ଆକ୍ରୋଶର ଶିକାର ହୋଇ ବିଜେଡିରୁ ବହିଷ୍କାର ହେବାକୁ ପଡ଼ିଥିବାର ନଜିର ରହିଛି । ଯଦି ସେବେ ଡାକ୍ତର ରାଉତଙ୍କ କଥାକୁ ଗୁରୁତ୍ୱ ଦେଇ ସରକାର ଜଳଛାୟା ପ୍ରକଳ୍ପରୁ ଦୁର୍ନୀତିକୁ ଦୂର କରିବାକୁ ଉଦ୍ୟମ କରିଥାନ୍ତୋ ହୁଏତ ସୀତାଂଶୁ ମହାପାତ୍ରଙ୍କ ଭଳି ଦୁର୍ନୀତିଗ୍ରସ୍ତ ଅଫିସରଙ୍କଠୁ ଆଜି ଏତେ ପରିମାଣର ନଗଦ ଟଙ୍କା ଜବତ ହୋଇପାରିନଥାନ୍ତା ବୋଲି ଚର୍ଚ୍ଚା ହେଉଛି ।
ଭିଜିଲାନ୍ସ ଜବତ କରିଥିବା ନଗଦ କୋଟିଏରୁ ଅଧିକ ଟଙ୍କା
୧- ସୀତାଂଶୁ ମହାପାତ୍ର
ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ,ମାଲକାନଗିରି
ଜବତ ନଗଦ ଟଙ୍କା-୧କୋଟି ୯୮ଲକ୍ଷ ଟଙ୍କା
ତାରିଖ- ୦୫-୦୨-୨୦୨୫
୨- ପ୍ରଶାନ୍ତ କୁମାର ରାଉତ
ଅତିରିକ୍ତ ଉପଜିଲ୍ଲାପାଳ, ନବରଙ୍ଗପୁର
ଜବତ ନଗଦ ଟଙ୍କା-୩କୋଟି ୧୨ଲକ୍ଷ ଟଙ୍କା
ତାରିଖ-୨୩-୦୬-୨୦୨୩
୩- ଉମେଶ ଚନ୍ଦ୍ର ଜେନା
ଅତିରିକ୍ତ ଖଣି ନିର୍ଦ୍ଦେଶକ,ଭୁବନେଶ୍ୱର
ଜବତ ନଗଦ ଟଙ୍କା- ୧କୋଟି ୬୪ଲକ୍ଷ ଟଙ୍କା
ତାରିଖ- ୦୩-୦୩-୨୦୨୩
୪- କାର୍ତ୍ତିକେଶ୍ୱର ରାଉଳ
ଆସିଷ୍ଟାଣ୍ଟ ଇଞ୍ଜିନିୟର,ଭଞ୍ଜନଗର
ଜବତ ନଗଦ ଟଙ୍କା- ୩କୋଟି ୪୧ଲକ୍ଷ ଟଙ୍କା
ତାରିଖ-୦୭-୦୪-୨୦୨୨
୫- ଆଶୀଷ କୁମାର ଦାସ
ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର, ରୁରାଲ ୱାର୍କସ,ମାଲକାନଗିରି
ଜବତ ନଗଦ ଟଙ୍କା- ୧କୋଟି ୪୦ଲକ୍ଷ ଟଙ୍କା
ତାରିଖ-୨୫-୦୩-୨୦୨୨
୬- ଡାକ୍ତର ସୁକାନ୍ତ ଜେନା
ପ୍ରସୂତୀ ବିଶେଷଜ୍ଞ,ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
ଜବତ ନଗଦ ଟଙ୍କା- ୧କୋଟି ୧୩ଲକ୍ଷ ଟଙ୍କା
ତାରିଖ- ୧୬-୦୨-୨୦୨୨
୭- ଗୟା ସାନ୍ତରାଏ
ଯୁଗ୍ମ ମ୍ୟାନେଜର, ଇଡକଲ
ଜବତ ନଗଦ ଟଙ୍କା- ୧କୋଟି ୬ଲକ୍ଷ ଟଙ୍କା
ତାରିଖ-୨୧-୧୨-୨୦୨୨