Advertisment

ମା’ କୋଳରେ ପୁଅର କଟା ମୁଣ୍ଡ

କଟା ମୁଣ୍ଡ ରାସ୍ତାରେ ପଡ଼ିଥିବା ବେଳେ ଏହାକୁ ଲୁହ ଭିଜା ଆଖିରେ ମା’ ଉଠାଇଥିଲେ। ଏହାପରେ ସେ କଟାମୁଣ୍ଡକୁ କୋଳରେ ଧରି ଦୀର୍ଘ ସମୟ ଯାଏ ବସି ରହିବା ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Head Chopped

Head Chopped

ଦୀର୍ଘ ୪ ଦଶନ୍ଧି ଧରି ଦୁଇ ପକ୍ଷ ମଧ୍ୟରେ ଲାଗି ରହିଥିବା ଜମି ବିବାଦ ଶେଷ ଭୟଙ୍କର ରୂପ ନେଇଛି। କିଛି ଲୋକ ଜଣେ ୧୭ ବର୍ଷୀୟ କିଶୋରକୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଗୋଟିଏ ଖଣ୍ତାରେ ସେମାନେ ପିଲାଟିର ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଛନ୍ତି।

Advertisment

କଟା ମୁଣ୍ଡ ରାସ୍ତାରେ ପଡ଼ିଥିବା ବେଳେ ଏହାକୁ ଲୁହ ଭିଜା ଆଖିରେ ମା’ ଉଠାଇଥିଲେ। ଏହାପରେ ସେ କଟାମୁଣ୍ଡକୁ କୋଳରେ ଧରି ଦୀର୍ଘ ସମୟ ଯାଏ ବସି ରହିବା ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଛି। ଉତ୍ତର ପ୍ରଦେଶର ଜଉନପୁରରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି।

ପୁଲିସ୍‌ ଅଧିକାରୀ କହିଛନ୍ତି, ଗୌରବାଦଶାହପୁର ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା କବିରୁଦ୍ଦିନ ଗାଁରେ ଗୋଟିଏ ଜମିକୁ ନେଇ ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ବିବାଦ ଲାଗି ରହିଥିଲା। ତେବେ ଏହି ବିବାଦ ବୁଧବାର ଭୟଙ୍କର ରୂପ ନେଇଛି। ବୁଧବାର ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା।

Advertisment

ଗଣ୍ଡଗୋଳ ବେଳେ ରମଜିତ ଯାଦବଙ୍କ ୧୭ ବର୍ଷୀୟ ପୁଅ ଅନୁରାଗଙ୍କୁ ଅପରପକ୍ଷର କିଛି ଲୋକ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏମାନଙ୍କ ମଧ୍ୟରେ ଜଣେ ଖଣ୍ଡା ମଧ୍ୟ ଧରିଥିଲା। ସେ ଖଣ୍ଡା ଦ୍ୱାରା ଅନୁରାଗଙ୍କୁ ଏତେ ଜୋରରେ ଆକ୍ରମଣ କରିଥିଲା ଯେ ତାଙ୍କ ଗଣ୍ଡିରୁ ମୁଣ୍ଡଟି ସଂପୂର୍ଣ୍ଣ ଭାବେ ଅଲଗା ହୋଇ ଯାଇଥିଲା।

ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ହେଲେ ଖଣ୍ଡା ଧରି ଅନୁରାଗଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଜଣକ ଫେରାର ରହିଛି। ତାକୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଘଟଣା ପରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ଆଶଙ୍କାରେ ଏକାଧିକ ପୁଲିସ୍‌ ଟିମ ଗାଁରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଗାଁ ଲୋକଙ୍କ କହିବା କଥା ଯେ ଅନୁରାଗଙ୍କ ମୁଣ୍ଡ ଗଣ୍ଡି ଅଲଗା ହେବା ପରେ ତାଙ୍କ ମା’ ସେଠାରେ ପହଞ୍ଚିଥିଲେ। ସେ ପୂରା ଭାଙ୍ଗି ପଡ଼ିବା ସହ ଚିତ୍କାର କରିବାକୁ ଲାଗିଥିଲେ। ଏହାପରେ ସେ କଟା ମୁଣ୍ଡକୁ ନିଜ କୋଳରେ ଧରି ଦୀର୍ଘ ସମୟ ଯାଏ ବସି ରହିଥିଲେ।

ଏସ୍‌ପି ଅଜୟ ପାଲ ଶର୍ମା କହିଛନ୍ତି, “ଦୁଇ ପକ୍ଷ ମଧ୍ୟରେ ୪୦ରୁ ୪୫ ବର୍ଷ ଧରି ଜମି ବିବାଦ ଲାଗି ରହିଥିଲା। ଗୋଟିଏ ପକ୍ଷର ରମେଶ ଓ ଲଲତା ପ୍ରମୁଖ ଅପରକ୍ଷ ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା ମାଜିଷ୍ଟ୍ରେଟ ଓ ମୁଁ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛୁ। କିଛି ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯାଇ ପଚରାଉଚରା କରାଯାଉଛି। ଏଥିସହ ଘଟଣାର ଅଧିକ ତଦନ୍ତ କରାଯାଉଛି।”

ଜଉନପୁର ଜିଲ୍ଲା ମାଜିଷ୍ଟ୍ରେଟ ଦୀନେଶ ଚନ୍ଦ୍ରଙ୍କ କହିବା କଥା ଯେ ଏପରି ଭୟଙ୍କର କାଣ୍ଡ ଘଟାଇଥିବା ଲୋକଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯିବ। ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ଜମି ବିବାଦ ଏବେ ସିଭିଲ କୋର୍ଟରେ ପଡ଼ି ରହିଛି। ୩ ଦିନ ତଳେ ଏହା ଉପରେ ରିପୋର୍ଟ ମଗାଯାଇଥିଲା ବୋଲି ମଧ୍ୟ ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି।

Uttar Pradesh Crime Police